କଟକ ୧୧/୦୬: କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତଦେହ ମିଳିବା ମାମଲାରେ ବଢ଼ିଲା ଓଏଏସ୍ ପ୍ରେମିକ ଭୀମସେନ ପ୍ରସାଦ ଟୁଡ଼ୁ ପାଇଁ ଅଡୁଆ। ପୁରୁଷ ବନ୍ଧୁ ଅଭିଯୁକ୍ତ ଓଏଏସ୍ ଅଧିକାରୀଙ୍କ ବିରୋଧରେ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଅଭିଯୁକ୍ତ ଏବେ ମୋବାଇଲ୍ ଫୋନ୍ ସୁଇଚଡ୍ ଅଫ୍ କରି ଫେରାର ଥିବାରୁ ପୁଲିସ ତାଙ୍କୁ ଖୋଜାଖୋଜି ଚଳାଇଛି । ସମ୍ପୃକ୍ତ ଓଏଏସ୍ ଅଧିକାରୀଙ୍କ ପରିବାରରୁ ତାଙ୍କ ବାପା, ମାଆ, ଭଉଣୀ, ଭାଇ ଏବଂ ଭିଣୋଇଙ୍କୁ ବାରଙ୍ଗ ଥାନା ପୁଲିସ ଜେରା କରି ଛାଡ଼ିଥିବାର ସୂଚନା ମିଳିଛି । ପୁଅକୁ ତୁରନ୍ତ ଆଣି ଥାନାରେ ପହଞ୍ଚାଇବା ପାଇଁ ପରିବାର ଲୋକଙ୍କୁ ତଦନ୍ତକାରୀ ଅଧିକାରୀ କହିଛନ୍ତି । ଅଭିଯୁକ୍ତ ବିରୋଧରେ ପୁଲିସ ସଙ୍ଗୀନ ଦଫାରେ ଲଗାଇଛି । ଯାହା ଓଏଏସ୍ ଅଧିକାରୀଙ୍କୁ ଆଇନ ଫାଶରୁ ଖସିବା କଷ୍ଟକର ବ୍ୟାପାର ହୋଇଛି । ତେଣୁ ସେ ପୁଲିସ ହାତରେ ଧରାନପଡ଼ିବା ପାଇଁ ବାହାରେ ଆତ୍ମଗୋପନ କରିଥିବା କୁହାଯାଉଛି ।
ଅନ୍ୟପଟେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ (୨୯)ଙ୍କର ବ୍ୟବଚ୍ଛେଦ ରିପୋର୍ଟ ବାରଙ୍ଗ ଥାନା ପୁଲିସର ହସ୍ତଗତ ହୋଇଛି । ଚନ୍ଦ୍ରିକାଙ୍କର ପାଣି ବୁଡ଼ି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଏସ୍ସିବି ମେଡିକାଲ୍ର ଏଫ୍ଏମ୍ଟି ବିଭାଗ ଡାକ୍ତର ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରିଥିବାର ସୂଚନା ମିଳିଛି । ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟାକାଣ୍ଡ ସମ୍ପର୍କରେ କୌଣସି ପ୍ରମାଣ ନାହିଁ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ :- ଚନ୍ଦ୍ରିକାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ; ପାଣିରେ ବୁଡ଼ି ଅଣନିଶ୍ବାସୀ ହୋଇ ଯାଇଛି ଜୀବନ, ନାହିଁ ହତ୍ୟାର ସୁରାକ୍
ଉଲ୍ଲେଖ ଯୋଗ୍ୟ ଯେ, ଗତ ୪ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ଅଳ୍ପ ପାଣିରୁ ବାରଙ୍ଗ ଥାନା ପୁଲିସ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର କରିଥିଲା । ଚନ୍ଦ୍ରିକାଙ୍କ ଘର ମୟୂରଭଞ୍ଜ ଓ ସେ ବାଲେଶ୍ୱର ମେଡିକାଲ୍ କଲେଜରେ ଏମ୍ବିବିଏସ୍ ପଢ଼ୁଥିଲେ । ମୃତଦେହ ମିଳିବା ପରେ ଚନ୍ଦ୍ରିକାଙ୍କ ମା’ ହୀରାମଣି ହାଁସଦା ବାରଙ୍ଗ ଥାନାରେ ଏକ ଏତଲା ଦେଇଥିଲେ ।