ଚଣ୍ଡିଗଡ଼, ୧୫।୪: ଆମ ଆଦମୀ ପାର୍ଟି ପାଇଁ ବଢ଼ିଲା ଅଡ଼ୁଆ । ଅରବିନ୍ଦ କେଜ୍ରିୱାଲଙ୍କ ଅତ୍ୟନ୍ତ ଘନିଷ୍ଠ ତଥା ରାଜ୍ୟସଭା ସାଂସଦ ଡକ୍ଟର ଅଶୋକ କୁମାର ମିତ୍ତଲଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି । ଜଳନ୍ଧର ସ୍ଥିତ ତାଙ୍କ ବାସଭବନ ସମେତ ବିଭିନ୍ନ ପ୍ରତିଷ୍ଠାନରେ ଆଜି ସକାଳୁ ଇଡି ଟିମ୍ ପହଞ୍ଚି ତନାଘନା ଜାରି ରଖିଛି । ସୂଚନା ଅନୁଯାୟୀ, ବୈଦେଶିକ ମୁଦ୍ରା ପରିଚାଳନା ଆଇନ (FEMA) ର ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନ୍ୟୁଜ୍ ଏଜେନ୍ସି ANIର ରିପୋର୍ଟ ଅନୁସାରେ, ଅଶୋକ ମିତ୍ତଲଙ୍କ ସହ ଜଡ଼ିତ ଅନେକ ପରିସରରେ ଇଡି ଅଧିକାରୀମାନେ ଯାଞ୍ଚ କରୁଛନ୍ତି । ନିକଟରେ ରାଘବ ଚଢ଼ାଙ୍କ ସ୍ଥାନରେ ତାଙ୍କୁ ରାଜ୍ୟସଭାରେ ଦଳର 'ଡେପୁଟି ଲିଡର' ଭାବେ ନିଯୁକ୍ତି ମିଳିଥିଲା । ଏଭଳି ସମୟରେ ଏହି ଚଢ଼ାଉ ଦଳ ପାଇଁ ଏକ ଶକ୍ତ ଧକ୍କା ସଦୃଶ ହୋଇଛି । 

ଏହା ବି ପଢ଼ନ୍ତୁ... Traffic Police : ଖରାରେ ଆଉଟୁ ପାଉଟୁ ଟ୍ରାଫିକ୍ ପୁଲିସ୍, ଉଭାନ ହୋଇଗଲା 'ଏସି ହେଲ୍‌ମେଟ୍, କୁଲିଂ ଜ୍ୟାକେଟ୍'

'ନିଜ ସୀମାରେ ରୁହ': ଭଗବନ୍ତ ମାନ

ଏହି ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କେନ୍ଦ୍ର ସରକାର ଓ ବିଜେପି ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ପୋଷ୍ଟ କରି ଲେଖିଛନ୍ତି, "ଭାଜପା ପକ୍ଷରୁ ପଞ୍ଜାବ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆମ ଆଦମୀ ପାର୍ଟିର ସାଂସଦ ଅଶୋକ ମିତ୍ତଲଙ୍କ ଘର ଓ ୟୁନିଭର୍ସିଟିରେ ଇଡି ଚଢ଼ାଉ ହେଉଛି 'ଟିପିକାଲ ମୋଦୀ ଷ୍ଟାଇଲ' । ଆମେ ସେହି ପତ୍ର ନୁହେଁ ଯିଏ ଡାଳରୁ ଛିଣ୍ଡି ପଡ଼ିବୁ, ବାତ୍ୟାକୁ କହିଦିଅ ସେ ଯେମିତି ନିଜ ସୀମା ମଧ୍ୟରେ ରହେ ।"

ଅଶୋକ କୁମାର ମିତ୍ତଲ କିଏ ?

ଅଶୋକ କୁମାର ମିତ୍ତଲ ହେଉଛନ୍ତି ଜଣେ ଜଣାଶୁଣା ଶିକ୍ଷାବିତ୍ ଏବଂ ସମାଜସେବୀ । ସେ ପଞ୍ଜାବର ପ୍ରଥମ ପ୍ରାଇଭେଟ୍ ୟୁନିଭର୍ସିଟି 'ଲଭଲି ପ୍ରଫେସନାଲ ୟୁନିଭର୍ସିଟି' (LPU) ର ପ୍ରତିଷ୍ଠାତା । ୨୦୨୨ ମସିହାରେ ସେ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ ଏବଂ ଏପ୍ରିଲ ୨୦୨୨ରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ରକ୍ଷା କମିଟି, ଅର୍ଥ କମିଟି ଏବଂ ଫେବୃଆରୀ ୨୦୨୬ରେ ଗଠିତ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସେ ଭାରତ-ଆମେରିକା ସଂସଦୀୟ ମୈତ୍ରୀ ଗୋଷ୍ଠୀର ସଦସ୍ୟ । ଏଥିସହ ରୁଷ, ସ୍ପେନ ଓ ଗ୍ରୀସ୍ ଭଳି ଦେଶ ଗସ୍ତ କରିଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ମଧ୍ୟ ସାମିଲ ଥିଲେ । ଏହି ଚଢ଼ାଉକୁ ନେଇ ଏବେ ପଞ୍ଜାବ ରାଜନୀତି ସରଗରମ ହୋଇଛି । ଆଗକୁ ଏହି ମାମଲାରେ ଇଡି କ'ଣ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।