ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ନବ ନିର୍ମାଣର ଚାଷୀ ସମାବେଶ ଭଣ୍ଡୁର, ଦେଢ଼ ହଜାର ଚାଷୀ ଅଟକ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଚାଷୀଙ୍କ ପାଇଁ ରାଜଧାନୀ ମନା । ନବନିର୍ମାଣର ଚାଷୀ ସମାବେଶକୁ ପୁଣି ଥରେ ଭଣ୍ଡୁର କରିଛି ପୁଲିସ । ପୂର୍ବ ଅପେକ୍ଷା ଏଥର ଅଧିକ ସଂଗଠିତ ହୋଇ ପୁଲିସ୍‌ ଚାଷୀଙ୍କୁ ରୋକିବାରେ ସଫଳ ହୋଇଛି । ରେଳଷ୍ଟେସନ ଓ ଲୋୟର ପିଏମ୍‌ଜିରୁ ଏକ ହଜାରରୁ ଅଧିକ ଚାଷୀଙ୍କୁ ଉଠାଇ ନେଇଛି । ଏପରିକି ଏନ୍‌ଏଚ୍‌-୧୬ରେ ବସ୍‌, ଟ୍ରକକୁ ଜବରଦସ୍ତି ଅଟକାଇ ସହର ଭିତରକୁ ସେମାନଙ୍କୁ ବାଟ ଛାଡିନି । ଆନ୍ଦୋଳନକୁ ଆସିଥିବା ପାଖାପାଖି ଦେଢ଼ ହଜାରରୁ ଅଧିକ ଚାଷୀଙ୍କୁ ପୁଲିସ ଅଟକ ରଖିଛି । ବିନା ଅନୁମତିରେ ଚାଷୀଙ୍କ ଏଭଳି ଆଇନ୍‌ ଅମାନ୍ୟ ଆନ୍ଦୋଳନରେ ଏକରକମର ରୋକ୍‌ ଲଗାଇଛି ପୁଲିସ ।
ପ୍ରାଇସ୍‌, ପ୍ରେଷ୍ଟିସ୍‌ ଓ ପେନ୍‌ସନ୍‌କୁ ପ୍ରସଙ୍ଗ କରି ଆଜି ମହାସମାବେଶର ଡାକରା ଦେଇଥିଲା ନବ ନିର୍ମାଣ କୃଷକ ସଂଗଠନ । ସକାଳୁ ଶହ ଶହ ସଂଖ୍ୟାରେ ଚାଷୀ ରାଜଧାନୀକୁ ଆସିବା ଆରମ୍ଭ କରିଥିଲେ । ସେପଟେ ପୁଲିସ ସବୁ ଦିଗରୁ ଚାଷୀଙ୍କ ବାଟ ବନ୍ଦ ପାଇଁ ପ୍ରସ୍ତୁତି କରିଥିଲା । ତମାଣ୍ଡୋ, ହଂସପାଳ ଛକରେ ପୁଲିସ ଜଗି ରହି ଏନ୍‌ଏଚ୍‌ରେ ରାଜଧାନୀକୁ ଆସୁଥିବା ଗାଡି଼ଗୁଡିକୁ ଅଟକାଇଥିଲା । ଚାଷୀମାନଙ୍କୁ ଗାଡିରୁ ଖୋଜି ବାହାର କରି ଅଟକ ରଖିଥିଲା । ଆଠଗଡ, ଢ଼େଙ୍କାନାଳ, ଅନୁଗୁଳ ଓ କଟକ ଆଡୁ ଆସୁଥିବା ଶତାଧିକ ଚାଷୀଙ୍କୁ ତ୍ରିଶୁଳିଆ ବ୍ରିଜ୍‌ଠାରେ ଅଟକାଯାଇଥିଲା ।
ପୁଲିସକୁ ଚକ୍‌ମା ଦେଇ ଶତାଧିକ ଚାଷୀ ଧାରଣାସ୍ଥଳରେ ପହଞ୍ଚି ଧାରଣା ଦେଇଥିଲେ । ସେଠାରୁ ପୁଲିସ ସମସ୍ତ ଚାଷୀଙ୍କୁ ଉଠାଇ ନେଇଥିଲା । ହଜାରରୁ ଅଧିକ ଚାଷୀ ଟ୍ରେନ୍‌ ଯୋଗେ ଆସି ରେଳଷ୍ଟେସନରେ ଧାରଣା ଦେଇଥିଲେ । ଗିରଫ କରିବା ବେଳେ ସେମାନଙ୍କ ଆକ୍ରୋଶର ଶିକାର ହୋଇଥିଲା ପୁଲିସ । ଚାଷୀମାନେ କିଛି ପୁଲିସଙ୍କୁ ଘେରିଯାଇ ପିଟିଥିଲେ । ପରେ ଅଧିକ ଫୋର୍ସ ଆସି ଜଣ ଜଣ ସମସ୍ତ ଚାଷୀଙ୍କୁ ଷ୍ଟେସନରୁ ଗିରଫ କରିବା ପରେ ପରିସ୍ଥିତି ଥମିଥିଲା । ତଥାପି ଶତାଧିକ ଚାଷୀ ଏବେ ବି ଝାରପଡା ପଡିଆରେ ଅନଶନରେ ବସିଛନ୍ତି ।
ସଂଗଠନର ଆଭିମୁଖ୍ୟକୁ ନେଇ ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା । ସେ କହିଛନ୍ତି, ଚାଷୀଙ୍କ ସମସ୍ୟାକୁ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି । ଚାଷୀମାନେ ଉପକୃତ ହେଲା ଭଳି ବିଭିନ୍ନ ହିତକର ଯୋଜନା ପ୍ରଣୟନ କରୁଛନ୍ତି । ସଂଗଠନର ଦାବିଗୁଡିକୁ ନେଇ ଆଲୋଚନା ଚାଲିଛି । ସଦସ୍ୟମାନେ ନିଜ ମାନସିକତାରେ ପରିବର୍ତ୍ତନ ଆଣନ୍ତୁ । ସବୁବେଳେ ଆନ୍ଦୋଳନର ପନ୍ଥା ଆପଣାନ୍ତୁ ନାହିଁ ।
ପୁଲିସର କଡ଼ା ପଦକ୍ଷେପରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଭଳି ସଂଗଠନର ଧମକ ପାଣି ଫୋଟକା ଭଳି ମିଳାଇଯାଇଛି । ଚାଷୀନେତା ତଥା ସଂଗଠନ ସଂଯୋଜକ ଅକ୍ଷୟ କୁମାରଙ୍କୁ ଯାଜପୁର, ଶେଷଦେବଙ୍କୁ ଖୋର୍ଦ୍ଧାରୁ ପୁଲିସ ଗିରଫ କରିଛି । ସଂଗ୍ରାମ କେଶରୀ ମଲ୍ଲିକଙ୍କୁ କେନ୍ଦୁଝରରୁ, ମହେଶ୍ୱର ଜେନାଙ୍କୁ ନୟାଗଡରୁ ଓ ଉମାକାନ୍ତ ଭରତଙ୍କୁ ତମାଣ୍ଡୋରୁ ଅଟକ ରଖାଯାଇଛି । କଟକ, ଖୋର୍ଦ୍ଧା, ଚଣ୍ଡିଖୋଲ, ଅନୁଗୁଳୁ, ଢ଼େଙ୍କାନାଳ, କେନ୍ଦୁଝରରେ ମଧ୍ୟ ସଂଗଠନର ଆନ୍ଦୋଳନ ଚାଲିଥଲା । ସେଠାରୁ ଧାରଣାରତ ଚାଷୀଙ୍କୁ ଗିରଫ କରାଯାଇଛି । ସଂଗଠନର ଆଗାମୀ କାର୍ଯ୍ୟାକଳାପ ଉପରେ ପୁଲିସ ତୀକ୍ଷ୍ମ ନଜର ରଖିଛି ।
ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ସଂଗଠନ ବିଗତ ଦିନରେ ଏକାଧିକ ଥର ରାସ୍ତାରୋକ ଭଳି ଆଇନ୍‌ ଅମାନ୍ୟ ଆନ୍ଦୋଳନ କରିଛି । ୩ ତାରିଖରେ ଆଲୋଚନାକୁ ଡକାଯିବା ସତ୍ତେ୍ୱ କେହି ଜଣେ ବି ଆସିନଥିଲେ । ପୂର୍ବ ରେକର୍ଡ ଯୋଗୁଁ ଧାରଣାସ୍ଥଳରେ ଆନ୍ଦୋଳନ ପାଇଁ ଅନୁମତି ଦିଆଯାଇନଥିଲା ।
ସୂଚନାଯୋଗ୍ୟ, ୨୦୧୬ ଡିସେମ୍ବର ୧୧ ତାରିଖରେ ସଂଗଠନ ଆଇନ୍‌ ଅମାନ୍ୟ ଆନ୍ଦୋଳନ ଡାକରା ଦେଇଥିଲା । ହଜାର ହଜାର ସଂଖ୍ୟାରେ ଚାଷୀ ଚାରିଆଡୁ ରାଜଧାନୀ ମୁହାଁ ହୋଇଥିଲେ । ପୁଲିସ ସେମାନଙ୍କୁ ସହରରେ ପୁରାଇ ଦେଇନଥିଲା । ରସୁଲଗଡ, ଖଣ୍ଡଗିରିଠାରେ ଚାଷୀମାନଙ୍କୁ ଗିରଫ କରାଯାଇଥିଲା । ଗତବର୍ଷ ନଭେମ୍ବର ୪ରେ ମଧ୍ୟ ଏକ ବିରାଟ ପଦଯାତ୍ରା ଆୟୋଜନ କରିଥିଲା ସଂଗଠନ । ୨୦ ହଜାରରୁ ଅଧିକ ଚାଷୀ କୁଆଖିଆ ଓ ବାଲୁଗାଁରୁ ଆସି ରାଜଧାନୀ ଉପକଣ୍ଠ (ତମାଣ୍ଡୋ, ହଂସପାଳ)ରେ ଠୁଳ ହୋଇଥିଲେ । ସେଠାରେ ହିଁ ପୁଲିସ ସେମାନଙ୍କ ବାଟ ଜଗିଥିଲା । ଜଣେ ବି ଚାଷୀଙ୍କୁ ସହର ଭିତରକୁ ପୂରାଇ ଦେଇନଥିଲା । ଜାନୁଆରୀ ୭ ତାରିଖରେ ମଧ୍ୟ ସଂଗଠନ ପକ୍ଷରୁ ରାଜଭବନ ସାମ୍ନାରେ ପ୍ରତୀକାତ୍ମକ ଧାରଣା ଦିଆଯାଇଥିଲା ।

Copyright © 2022 - Summa Real Media Private Limited. All Rights Reserved.