ୱାଶିଂଟନ : ଶନିବାର ଦିନ ( ୧୩ ଜୁନ) ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଜୟଶଙ୍କର ଓମାନ ଉପସାଗରୀୟ ଅଞ୍ଚଳରେ ଏକ ମର୍ଚାଣ୍ଟ ଜାହାଜ ଉପରେ ହୋଇଥିବା ଆମେରିକୀୟ ସେନା ହମଲାରେ ,ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁର ପ୍ରସଙ୍ଗ ଉଠାଇ ଥିଲେ। ହୋର୍ମୁଜରେ ସବୁ ଜାହାଜକୁ ଆମେରିକୀୟ ସେନାର ନିର୍ଦ୍ଦେଶକୁ ତୁରନ୍ତ ମାନିବା ଉଚିତ୍ ବୋଲି କଥାବାର୍ତ୍ତା ବେଳେ ମାର୍କୋ ରୁବିଓ ଜୟଶଙ୍କରଙ୍କୁ ଦୃଢ ଭାବେ କହିଥିଲେ।

ୟୁରୋପ ଯାତ୍ରାରେ ଯାଇଥିବା ଜୟଶଙ୍କରଙ୍କର ରୁବିଓ ସହ ଫୋନରେ କଥାବାର୍ତ୍ତା ହୋଇ ଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ , ଆମେରିକୀୟ ବୈଦେଶିକ ମନ୍ତ୍ରୀ ରୁବିଓ ଜୟଶଙ୍କରଙ୍କୁ କହିଥିଲେ , ସବୁ କମର୍ସିଆଲ ଜାହାଜକୁ ହୋର୍ମୁଜ ଷ୍ଟ୍ରେଟରେ ଆମେରିକୀୟ ସେନାର ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବା ଉଚିତ୍। ସେ ଜୟଶଙ୍କରଙ୍କୁ କହି ଥିଲେ ଯେ, ଆମେରିକା ଅବରୋଧର ଉଲ୍ଲଙ୍ଘନ ଓ ଇରାନୀ ତୈଳର ଅବୈଧ ପରିବହନକୁ ବରଦାସ୍ତ କରାଯିବ ନାହିଁ।

୮ ଜୁନରେ ଆମେରିକାର ସେନା ପଲାଉ ପତାକା ଯୁକ୍ତ ତୈଳ ଟ୍ୟାଙ୍କର ‘ମେରିଭେକ୍ସ’କୁ ବୁଡାଇ ଦେଇଥିଲା, ଯେଉଁଥିରେ ୨୪ ଜଣ ଭାରତୀୟ ନାବିକ ବସି ଥିଲେ। ସବୁ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଥିଲା। ୧୦ଜୁନରେ ଆମେରିକା ପଲାଉର ପତାକା ଥିଲା ଆଉ ଏକ ଟ୍ୟାଙ୍କର ସେଟେବେଲୋ ଉପରେ ଆକ୍ରମଣ କରିଥିଲା , ଯେଉଁଥିରେ ବସି ଥିବା ୨୪ ଜଣ ଭାରତୀୟ ନାବିକଙ୍କ ମଧ୍ୟରେ ତିନି ଜଣଙ୍କର ମୃତ୍ୟୁ ହୋଇ ଥିଲା। ଗୁରୁବାର ଆଉ ଏକ ଜାହାଜ ଜଳବୀର ଉପରେ ହମଲା ହୋଇ ଥିଲା, ଯାହା ଗିନି-ବିସାଉର ପତାକା ଥିବା ଟ୍ୟାଙ୍କର ଥିଲା ଏବଂ ଯେଉଁଥିରେ ୨୦ ଜଣ ଭାରତୀୟ ଥିଲେ।

ଉଲ୍ଲେଖନୀୟ ଯେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର କମର୍ସିଆଲ ଜାହାଜ ବିରୋଧରେ ଆମେରିକୀୟ ସେନାର ପ୍ରାଣଘାତୀ କାର୍ଯ୍ୟାନୁଷ୍ଠାନକୁ ଭୁଲ୍ ଦର୍ଶାଇ ଥିଲେ । ଜୟଶଙ୍କର ସୋସିଆଲ ମିଡିଆରେ କହିଥିଲେ – ଆଜି ସନ୍ଧ୍ୟାରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ କଥା ହୋଇଥିଲି। ମୁଁ ଉପସାଗରରେ ଆମେରିକୀୟ ନୌସେନାର ସେହି ଆକ୍ରମଣକୁ ଭାରତର କଡ଼ା ବିରୋଧରୁ ଦୋହରାଇ ଥିଲି ,ଯେଉଁଥିରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିଲା। ସେ କହିଥିଲେ – କମର୍ସିଆଲ ସିପିଂ ବିରୋଧରେ ଏମିତି ପ୍ରାଣଘାତୀ କାର୍ଯ୍ୟାନୁଷ୍ଠାନ ଉଚିତ୍ ନୁହେଁ।

ଏହା ପୂର୍ବରୁ , ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ହୋର୍ମୁଜରୁ ବାହାରୁ ଥିବା ଭାରତୀୟ ଜାହାଜ ଉପରେ ଡ୍ରୋନ୍ ହମଲା କରିବାର ଅଭିଯୋଗ କରିଥିଲେ। ଏହି କାର୍ଯ୍ୟାନୁଷ୍ଠାନକୁ ସଂପୂର୍ଣ୍ଣ ଅସ୍ୱୀକାର୍ଯ୍ୟ କହିଥିଲେ । ଅନ୍ୟପଟେ କିନ୍ତୁ ତେହେରାନ ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ଥିଲା।

ଏହାସହ ମଧ୍ୟ ପଢନ୍ତୁ : US-Iran Deal :୨୪ ଘଣ୍ଟା ମଧ୍ୟରେ ଆମେରିକା – ଇରାନ ମଧ୍ୟରେ ମହା ଡିଲ୍ ...ପାକ୍ ସିଏମ୍ ଶହବାଜ ସରିଫଙ୍କ ବଡ଼ ଘୋଷଣା