ମିଳିଲା ପିଏମ୍-କିଷାନ ଟଙ୍କା

ଗୋରଖପୁର,୨୪ା୨(ଏଜେନ୍ସି): କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)’ ସ୍କିମ୍ ରବିବାର ଆରମ୍ଭ ହୋଇଛି । ରବିବାର ପ୍ରାୟ ୧ କୋଟିରୁ ଊଦ୍ଧ୍ୱର୍ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତିର ୨,୦୦୦ ଟଙ୍କା ସ୍ଥାନାନ୍ତର କରାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କିମ୍ର ଶୁଭାରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏ ଅବସରରେ ବିରୋଧୀ ଦଳକୁ ମଧ୍ୟ ସମାଲୋଚନା କରିଛନ୍ତି । କହିଛନ୍ତି, ସେମାନେ ୧୦ ବର୍ଷରେ ଥରେ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ମନେ ପକାଇଥାନ୍ତି । ଋଣ ଛାଡ଼ର ଲୋଭ ଦେଖାଇ ଭୋଟ୍ ହାତାଇଥାନ୍ତି ।
ଉତ୍ତର ପ୍ରଦେଶର ଗୋରଖପୁରରୁ ପିଏମ୍-କିଷାନର ଆରମ୍ଭ କରାଇ ମୋଦି କହିଛନ୍ତି, ସ୍କିମ୍ ଅଧୀନରେ ପ୍ରଥମ କିସ୍ତିର ୨,୦୦୦ ଟଙ୍କାକୁ ୧ କୋଟି ୧ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ଯେଉଁ ଚାଷୀମାନେ ପ୍ରଥମ କିସ୍ତି ଅର୍ଥ ପାଇବାରୁ ବାଦ୍ ପଡ଼ିଛନ୍ତିି, ଖୁବ୍ଶୀଘ୍ର ସେମାନଙ୍କ ବ୍ୟାଙ୍କ ଖାତାକୁ ଏହା ସ୍ଥାନାନ୍ତର ହେବ ।
ପ୍ରଧାନମନ୍ତ୍ରୀ ଏ ଅବସରରେ ବିଭିନ୍ନ ରାଜ୍ୟର କିଛି ବଛାବଛା ଚାଷୀ ଗ୍ରୁପ୍ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ ଓ ନିଜର ରାଜନୈତିକ ବିରୋଧୀଙ୍କ ଉପରେ ବର୍ଷିଥିଲେ । କଂଗ୍ରେସକୁ ଆକ୍ଷେପ କରି ମୋଦି କହିଛନ୍ତି, ସେମାନେ ୧୦ ବର୍ଷରେ ଥରେ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ମନେ ପକାନ୍ତି । ଋଣ ଛାଡ଼ର ଡିଣ୍ଡିମ ପିଟି ଭୋଟ୍ ହାତେଇବାକୁ ଟଙ୍କା ବାଣ୍ଟିଥାନ୍ତି । କିନ୍ତୁ ମୋଦି ଏଥର ସେମାନଙ୍କୁ ପର୍ଦାଫାଶ କରିବ ବୋଲି ସେମାନେ ଜାଣି ନ ଥିଲେ ।
ଜୟ ଜବାଦ, ଜୟ କିଷାନର ନାରା ଦେଇ ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ, ଏହି ୭୫,୦୦୦ କୋଟି ଟଙ୍କା ମୂଲ୍ୟର ସ୍କିମ୍ ଏକ ନିର୍ବାଚନୀ ପ୍ରତିଶ୍ରୁତି ନୁହେଁ । ସଂସଦରେ ସ୍କିମ୍ ପାଇଁ ବଜେଟ୍ ଆବଣ୍ଟନ ହେବା ପରେ ହିଁ ସେ ଏ ନେଇ କହିଥିଲେ ।
ସେ କହିଛନ୍ତି, ତାଙ୍କ ସରକାରଙ୍କ ପାଇଁ ମଧ୍ୟ ଋଣ ଛାଡ଼ ଏକ ସହଜ ଓ ସରଳ ବ୍ୟବସ୍ଥା ହୋଇ ପାରିଥାନ୍ତା । ନିର୍ବାଚନୀ ଫାଇଦା ପାଇବାକୁ ତାଙ୍କ ସରକାର ମଧ୍ୟ ଋଣ ଛାଡ଼ ନାମରେ ଟଙ୍କା ବାଣ୍ଟି ପାରିଥାନ୍ତା । କିନ୍ତୁ ବିଜେପି ସରକାର ଏଭଳି ପାପ କରିବାକୁ ଚାହେଁ ନାହିଁ । ଋଣ ଛାଡ଼ ସ୍କିମ୍ ଦ୍ୱାରା ବହୁତ କମ୍ ଚାଷୀ ଉପକୃତ ହୋଇଥାନ୍ତେ ।
