ମେଡିକାଲ ସିଟ୍ ନାଁରେ ଠକେଇ ମାମଲା: ୨ ଦିନିଆ ରିମାଣ୍ଡରେ ଦୁଇ ଠକ

ଚନ୍ଦ୍ରଶେଖରପୁର,୨୩/୦୫: ମେଡିକାଲ କଲେଜରେ ନାମଲେଖା ନାଁରେ ୨ ଅନ୍ତଃରାଜ୍ୟ ଠକଙ୍କୁ ଇନଫୋସିଟି ଥାନା ପୁଲିସ ୨ ଦିନିଆ ରିମାଣ୍ଡରେ ଆଣିଛି । ୨ ଠକ ହରିୟାଣାର ଜଣେ ଆଶାୟୀ ଛାତ୍ରଙ୍କୁ ଜାଲରେ ଫସାଇବାରେ ଫେଲ ମାରିଥିବା ନେଇ ପୁଲିସ ତଥ୍ୟ ହାତେଇଛି । ଏହାବାଦ୍ ଅନ୍ୟ କେଉଁମାନଙ୍କୁ ଠକିଛନ୍ତି, ଏନେଇ ପଚରାଉଚରା ଚଳାଇଛି ।
ଦୁଇ ଠକ ଅଭିମନ୍ୟୁ କୁମାର ସିଂହ ଓ ସୁଗତ ଚୌଧୁରୀଙ୍କୁ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଆଜି ୩ ଘଣ୍ଟା ଧରି ଜେରା କରିଥିଲା । ଉଭୟେ କହିଛନ୍ତି ଯେ, ଗତ ବର୍ଷ ହରିଆନାର ଜଣେ ଯୁବକଙ୍କୁ ଜାଲରେ ଫସାଇଥିଲେ । ଖଣ୍ଡଗିରିରେ ଥିବା ଏକ ଘରୋଇ ମେଡିକାଲ କଲେଜରେ ସିଟ୍ ଦେବାକୁ କହି ପଛରେ ପଡି଼ ଯାଇଥିଲେ । ଉକ୍ତ କଲେଜର ଉଚ୍ଚପଦସ୍ଥ ଅଧିକାରୀ ଉଭୟଙ୍କ ଚିହ୍ନା ବୋଲି ମିଛ କାହାଣୀ କହିଥିଲେ । ଅଭିମନ୍ୟୁ ଓ ସୁଗତ ସିଟ୍ ବାବଦକୁ ୩୦ ଲକ୍ଷ ଟଙ୍କା ଦେବା ପାଇଁ ଉକ୍ତ ଯୁବକଙ୍କୁ ଡିମାଣ୍ଡ କରିଥିଲେ । ହେଲେ ହରିଆଣାର ଯୁବକ କିଛି ଦିନ କଥା ହେବା ପରେ ଉଭୟଙ୍କୁ ଟଙ୍କା ଦେବାକୁ ମନା କରିଦେବା ପରେ ଠକଙ୍କ ପ୍ଲାନ୍ ଫେଲ ମାରିଥିଲା । ସେହିପରି ଆହୁରି ୪ ଯୁବକ ଓ ଯୁବତୀଙ୍କୁ ସିଟ୍ ଦେବା ପାଇଁ ଉଭୟେ ଥୋପ ପକାଇଥିଲେ । ସେମାନଙ୍କ ସହ ଫୋନରେ କଥାବାର୍ତ୍ତା ଚଳାଇଥିଲେ । ହେଲେ କେହି ରାଜି ହୋଇନଥିଲେ ।