ଭୁବନେଶ୍ୱର,୧୭/୦୬ : ୧ ନମ୍ବର ହାଟରେ ଚା’ ଦୋକାନ ଖୋଲିଥିଲେ । ରାତାରାତି ବଡ଼ଲୋକ ହେବାକୁ ମନ ବଳାଇଲେ । ରେଳବାଇରେ ଚାକିରି କରାଇ ଦେବାକୁ କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଲେ । ଏଭଳି ଜଣେ ଠକ ଓ ତାଙ୍କ ଝିଅଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଗିରଫ ବାପା-ଝିଅ ହେଲେ ବୟାବାବା ମଠ ବସ୍ତିରେ ରହୁଥିବା ଭଦ୍ରକ ରୁରାଲ ଆନନ୍ଦବଜାରର ବିଦ୍ୟାଧର ଦାଶ(୫୨) ଏବଂ ତାଙ୍କ ଝିଅ ସୁମତି ଦାଶ(୩୧) । ପୁଲିସ ସେମାନଙ୍କ ଠାରୁ ଠକାମୀ ସମ୍ବନ୍ଧୀୟ କିଛି କାଗଜପତ୍ର ଜବତ କରିଛି ।
ପୁଲିସ ସୂଚନା ଅନୁଯାୟୀ, ବିଦ୍ୟାଧର ୟୁନିଟ୍-୧ ହାଟରେ ‘ମୋ ସ୍ୱର୍ଣ୍ଣ ଟି’ ଦୋକାନ କରିଛନ୍ତି । ସୂଚନା ଭବନ କ୍ୟାଣ୍ଟିନ ମ୍ୟାନେଜର ନୃସିଂହଚରଣ ସାହୁ ବିଦ୍ୟାଧରଙ୍କ ଚା’ ଦୋକାନରୁ ନିୟମିତ ଚା’ପତ୍ର ଆଣିବାକୁ ଯାଆନ୍ତି । ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ଏହାର ସୁଯୋଗ ନେଇ ବିଦ୍ୟାଧର ନୃସିଂହଙ୍କୁ କହିଥିଲେ, ମୋ ଝିଅ ସୁମତି ରେଳବାଇରେ ଚାକିରି ପାଇଛି । ତେଣୁ ସେ ଯାହାକୁ ଚାହିଁବେ ରେଳବାଇ ଚାକିରି କରାଇଦେବେ । ଏଭଳି କଥା ଶୁଣି ନୃସିଂହ ତାଙ୍କର ଜଣେ ସଂପର୍କୀୟର ରେଳବାଇରେ ଚାକିରି କରାଇ ଦେବାକୁ କହିଥିଲେ । ବିଦ୍ୟାଧର ତାଙ୍କ ନିକଟରେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । ନୃସିଂହ ବିଭିନ୍ନ ପର୍ଯ୍ୟାୟରେ ବିଦ୍ୟାଧର ଏବଂ ତାଙ୍କ ଝିଅଙ୍କ ଆକାଉଣ୍ଟ୍କୁ ୧୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ଟଙ୍କା ପାଇବା ପରେ ସେ ରେଳବାଇ ଚାକିରି କରାଇ ଦେଇପାରି ନଥିଲେ । ବାରମ୍ବାର ପଚାରିବା ପରେ ଶେଷରେ ନୃସିଂହ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ବାପା-ଝିଅ ଟଙ୍କା ଫେରସ୍ତ କରି ନଥିଲେ । ଶେଷରେ ନୃସିଂହଙ୍କୁ ବିଭିନ୍ନପ୍ରକାର ଧମକଚମକ ଦେଇଥିଲେ । ଠକାମୀର ଶିକାର ହୋଇଥିବା ଜାଣି ନୃସିଂହ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ ଏକ ଠକେଇ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ବାପା-ଝିଅ ଏପରି ଅନେକ ଲୋକଙ୍କୁ ରେଳବାଇରେ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଆତ୍ମସାତ କରିଛନ୍ତି । ପୁଲିସ ସେମାନଙ୍କ ଆକାଉଣ୍ଟ୍କୁ ଟଙ୍କା ଟ୍ରାନ୍ସଫର ସମ୍ବନ୍ଧୀୟ କାଗଜପତ୍ର ଜବତ କରିବା ପରେ ଆଜି ବିଦ୍ୟାଧର ଓ ତାଙ୍କ ଝିଅ ସୁମତିଙ୍କୁ ଗିରଫ କରିଥିଲା । ଅପରାହ୍ଣରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏବେ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି । ସେମାନେ ଏପରି କେତେ ଲୋକଙ୍କୁ ଠକିଛନ୍ତି, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି ।
ଆହୁରି ପଢନ୍ତୁ- OTET exam : ୨୮ରେ ଓଟିଇଟି ପରୀକ୍ଷା, ଆଜିଠୁ ବୋର୍ଡ ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ
ରଥଖଳାରେ ମହାରଣାଙ୍କ ‘ଖେଈ’ ବିବାଦ; କାମ ବନ୍ଦ କରି ଧାରଣାରେ ବସିଲେ ବିଶ୍ୱକର୍ମା ସେବାୟତ