ଜାତୀୟ ପତାକାକୁ ନେଇ ଫାରୁକ ଅବଦୁଲ୍ଲାଙ୍କ ଆପତ୍ତିଜନକ ମନ୍ତବ୍ୟ: କହିଲେ, ‘ତ୍ରିରଙ୍ଗାକୁ ନିଜ ଘରେ ରଖିଦିଅ’, ଭିଡିଓ ଭାଇରାଲ …

ଶ୍ରୀନଗର ୦୬/ ୦୭: ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସନାଲ କନଫରେନ୍ସ ପାର୍ଟି ମୁଖ୍ୟ ଫାରୁକ ଅବଦୁଲ୍ଲା ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରୁହନ୍ତି । ଏପରିକି ଦେଶର ନାଁ କୁ ନେଇ ମଧ୍ୟ ଅପ୍ରୀତିକର ମନ୍ତବ୍ୟ ଦେବା ତାଙ୍କର ରୀତିମତ ଅଭ୍ୟାସ । କେନ୍ଦ୍ର ସରକାରଙ୍କୁ ଘେରିବା ହେଉ କିମ୍ବା ଜାମ୍ମୁ କାଶ୍ମୀର ପ୍ରସଙ୍ଗ, କିଛି ନା କିଛି କଥା କହି ନିଆଁରେ ଘିଅ ଢାଳିବା ଯୋଗୁଁ ଫାରୁକ ଅବଦୁଲ୍ଲା ଦେଶ ଭିତରେ ବି ସମାଲୋଚନାର ଶିକାର ହୁଅନ୍ତି ।
ଏବେ କିନ୍ତୁ କେନ୍ଦ୍ର ସରକାର ନୁହେଁ କିମ୍ବା କୌଣସି ବ୍ୟକ୍ତି ବିଶେଷ ନୁହେଁ ବରଂ ଭାରତର ଜାତୀୟ ପତାକାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଫାରୁକ ଅବଦୁଲ୍ଲା । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଫାରୁକଙ୍କ ଲଜ୍ଜାଜନକ ବୟାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସାମ୍ନାଦିକ ଜଣକ ପ୍ରଶ୍ନ କରିଥିଲେ ଯେ, କେନ୍ଦ୍ର ସରକାରଙ୍କ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ନେଇ ଆପଣ କଣ କହିବେ? ଏହାର ଉତ୍ତର ଦେଇ ଫାରୁକ ଅବଦୁଲ୍ଲା କହିଛନ୍ତି, ‘ଔ ଅପନେ ଘର ମୈ ରଖନା’ । ଏହାର ଅର୍ଥ ଭାରତର ଜାତୀୟ ପତାକାକୁ ଅସମ୍ମାନ କରିବାକୁ ଯାଇ ‘ତାକୁ ନିଜ ଘରେ ରଖିଦିଅ’ ବୋଲି କହିଛନ୍ତି ।
ନେସନାଲ କନଫରେନ୍ସ ଦଳ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀନଗରର ଏକ ବଜାରରେ ଥିବା ଦୋକାନକୁ ଯାଇ ବାହାରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ । ପ୍ରଥମେ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବାବଦରେ ପ୍ରଶ୍ନ କରିଥିଲେ ଏବଂ ପରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ବାବଦରେ ପ୍ରଶ୍ନ କରିଥିଲେ । ଯାହାର ପ୍ରଶ୍ନରେ ଏଭଳି ଲଜ୍ଜାଜନକ ବୟାନ ରଖିଛନ୍ତି ଫାରୁକ ଅବଦୁଲ୍ଲା ।
ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଏବଂ ୩୫-ଏ ଉଚ୍ଛେଦ ହେବା ସମୟରେ ପିଡିପି ନେତ୍ରୀ ମେହବୁବା ମୁଫତୀ ମଧ୍ୟ ଭାରତର ଜାତୀୟ ପତାକାକୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ । ସେତେବେଳେ ସେ କହିଥିଲେ, ‘ଏଭଳି ଅସୁବିଧା ସମୟରେ ବି ଆମର ଏଠି(ଜାମ୍ମୁ କାଶ୍ମୀର)ର ଜନତା ଭାରତର ଜାତୀୟ ପତାକାକୁ ଧରୁଛନ୍ତି । ଯଦି ଏଠି ଧାରା ୩୫-ଏ ହଟାଯିବ ତେବେ ଏଠାରେ ତ୍ରିରଙ୍ଗାକୁ କାନ୍ଧ ଦେବାକୁ ବି ବଞ୍ଚିବେନି’।
ସୂଚନାଯୋଗ୍ୟ, ଆଜଦୀ କେ ଅମୃତ ମହୋତ୍ସବ ଆଧାରରେ କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୧୫ ତାରିଖରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଥିଲେ’। ଏହି ଆଧାରରେ ଜନସାଧାରଣଙ୍କୁ ନିଜ ଘରେ ତ୍ରିରଙ୍ଗା ପାତାକା ଉଡାଇବା ପାଇଁ ପ୍ରୋତ୍ସାହିତ କରିବା ଆରମ୍ଭ କରିଥିଲେ ।