ନୂଆଦିଲ୍ଲୀ ୧୯/୦୫: ଗୁଜରାଟ ଜାମନଗର ଜିଲ୍ଲାର ଫଲ୍ଲା ଗାଁ ଏବେ ଚର୍ଚ୍ଚାରେ। ପାକିସ୍ତାନର ସାମୁଦ୍ରିକ ସୀମା ନିକଟରେ ଥିବା ଏହି ଗାଁର ଜନସଂଖ୍ୟା ହେଉଛି ପ୍ରାୟ ୬୦୦୦। ଶତ୍ରୁ ଦେଶର  ନିକଟରେ ସମ୍ବେଦନଶୀଳ ସ୍ଥାନରେ ଥିବାରୁ ଗାଁଟି ନିଜସ୍ୱ ସୁରକ୍ଷା ଭିତ୍ତିଭୂମି ବିକଶିତ କରିଛି । ସେଥିମଧ୍ୟରେ  ସିସିଟିଭି କ୍ୟାମେରା, ଜରୁରିକାଳୀନ ସାଇରନ୍‌, ଲାଉଡ୍‌ସ୍ପିକର ଓ ୱାକିଟକି  ଲଗାଇବା ଭଳି ବ୍ୟବସ୍ଥା ସାମିଲ । ଏହି ଅତ୍ୟାଧୁନିକ  ଉପକରଣ ଗାଁକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିଛି । 

ଏହାର ସମସ୍ତ ଶ୍ରେୟ  ସେଠାକାର ବାସିନ୍ଦାମାନଙ୍କୁ  ଯାଇଥାଏ । ଗ୍ରାମବାସୀ ମିଳିମିଶି  ଗାଁକୁ ଜଗିଥାନ୍ତି । ରାତି ସମୟରେ  ପାଟ୍ରୋଲିଂ କରିଥାନ୍ତି । କୌଣସି  ପ୍ରକାର ବିପଦପୂର୍ଣ୍ଣ ସ୍ଥିତିର  ମୁକାବିଲା ଲାଗି ସେଠାରେ ସମୟ ସମୟରେ  ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ  ହୋଇଥାଏ ।  

ଗାଁରେ ପ୍ରାୟ ୨୦ଟି ସିସିଟିଭି କ୍ୟାମେରା, ୩ଟି  ଜରୁରିକାଳୀନ ସାଇରନ୍‌, ଲାଉଡ୍‌ସ୍ପିକର ଓ ୬ଟି  ୱାକିଟକି ଲାଗିଛି । ଗ୍ରାମବାସୀଙ୍କ ମଧ୍ୟରୁ ପାଳିକରି  କିଛି ୱାକିଟକିର ଅପରେସନ୍‌ ସମ୍ଭାଳିଥାନ୍ତି । ଅନ୍ୟ  କେଇଜଣ ସାଇରନ୍‌ ଓ ଲାଉଡ୍‌ସ୍ପିକରରେ ଘୋଷଣାର  ଦାୟିତ୍ୱ ନେଇଥାନ୍ତି । ନିକଟରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା  ସମୟରେ ଏହି ଗାଁକୁ ବ୍ଲାକଆଉଟ୍‌ କରାଯାଇଥିଲା । ସେତେବେଳେ ଗାଁ ଲୋକେ ମିଶି ଲକ୍ଷେ ଟଙ୍କା ଯୋଗାଡ଼  କରିଥିଲେ । ସେହି ଟଙ୍କାରେ ଇନ୍‌ଭର୍ଟର ଓ ଅତିରିକ୍ତ  ଲାଉଡ୍‌ସ୍ପିକର କିଣାଯାଇଥିଲା ।