ସାରଙ୍ଗଡ ୧୯/୫: କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନାବାଳକ ପୁଅର ମୁଣ୍ଡକୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଛି ବାପା। ପରେ ହତ୍ୟାକାରୀ ବାପା ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଘଟଣା ଘଟିଛି ସାରଙ୍ଗଡ ଥାନା ଗସାଗୁଡା ଗ୍ରାମରେ। ଏହି ଗ୍ରାମର ବଳରାମ ସାହୁ ପ୍ରଥମେ ଭାନୁମତି କହଁରଙ୍କୁ ବିବାହ କରିଥିଲେ। ସେମାନଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ତେବେ କିଛି ବର୍ଷ ତଳେ ବଳରାମ ଦ୍ବିତୀୟ ବିବାହ କରିଥିଲେ। ଏହାପରେ ସେମାନଙ୍କର ପାରିବାରିକ କଳହ ଆରମ୍ଭ ହୋଇଥିଲା। ଏହି କାରଣରୁ ପ୍ରଥମ ସ୍ତ୍ରୀ ଏବେ ଭାନୁମତି ଯାଇ ଭୂବନେଶ୍ୱରରେ ରହୁଛନ୍ତି। ବଳରାମଙ୍କ ସହ ଦ୍ବିତୀୟ ସ୍ତ୍ରୀ ଓ ପୁଅ ଅବିନାଶ(୧୪) ରହୁଥିଲେ।
ରବିବାର ରାତି ବଳରାମ, ତାଙ୍କ ଦ୍ବିତୀୟ ସ୍ତ୍ରୀ ଏବଂ ପୁଅ ଅବିନାଶ ଖାଇପିଇ ଶୋଇଥିଲେ। ତେବେ ସକାଳୁ କିଛି ