ଚଣ୍ଡିଗଡ଼, ୧୫।୪: ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବସ୍ରେ ପ୍ରାୟ ୩୫ରୁ ୪୦ ଜଣ ଶ୍ରଦ୍ଧାଳୁ ଥିଲେ । ସମସ୍ତେ ଆନନ୍ଦପୁର ସାହିବ ଦର୍ଶନ ସାରି ନିଜ ଗାଁ 'ମେନ ମାଜରୀ'କୁ ଫେରୁଥିଲେ । ବସି ପଠାନା ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଏହା ବି ପଢ଼ନ୍ତୁ... ଆପ୍ ସାଂସଦଙ୍କୁ ବଡ଼ ଝଟକା: ସକାଳୁ ସକାଳୁ ଘରେ ପହଞ୍ଚିଲା ED; ଜଳନ୍ଧରରୁ ଦିଲ୍ଲୀ ଯାଏଁ ହଲଚଲ
ଘଟଣା ସମ୍ପର୍କରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ସେ ହଠାତ୍ ଏକ ଜୋରଦାର ଶବ୍ଦ ଶୁଣିବାକୁ ପାଇଥିଲେ । ଯେତେବେଳେ ସେ ଦୁର୍ଘଟଣାସ୍ଥଳକୁ ଦୌଡ଼ିଗଲେ, ଦେଖିଲେ ଯେ ବସଟି ଓଲଟି ପଡ଼ିଛି ଏବଂ ଭିତରେ ଥିବା ଯାତ୍ରୀମାନେ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି । ଗ୍ରାମବାସୀଙ୍କ କହିବା କଥା ଯେ, ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚି ନଥିଲା । ପ୍ରଥମେ ଗୋଟିଏ ଆମ୍ବୁଲାନ୍ସ ଆସିଥିବାରୁ ଅନେକ ଆହତଙ୍କୁ ସ୍ଥାନୀୟ ଲୋକେ ନିଜସ୍ୱ ଗାଡ଼ି ମାଧ୍ୟମରେ ହସ୍ପିଟାଲକୁ ନେଇଥିଲେ । ଗ୍ରାମବାସୀଙ୍କ ତ୍ୱରିତ ସହାୟତା ଯୋଗୁଁ ଅନେକ ଜୀବନ ବଞ୍ଚିଯାଇଛି ।
ଦୁର୍ଘଟଣାରେ ଆହତ ଜଣେ ମହିଳା କହିଛନ୍ତି ଯେ, ଚାଲୁଥିବା ଅବସ୍ଥାରେ ବସର ଗୋଟିଏ ଟାୟାର ହଠାତ୍ ଫାଟି ଯାଇଥିଲା । ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ବସଟି ଗୋଟିଏ ପଟକୁ ଢଳିଯାଇ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖମ୍ବରେ ପିଟି ହୋଇ ଓଲଟି ପଡ଼ିଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଯାତ୍ରୀମାନେ ନିଜ ସିଟ୍ରୁ ଛିଟିକି ପଡ଼ିଥିଲେ । ଫତେଗଡ଼ ସାହିବ ଏସଏସପି ଶୁଭମ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାଟି ରାତି ପ୍ରାୟ ୯:୩୦ରୁ ୧୦ଟା ମଧ୍ୟରେ ଘଟିଛି । ପ୍ରାଥମିକ ତଦନ୍ତରୁ ବସରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ୧୫ ଜଣ ଆହତଙ୍କୁ ମୋରିଣ୍ଡା ହସ୍ପିଟାଲ ଏବଂ ୯ ଜଣଙ୍କୁ ଫତେଗଡ଼ ସାହିବ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁଲିସ ଏବେ ବସଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।