ବିନିକା,୨୬/୧୦: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଜାଲ୍ ନୋଟ୍ ସିଣ୍ଡିକେଟ୍ । ରବିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାକେଟର ପର୍ଦ୍ଦାଫାଶ କରିଛନ୍ତି । ଏହା ସହିତ ଜାଲ୍ ନୋଟ୍ କାରବାରରେ ଲିପ୍ତ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କହିଛନ୍ତି । ବିନିକା ପୁଲିସ ସେମାନଙ୍କ ନିକଟରୁ ୮୦୩ ଟି ୫୦୦ ଟଙ୍କିଆ ନକଲି ନୋଟ୍ ସହ ୩ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ରବିବାର ବିନିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ୨୫ ତାରିଖ ବିଳମ୍ବିତ ରାତିରେ ଜାଲ୍ ନୋଟ୍ କାରବାର ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ । ଯାହା ପରେ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଏନେଇ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିନିକା ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଅଭିଯୁକ୍ତମାନଙ୍କୁ ପୁଲିସ ଥାନାକୁ ଆଣିବା ପରେ ଏନେଇ ଜେରା କରିଥିଲା। ଏନେଇ ବିନିକା ଥାନାରେ ମାମଲା ରୁଜୁ କରିଛି ।
ବିନିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ କହିଛନ୍ତି, ଏହି ଜାଲ୍ ନୋଟ୍ କାରବାର ପଡ଼ୋଶୀ ବରଗଡ଼ ଜିଲ୍ଲାକୁ ମଧ୍ୟ ତା'ର ଚେର ଲମ୍ବିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ବିନିକା ପୁଲିସ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଗିରଫ ୩ ଅଭିଯୁକ୍ତ ମାନେ ହେଲେ ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅଞ୍ଚଳ ରେଙ୍ଗାଲି ଗ୍ରାମର ଜୟନାରାୟଣ ବସ୍ତିଆ(୨୭ ବର୍ଷ), ବିନିକା ଥାନା ଫୁଲମୁଠୀ ଗ୍ରାମର ଅଭିଷେକ ହୋତା(୨୩ ବର୍ଷ) ଏବଂ ବିନିକା ସହର ବେତ୍ରାପଡ଼ାର ଅଶୋକ ନାଏକ(୨୮ ବର୍ଷ) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ସର୍ବମୋଟ୍ ୮୦୩ ଟି ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି । ଯାହାର ମୂଲ୍ୟ ୪ ଲକ୍ଷ ୧ ହଜାର ୫ ପାଞ୍ଚ ଶହ ଟଙ୍କା ବୋଲି ଏସପି ସୂଚନା ଦେଇଛନ୍ତି। ଏହି ଚଢଉରେ ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଥାନା ଏସଆଇ ତ୍ରିନାଥ ସାହୁ ଏବଂ ଷ୍ଟାଫ ସାମିଲ ହୋଇଥିଲେ। ଏହି କେସ୍ର ତଦନ୍ତ ଦାୟିତ୍ବ ବିନିକା ଥାନା ଏସଆଇ ପ୍ରସନ୍ନଜିତ ବେହେରାଙ୍କୁ ଦିଆଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି।