କଟକ,୧୨/୦୬: ଖାକିରେ ଲାଗିଛି କଳଙ୍କ । ଜଣେ ପୁଲିସ କନ୍ଷ୍ଟେବଲ୍ଙ୍କ ନାଁରେ ଆସିଛି ଦୁଷ୍କର୍ମ ଉଦ୍ୟମ ଭଳି ସଂଗିନ ଅଭିଯୋଗ । ଜଣେ ମହିଳା ସଫେଇ କର୍ମଚାରୀଙ୍କୁ କନ୍ଷ୍ଟେବଲ୍ ଜଣକ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏଭଳି ସ୍ପର୍ଶକାତର ଘଟଣା ଘଟିଛି ରାଜ୍ୟ ପୁଲିସ ମୁଖ୍ୟାଳୟ ପାଖରେ, କଟକ ବକ୍ସିବଜାର ପୁଲିସ ଲାଇନ୍ ଭିତରେ । ଏନେଇ ମହିଳା ସଫେଇ କର୍ମଚାରୀ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେବାପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ କନ୍ଷ୍ଟେବଲ୍ ହେଉଛି କଟକ ଗ୍ରାମାଞ୍ଚଳ ଜିଲ୍ଲା ରିଜର୍ଭ କାର୍ଯ୍ୟାଳୟରେ କାମ କରୁଥିବା ବଡ଼ମ୍ବାର ପରେଶ ସାମଲ (୪୯) । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଘଟଣାର ଗୁରୁତ୍ୱକୁ ଦେଖି କନ୍ଷ୍ଟେବଲ୍ ପରେଶକୁ କଟକ ଗ୍ରାମାଞ୍ଚଳ ଏସ୍ପି ଚାକିରିରୁ ନିଲମ୍ବନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗତ ବୁଧବାର ଭୋର୍ ସମୟ । ରାଜ୍ୟ ପୁଲିସ ମୁଖ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂର ୱାର୍ଡ ନମ୍ବର-୧୫ର ସଫେଇ ଦାୟିତ୍ୱରେ ଥିବା ୪୬ ବର୍ଷର ଜଣେ ମହିଳା ଠିକା କର୍ମଚାରୀ ଝାଡ଼ୁ ମାରୁଥାନ୍ତି । ଝାଡ଼ୁ କରି କରି ସେ କଟକ ଗ୍ରାମାଞ୍ଚଳ ରିଜର୍ଭ କାର୍ଯ୍ୟାଳୟ ପାଖରେ ପହଞ୍ଚିଥିଲେ । ଏହି ସମୟରେ ଅଭିଯୁକ୍ତ କନ୍ଷ୍ଟେବଲ୍ ପରେଶ ରିଜର୍ଭ କାର୍ଯ୍ୟାଳୟ କ୍ୟାମ୍ପସ୍ରୁ ବାହାରିଆସି ସଫେଇ କର୍ମଚାରୀଙ୍କୁ ପଛରୁ ମାଡି ବସିଥିଲେ । ଭୋର୍ ସମୟ ହୋଇଥିବାରୁ ହଠାତ୍ ମହିଳା ଜଣକ ପରେଶଙ୍କୁ ଦେଖି ପାରିନଥିଲେ । କିନ୍ତୁ ସେ ପାଟି କରିଥିଲେ । ତଥାପି ପରେଶ ତାଙ୍କୁ ଧରିନେଇ ଅସଦାଚରଣ କରିଥିଲେ । ତେବେ ପୀଡ଼ିତା କୌଶଳକ୍ରମେ ସେଠାରୁ ଖସି ପୁଲିସ ମୁଖ୍ୟାଳୟ ଅଭିମୁଖେ ଦୌଡ଼ିଥିଲେ ।
ଗତକାଲି ନବନିର୍ମାଣ ଶ୍ରମିକଙ୍କ ଧାରଣା ପାଇଁ କିଛି କିଛି ଫୋର୍ସ ଆସି ସେଠାରେ ରୁଣ୍ଡ ହେଉଥାନ୍ତି । ମହିଳା ଜଣେ ଦୌଡ଼ି ଆସୁଥିବା ଦେଖି ସେମାନେ ଅଟକାଇ ଘଟଣା ବୁଝିଥିଲେ । ପୀଡ଼ିତା ନିଜ ସହିତ ଘଟିଥିବା କଥା କହିବାରୁ ତୁରନ୍ତ କ୍ୟାଣ୍ଟନମେଣ୍ଟ ଥାନାକୁ ସୂଚନା ଦିଆଗଲା । ମାତ୍ର ଥାନା କର୍ମଚାରୀ ପହଞ୍ଚିଲା ବେଳକୁ ଅଭିଯୁକ୍ତ ପରେଶ ସେଠାରୁ କେଉଁଆଡ଼େ ପଳାଇଥିଲା । ଏହାପରେ ସଫେଇ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସଂପର୍କରେ ଜଣାଇବା ସହିତ ଥାନାରେ ଏତଲା ଦେଇଥିଲେ । ସଂଗିନ ଅଭିଯୋଗ ହୋଇଥିବାରୁ ପୁଲିସ ତତ୍ପରତା ଦେଖାଇଥିଲା । ତୁରନ୍ତ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା । ଏହାପରେ ଅଭିଯୁକ୍ତକୁ ଖୋଜିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା । ଗୁରୁବାର ସକାଳେ ଅଭିଯୁକ୍ତ ପରେଶଙ୍କୁ ତାଙ୍କ ଦେଉଳସାହିସ୍ଥିତ ଭଡ଼ା ଘରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଅଧିକ ପଢ଼ନ୍ତୁ :- STF ପଞ୍ଜାରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ; ୨ ଗିରଫ, ୫୦ ଲକ୍ଷର ଗଞ୍ଜେଇ ଜବତ
ଏହି ଘଟଣା ନେଇ କ୍ୟାଣ୍ଟନମେଣ୍ଟ ଥାନା ପକ୍ଷରୁ ଗ୍ରାମାଞ୍ଚଳ ରିଜର୍ଭ କାର୍ଯ୍ୟାଳୟ ଓ ଏସ୍ପିଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା । ଅଭିଯୋଗ ପାଇବା ପରେ ଗ୍ରାମାଞ୍ଚଳ ଏସ୍ପି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅଭିଯୁକ୍ତ ପରେଶଙ୍କୁ ଗ୍ରାମାଞ୍ଚଳ ଏସ୍ପି ବିନୀତ ଅଗ୍ରୱାଲ୍ ଚାକିରିରୁ ନିଲମ୍ବନ କରିଛନ୍ତି । ତେବେ ରାଜ୍ୟ ପୁଲିସ ମୁଖ୍ୟାଳୟଠାରୁ ମାତ୍ର କେଇହାତ ଦୂରରେ ଖୋଦ୍ ଜଣେ ପୁଲିସ କର୍ମଚାରୀ ମହିଳା ସଫେଇ କର୍ମଚାରୀ (ଝାଡ଼ୁଦାର)ଙ୍କୁ ବଳାତ୍କାର ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଶହଶହ ପୁଲିସ କର୍ମଚାରୀ, ଅଧିକାରୀଙ୍କ ରହଣି ସହ ନିକଟରେ ମହିଳା ଥାନା ଥାଇ ମଧ୍ୟ ଏଭଳି ଘଟଣା ଘଟିବା ନାନା ପ୍ରଶ୍ନ ସୃଷ୍ଟି କରିଛି ।