ପୂର୍ବ ସରକାରଗୁଡ଼ିକରେ ହିତାଧିକାରୀଙ୍କ ପାଇଁ ପଠାଯାଉଥିବା ୧୦୦ ଟଙ୍କାରୁ ୮୫ ଟଙ୍କା ମଧ୍ୟସ୍ଥିଙ୍କ ଦ୍ୱାରା ବାଟମାରଣା ହେଉଥିଲା । କିନ୍ତୁ ଏବେ ସେ ଦିନ ଆଉ ନାହିଁ । ପିଏମ୍-କିଷାନ ସ୍କିମ୍ରେ ମଧ୍ୟସ୍ଥିର କୌଣସି ଭୂମିକା ନାହିଁ । ଫଳରେ କେହି ଚାଷୀ ନିକଟରୁ ତା’ର ଅଧିକାର ଛଡ଼ାଇ ନେଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଚାଷୀମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଏହା ତୁମମାନଙ୍କ ଟଙ୍କା । କେହି ଏହାକୁ ତୁମଠାରୁ ନେଇପାରିବେ ନାହିଁ । ସ୍କିମ୍କୁ ସମ୍ପୂର୍ଣ୍ଣ ନିରାପଦ ରଖାଯାଇଛି । ସମ୍ପୂର୍ଣ୍ଣ ସ୍ୱଚ୍ଛ ଭାବେ ସ୍କିମ୍କୁ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ରାଜ୍ୟ ସରକାରମାନେ ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେନ୍ଦ୍ରକୁ ହସ୍ତାନ୍ତର କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।
ଭିଡିଓ କନ୍ଫରେନ୍ସିଂ ଜରିଆରେ ଚାଷୀଙ୍କ ସହ ଆଲୋଚନା ବେଳେ ଓଡ଼ିଶାରୁ ପୁରୀ ଜିଲ୍ଲା ନୂଆସାହିର ଚାଷୀ ଗୌରୀ ମହାପାତ୍ର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାର ସୁଯୋଗ ପାଇଥିଲେ । ଚାଷୀଙ୍କ ଆୟ ଦ୍ୱି’ଗୁଣା କରିବାକୁ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନାର ଫାଇଦା ପାଇଥିବାରୁ ସେ ମୋଦିଙ୍କୁ କୃତଜ୍ଞତା ଜଣାଇଥିଲେ ।
ଅପରପକ୍ଷରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ଓଡ଼ିଶାରେ ପିଏମ୍-କିଷାନ ସ୍କିମ୍ର ଆରମ୍ଭ କରିଛନ୍ତି । ଆଇସିଏଆର୍-ସିଆଇଡବ୍ଲ୍ୟୁଏ ଦ୍ୱାରା ଆୟୋଜିତ ଏ କାର୍ଯ୍ୟକ୍ରମରେ ସେ ରାଜ୍ୟର ୧,୫୦୦ରୁ ଅଧିକ ଚାଷୀ, କୃଷି ବୈଜ୍ଞାନିକଙ୍କୁ କିଷାନ ଯୋଜନାର ଫାଇଦା ସମ୍ପର୍କରେ ଅବଗତ କରାଇଥିଲେ ।
ସୂଚନା ଥାଉକି, ଅନ୍ତରୀଣ ବଜେଟ୍ ୨୦୧୯-୧୦ରେ କେନ୍ଦ୍ର ସରକାର ପିଏମ୍-କିଷାନ ସ୍କିମ୍ ସମ୍ପର୍କରେ ଘୋଷଣା କରିଥିଲେ । ଏହି ସ୍କିମ୍ ଅଧୀନରେ ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଥିବା ଚାଷୀଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ଯୋଗା ଦିଆଯିବ । ଏହାଦ୍ୱାରା ଦେଶରେ ପ୍ରାୟ ୧୨ କୋଟି ଚାଷୀ ପରିବାର ଉପକୃତ ହେବେ ।