ଭୁବନେଶ୍ୱର,୧୪/୦୬: ଏସ୍କର୍ଟ ସଭିର୍ସ୍ ୱେବ୍‌ସାଇଟ୍‌ରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଗ୍ରାହକମାନଙ୍କୁ ପ୍ରଲୋଭିତ କରି ଡାକୁଥିଲେ ଓ ଲୁଟୁଥିଲେ । ଯେଉଁ ସୁନ୍ଦରୀ ଯୁବତୀଙ୍କ ଫଟୋକୁ ଡିପିରେ ବ୍ୟବହାର କରୁଥିଲେ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଥାନା ଏତଲା ଦେଲା ପରେ ତମାଣ୍ଡୋ ଥାନା ପୁଲିସ୍ ଏହି ଗ୍ୟାଙ୍ଗର ଫର୍ଦ୍ଦାଫାସ୍ କରିଛି । ଜଣେ ଦେହଜୀବୀ ସହ ପୁଲିସ୍ ୩ ଜଣ ଦଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧାର ଉମାକାନ୍ତ ଦଳେଇ ଓରଫ ବାବୁନି ଓରଫ, ଓରଫ ସମ୍ୱିତ ଓରଫ ପୁଅ, ଚିତ୍ତରଞ୍ଜନ ମହାନ୍ତି ଓରଫ ପେନୁ, ନୟାଗଡ଼ର ତୋଫାନ ପ୍ରଧାନ ଓ କଟକ ନିଆଳୀ କୁମାରୀ ମିଞ୍ଜି ଭୋଇ ।

ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ହେଉଛନ୍ତି ସମ୍ବିତ। ସେ ବିଭିନ୍ନ ଏସ୍କର୍ଟ ସର୍ଭିସ୍ ୱେବ୍‌ସାଇଟ୍‌ରେ ସହ ଜଡ଼ିତ ଥିଲା । ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରୁ ଯୁବତୀଙ୍କ ଫଟୋ ଆଣି ଏସ୍କର୍ଟ ସର୍ଭିସ୍ ୱେବ୍‌ସାଇଟ୍‌ରେ ବ୍ୟବହାର କରୁଥିଲା । ଯେଉଁ ଯୁବତୀଙ୍କ ଫଟୋକୁ ସେ ବ୍ୟବହାର କରୁଥଲା ତା’ ତଳେ ନିଜର ଫୋନ୍ ନମ୍ବର ଦେଉଥିଲା । ଯୁବତୀଙ୍କ ସହ ସମୟ କାଟିଲେ ଘଣ୍ଟାକୁ କେତେ? ଦିନକୁ କେତେ? ୧୫ ଦିନକୁ କେତେ ଟଙ୍କା ଦେବାକୁ ପଡ଼ିବ ତାକୁ ଉଲ୍ଲେଖ କରୁଥିଲା ସମ୍ବିତ । ଚିତ୍ତରଞ୍ଜନ ଓ ତୋଫାନ ତାକୁ ସହଯୋଗ କରୁଥିଲେ । ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖି ଯେଉଁ ଗ୍ରାହକ ଆସୁଥିଲେ ସେମାନଙ୍କୁ ଏହି ୩ ଦଲାଲ୍ ବିଭିନ୍ନ ବାହାନା ଦେଖାଉଥିଲେ । ସେ ଝିଅର ଦେହ ଖରାପ ଓ ଦୁର୍ଘଟଣା କଥା କହି ଗ୍ରାହକମାନଙ୍କୁ ବୁଝାଇ ଦେଉଥିଲେ । ଅଗ୍ରୀମ ଦେଇଥିବା ଗ୍ରାହକକୁ କୁମାରୀ ମିଞ୍ଜି ଓ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ କହୁଥିଲେ । ଯଦି କେହି ବିରୋଧ କରୁଥିଲା ତାକୁ ମାଡ଼ ମାରି ଲୁଟ୍ ପାଟ୍ କରୁଥିଲେ । ଲୋକ ଲଜ୍ଜା ଭୟରେ କେହି ଏତଲା ଦେଉ ନଥିଲେ ।

ଗତ କିଛି ଦିନ ତଳେ କଳିଙ୍ଗ ନଗରରେ ରହୁଥିବା ଜଣେ ଯୁବତୀ ଜାଣିବାକୁ ପାଇଥିଲେ ତାଙ୍କର ଏକାଧିକ ଫଟୋ ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ରେ ଅପ୍ଲୋଡ୍ ହୋଇଛି । ଘଣ୍ଟାକୁ ୫ ହଜାର ଟଙ୍କା ଲେଖା ଯାଇଛି । ପରେ ସେ ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ ସର୍ଚ୍ଚ କରିଥିଲେ । ଦେଖିଥିଲେ ଗତ କିଛି ଦିନ ତଳେ ସେ ଯେଉଁ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍ଲୋଡ୍ କରିଥିଲେ ତାହା ସବୁ ଉକ୍ତ ୱେବ୍ସାଇଟ୍ ପଡ଼ିଛି । ଅଭିଯୁକ୍ତଙ୍କ ଏଭଳି କାର୍ଯ୍ୟକଳାପ ପାଇଁ ଅଭିଯୋଗକାରିଣୀଙ୍କ ସମ୍ମାନ, ମର୍ଯ୍ୟାଦା ଓ ଗୋପନୀୟତା କ୍ଷୁଣ୍ଣ ହୋଇଥିଲା । ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଅଧିକ ପଢ଼ନ୍ତୁ :-  

ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତମାନେ ଅନେକ ଯୁବତୀଙ୍କ ଫଟୋକୁ ସେମାନଙ୍କ ବିନା ଅନୁମତିରେ ବ୍ୟବହାର କରି ଏସ୍କର୍ଟ ସେବା ଯୋଗାଇଦେବାର ପ୍ରଲୋଭନ ଦେଖାଇ ଅନ୍‌ଲାଇନ ପେମେଣ୍ଟ ମାଧ୍ୟମରେ ଟଙ୍କା ଆଦାୟ କରୁଛନ୍ତି । ଏମାନଙ୍କୁ ଗିରଫ କରିବା ପରେ ସ୍କ୍ରିନସଟ, ଚାଟ୍ ରେକର୍ଡ, ମୋବାଇଲ ନମ୍ୱର, ୟୁପିଆଇ କାରବାର ସମ୍ୱନ୍ଧୀୟ ତଥ୍ୟ ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ପୁଲିସ୍ ହାତରେ ଲାଗିଛି । ଏମାନେ ଅନ୍‌ଲାଇନ୍‌ରେ ସେକ୍ସ ରାକେଟ୍ ଚଳାଉଥିବା ପୁଲିସ୍ କହିଛି । ସେମାନେ ନିରୀହ ମହିଳାମାନଙ୍କର ଫଟୋ ଓ ପରିଚୟକୁ ବିନା ଅନୁମତିରେ ବ୍ୟବହାର କରି ଏସ୍କର୍ଟ ସର୍ଭିସ ୱେବ୍ସାଇଟ୍‌ରେ ଅପ୍‌ଲୋଡ୍ କରୁଥିଲେ । ତା’ଛଡା ବିଭିନ୍ନ ସୋସିଆଲ ମିଡିଆରେ ଉକ୍ତ ଫଟୋକୁ ଡିପି ରଖି ପୌଢ଼ ଓ ଯୁବକଙ୍କ ସହ ଅନ୍‌ଲାଇନ୍‌ରେ ନକଲି ପ୍ରେମ ସମ୍ପର୍କ ରଖୁଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି ।