ନୂଆଦିଲ୍ଲୀ: ସମଗ୍ର ଦେଶ ଆଜି ଦୀପାବଳି ପାଳୁଛି । ସବୁ ଘରେ ଖୁସିର ପରିବେଶ । କିନ୍ତୁ ଏହାରି ଭିତରେ ଭାରତୀୟ ସିନେ ଜଗତରୁ ଆସିଛି ଦୁଃଖ ଖବର । ସିନେ ଜଗତ ଜଣେ ବରିଷ୍ଠ କଳାକାରଙ୍କୁ ହରାଇଛି । ବିଶିଷ୍ଟ ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନୀ ଆଉ ନାହାନ୍ତି । ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଛନ୍ତି ନିଜ ଅଭନୟରେ ଦର୍ଶକଙ୍କୁ କିମିଆ କରୁଥିବା ଅଭିନେତା ଅସରାନୀ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।
ଏହି ବରିଷ୍ଠ ଅଭିନେତା ବହୁତ ଦିନ ଧରି ଅସୁସ୍ଥ ଥିଲେ। ସେ ପାଞ୍ଚ ଦିନ ଧରି ହସ୍ପିଟାଲରେ ଥିଲେ ଏବଂ ଆଜି ଅପରାହ୍ନ ୩ଟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ପୂର୍ବରୁ, ଅସରାନୀ ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଅସରାନୀଙ୍କ ପୂରା ନାମ ଥିଲା ଗୋବର୍ଦ୍ଧନ ଅସରାନୀ। ସେ ରାଜସ୍ଥାନର ଜୟପୁରର ବାସିନ୍ଦା ଥିଲେ। ସେ ୧୯୬୭ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ହରେ କାଞ୍ଚ କି ଚୁଡ଼ିୟାଁ’ରେ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କର ୫୮ ବର୍ଷର ଚଳଚ୍ଚିତ୍ର କ୍ୟାରିଅରରେ ଅସରାନୀ ନିଜର ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅସରାନୀଙ୍କ ମ୍ୟାନେଜର ବାବୁ ଭାଇ କହିଛନ୍ତି ଯେ, ଅସରାନୀଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆସରାନୀଙ୍କ ଛାତିରେ ପାଣି ଜମିଥିବା ନେଇ ଜାଣିବାକୁ ପାଇଥିଲେ ଡାକ୍ତର । ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସମସ୍ତଙ୍କ ପ୍ରିୟ ଅଭିନେତା ଅସରାନୀ ।
ସେପଟେ ତାଙ୍କ ମୃତ୍ୟୁ ପରେ ଖବର ପ୍ରଚାର ନକରିବାକୁ ନିଜ ପତ୍ନୀଙ୍କୁ ଅସରାନୀ କହିଥିଲେ । ତେଣୁ ମୃତ୍ୟୁ ପରେ ଅସରାନୀଙ୍କୁ ପରିବାର ଲୋକଙ୍କ ଗହଣରେ ମଣାଶୀକୁ ନିଆଯାଇଥିଲା ଏବଂ ଶେଷକୃତ୍ୟ କରାଯାଇଥିଲା ବୋଲି ତାଙ୍କ ମ୍ୟାନେଜର କହିଛନ୍ତି । ମୁମ୍ବାଇର ଶାନ୍ତିନଗର ଶ୍ମଶନରେ ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ଗୋବର୍ଦ୍ଧନ ଅସରାନୀ । ବିଶିଷ୍ଟ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ।
ଅସରାନୀଙ୍କ ଫିଲ୍ମ କ୍ୟାରିୟର:
ପାଠପଢ଼ା ସମାପ୍ତ କରିବା ପରେ ଅସରାନୀ ୧୯୬୦ ରୁ ୧୯୬୨ ପର୍ଯ୍ୟନ୍ତ ଅଭିନୟ ଶିଖିଥିଲେ। ୧୯୬୨ ମସିହାରେ, ସେ କାମ ଖୋଜିବା ପାଇଁ ମୁମ୍ବାଇ ଆସିଥିଲେ। ୧୯୬୩ ମସିହାରେ ଅସରାନୀ କିଶୋର ସାହୁ ଏବଂ ହୃଷୀକେଶ ମୁଖାର୍ଜୀଙ୍କୁ ଭେଟିଥିଲେ। ସେମାନେ ଅସରାନୀଙ୍କୁ ବୃତ୍ତିଗତ ଭାବରେ ଅଭିନୟ ଶିଖିବାକୁ ପରାମର୍ଶ ଦେଇଥିଲେ। ୧୯୬୪ ମସିହାରେ, ଅସରାନୀ ପୁନେର ଫିଲ୍ମ ଇନଷ୍ଟିଚ୍ୟୁଟରେ ନାମ ଲେଖାଇ ଅଭିନୟ ଶିଖିଥିଲେ। ଅସରାନୀଙ୍କୁ ପ୍ରଥମ ସୁଯୋଗ ମିଳିଥିଲା ‘ହରେ କାଞ୍ଚ କି ଚୁଡ଼ିୟାଁ’ଚଳଚ୍ଚିତ୍ରରେ। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ବିଶ୍ୱଜିତଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ।
ପ୍ରଥମ ଫିଲ୍ମରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଅସରାନୀ ରାଜେଶ ଖାନାଙ୍କ ସହିତ ୨୫ଟି ଫିଲ୍ମ କରିଥିଲେ । ୧୯୬୭ ମସିହାରେ ସେ ଏକ ଗୁଜରାଟୀ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେ ଅନ୍ୟ ୪ଟି ଗୁଜରାଟୀ ଫିଲ୍ମରେ ଅଭିନୟ କରିଥିଲେ। ୧୯୭୧ ପରେ, ଅସରାନୀଙ୍କୁ ଜଣେ ହାସ୍ୟ ଅଭିନେତା କିମ୍ବା ଫିଲ୍ମରେ ଜଣେ ଅଭିନେତାଙ୍କ ବନ୍ଧୁ ଭୂମିକା ମିଳିବା ଆରମ୍ଭ ହୋଇଥିଲା। ସେ ୧୯୭୦ ରୁ ୧୯୭୯ ପର୍ଯ୍ୟନ୍ତ ୧୦୧ଟି ଫିଲ୍ମରେ କାମ କରିଥିଲେ। 'ନମକ ହରାମ' ଫିଲ୍ମରେ କାମ କରିବା ପରେ, ଅସରାନୀ ଏବଂ ରାଜେଶ ଖାନ୍ନା ବନ୍ଧୁ ହୋଇଗଲେ। ଏହା ପରେ, ରାଜେଶ ଖାନା ଯେଉଁ ଫିଲ୍ମରେ କାମ କରୁଥିଲେ, ସେ ପ୍ରଯୋଜକଙ୍କୁ ଅସରାନୀଙ୍କୁ ମଧ୍ୟ କାମ ଦେବାକୁ କହୁଥିଲେ। ଅସରାନୀ ରାଜେଶ ଖାନାଙ୍କ ସହିତ ୨୫ଟି ଫିଲ୍ମରେ କାମ କରିଥିଲେ।
ଅସରାନୀ ଅନେକ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିଲେ | ଏହି ତାଲିକାରେ 'ଶୋଲେ', 'ଚୁପକେ ଚୁପକେ', 'ଛୋଟି ସି ବାତ', 'ରଫୁ ଚକ୍କର', 'ଫକିରା', 'ହୀରା ଲାଲ ପନ୍ନାଲାଲ' ଏବଂ 'ପତି ପତ୍ନୀ ଔର ୱୋ' ଅନ୍ତର୍ଭୁକ୍ତ। ଅନେକ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିବା ଅସରାନୀ 'ଖୁନ ପସିନା’ରେ ସିରିୟସ ଭୂମିକାରେ ନଜର ଆସିଥିଲେ । ୨୦୦୦ ଦଶକରେ ଅସରାନୀ ଅନେକ କମେଡି ଚଳଚ୍ଚିତ୍ରରେ ସ୍ମରଣୀୟ ଅଭିନୟ କରିଥିଲେ | ଏଥିମଧ୍ୟରେ 'ଚୁପ୍ ଚୁପ କେ', 'ହେରା ଫେରି', 'ହଲଚଲ୍', 'ଦିଓ୍ବାନେ ହୁଏ ପାଗଲ୍', 'ଗରମ ମସାଲା', 'ଭାଗମ୍ ଭାଗ' ଏବଂ 'ମାଲାମାଲ୍ ' ସାମିଲ।