ସମ୍ବଲପୁର, ୧୨/୦୬: ଯୁବକଙ୍କୁ ଜାତିଆଣ ଆକ୍ଷେପ ମାମଲାରେ ମିଳୁଥିବା ସହାୟତା ରାଶିରୁ ଅର୍ଥ(ଲାଞ୍ଚ) ଦାବି କରୁଥିଲେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କିରାଣୀ । ୭୫ ହଜାର ଟଙ୍କାର ସହାୟତା ପାଇଁ ୨୦ ହଜାର ଟଙ୍କା । କିନ୍ତୁ ସହାୟତା ରାଶି ଅଧିକ ଥିବାରୁ ଅଧିକ ଅର୍ଥ ବି ଦାବି କରୁଥିଲେ । ତୁରନ୍ତ ଟଙ୍କା ଦିଅ, ନେହେଲ ବଦଳି ହୋଇଗଲେ ଆଉ କେହି କରିବେନି । ଏମିତି ଧମକ ମଧ୍ୟ ମିଳିଥିଲା । ପରେ ବାଧ୍ୟ ହୋଇ ସେମାନେ ଟଙ୍କା ଦେଇଥିଲେ । ଯାହାର ଅଡିଓ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବରୁ ପରମାଣପୁର ଅଞ୍ଚଳର ୩ ଜଣ ଯୁବକ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଥିଲେ । ଏଥିପାଇଁ ତାଙ୍କୁ କିଛି ସହାୟତା ରାଶି ମିଳିବାର ଥିଲା । କିନ୍ତୁ ଏହାକୁ ପାସ୍ କରିବାକୁ କିଛି ଅର୍ଥ ଦାବି କରିଥିଲେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳର କିରାଣୀ ସଂଯୁକ୍ତା ଭୋଇ । ଭାଇରାଲ୍ ହେଉଥିବା ଭିଡିଓରେ ସଂଯୁକ୍ତା କହିଛନ୍ତି, କୌଣସି ମାମଲାରେ ୭୫ ହଜାର ଟଙ୍କା ସହାୟତା ମିଳିଲେ ୨୦ ହଜାର ଟଙ୍କା ନିଆଯାଉଛି । ୧.୫ ଲକ୍ଷ ଟଙ୍କା ମିଳିଲେ ୪୦ ହଜାର ଟଙ୍କା ନିଆଯାଉଛି । ସେହି ଆଧାରରେ ସହାୟତା ରାଶି ବୃଦ୍ଧି ପାଇଲେ ପିସି ଟଙ୍କା ବି ବଢ଼ିବ । କାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିଛି ଜଣଙ୍କୁ ଏହି ଅର୍ଥରୁ ଦିଆଯାଉଛି । ପ୍ରଥମ ଫେଜ୍ରେ ୧୫ ହଜାର ଟଙ୍କା ଓ ଦ୍ୱି ତୀୟ ଫେଜ୍ରେ ମିଳୁଥିବା ଟଙ୍କାରୁ ୨୦ ହଜାର ଟଙ୍କା ଦେବାକୁ ହେବ । ପୂର୍ବରୁ ଅନେକ ମାମଲାରେ ଆମେ ପରେ ନେବାକୁ କହିଥିଲୁ । କିନ୍ତୁ କିଛି ମିଳିଲା ନାହିଁ । ତେଣୁ ଆଗୁଆ ନଦେଲେ ଫାଇଲ୍ ଆଗକୁ ଗଡ଼ିବ ନାହିଁ । ଏଭଳି ରୋକଠୋକ ଶୁଣାଇବା ପରେ ବ୍ୟକ୍ତି ଜଣଙ୍କ ତାଙ୍କୁ ୧୫ ହଜାର ଟଙ୍କା ଦେଇଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ୍ ହେଉଛି । ଏପଟେ, ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ ଆସିଥିବା ଜଣାପଡ଼ିଛି । ଘଟଣାରେ ୪ ଜଣିଆ ତଦନ୍ତ କମିଟି ଏହାକୁ ଯାଞ୍ଚ କରିଛନ୍ତି ।
ଅଧିକ ପଢ଼ନ୍ତୁ :- ଭଦ୍ରକରେ ବାଘୁଆ ମହୁମାଛି ଆତଙ୍କ; ଜଣେ ମହିଳା ମୃତ, ୧୨ରୁ ଅଧିକ ଆହତ
ଏ ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୃତ୍ୟୁଞ୍ଜୟ ବଡ଼ପଣ୍ଡା କହିଛନ୍ତି, ଘଟଣା ସମ୍ପର୍କରେ ଜିଲ୍ଲାପାଳ ଅବଗତ ଅଛନ୍ତି । ଏହି ମାମଲାରେ ୪ ଜଣିଆ କମିଟି ତଦନ୍ତ କରିଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସହକାରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଡେପୁଟି କଲେକ୍ଟର ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏହି ଟିମ୍ରେ ଥିଲେ । ତଦନ୍ତ ସରିବା ପରେ ଏବେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ । ଜାତି ସାଟିଫିକେଟ୍ କରିବାକୁ ନେଇ ଗତ କିଛି ଦିନ ପୂର୍ବରୁ ଜଣେ ଏଆର୍ଆଇ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ମାମଲାରେ ରାଜସ୍ୱ ବିଭାଗ ସମ୍ପୃକ୍ତ ଏଆର୍ଆଇଙ୍କୁ ନିଲମ୍ବନ କରିଛି । ହେଲେ ଏବେ ପୁଣି ଥରେ ସମାଜ ମଙ୍ଗଳ କାର୍ଯ୍ୟାଳୟର କିରାଣୀ ଲାଞ୍ଚ ମାଗିବା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛି ବୋଲି କୁହାଯାଇଛି ।