ନୂଆଦିଲ୍ଲୀ,୧୬।୧: ବିଭିନ୍ନ ଦାବୀ ନେଇ ପଞ୍ଜାବ ଓ ହରିୟାଣାର କିଛି କୃଷକ ଗତ କିଛି ମାସ ହେବ ଆନ୍ଦୋଳନ କରୁଛନ୍ତି। ସେ ପୁଣିଥରେ ଦିଲ୍ଲୀ ଚଲୋର ଡାକରା ଦେଇଛନ୍ତି। କୃଷକ ୟୁନିୟନ ନିଜର ଆନ୍ଦୋଳନକୁ ଆହୁରି ବଢାଇ ଗୁରୁବାର ଘୋଷଣା କରିଛି ୨୧ ଜାନୁଆରୀ ୨୦୨୫ ରୁ ପୁଣିଥିରେ ହରିୟାଣା ସୀମା ପାର କରିବାର ଚେଷ୍ଟା କରିବେ। ଏଥିରେ ୧୦୧ କୃଷକଙ୍କ ଦଳ ସାମିଲ ହେବ, ଯାହାଙ୍କ ନାଁ ରହିବ ’ ମରଜିଓ୍ବାଡା’। ଏହାର ଅର୍ଥ ହେଲା ନିଜ ଜୀବନ ଦେବାକୁ ପ୍ରସ୍ତୁତ।
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ୨୦୨୧ ରେ କୃଷି ଆଇନ୍ ବିରୋଧରେ କୃଷକଙ୍କ ଦ୍ବାରା ୨୬ ଜାନୁଆରୀରେ ବାହାର କରାଯାଇଥିବା ଟ୍ରାକ୍ଟର ରାଲି ବେଳେ ପ୍ରଦର୍ଶନକାରୀ ପୋଲିସ ବ୍ୟାରିକେଡ୍ ଡେଇଁ ସେଣ୍ଟ୍ରାଲ ଦିଲ୍ଲୀରେ ବଳପୂର୍ବକ ପଶିଥିଲେ। ଆନ୍ଦୋଳନକାରୀ କୃଷକ ଲାଲକିଲ୍ଲାର ପ୍ରାଚୀରରେ ନିଜର ପତକା ଉଡାଇଥିଲେ। ତେବେ ପରେ ତାଙ୍କର ପତାକାକୁ ଲାଲକିଲ୍ଲାରୁ ହଟାଇ ଦିଆଯାଇଥିଲା। ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ସେଠାରୁ ବାହାର କରିଦିଆଯାଇଥିଲା।
ଗତ ବର୍ଷ ୧୩ ଫେବୃଆରୀରୁ ଆନ୍ଦୋଳନ କରୁଥିବା କୃଷକ ଶମ୍ଭୁ ବର୍ଡରରୁ ଦିଲ୍ଲୀରେ ପଶିବାର ଚେଷ୍ଟା କରିବେ। ତେବେ ଏହା ପୂର୍ବରୁ କୃଷକମାନେ ତିନିଥର ଦିଲ୍ଲୀରେ ପଶିବାକୁ ଉଦ୍ୟମ କରିଥିଲେ ମଧ୍ୟ ସବୁଥର ବିଫଳ ହୋଇଛନ୍ତି। ଏହି କୃଷକମାନେ ୬,୮ ଓ ୧୪ ଡିସେମ୍ବରରେ ଦିଲ୍ଲୀ ଯାତ୍ରାର ଚେଷ୍ଟା କରିଥିଲେ। କିଷାନ ମଜଦୁର ସଂଘର ସଂଯୋଜକ ସର୍ବନ ସିଂହ ପନଣ୍ଢେର କହିଛନ୍ତି, ମୋତେ ଲାଗୁନି ସରକାର ଆମ ସହ କଥା ହେବେ। ଆମର ୧୦୧ କୃଷକଙ୍କ ଗୋଷ୍ଠୀ ୨୧ ଜାନୁଆରୀରେ ଏକ ଚେଷ୍ଟା କରିବେ। ଏବେ ସରକାରଙ୍କ ଉପରେ ନିଷ୍ପତ୍ତି ସେ ଆମର ଦାବୀ ପୂରଣ କରିବେ ନା ଆମକୁ ମାରିଦେବେ।’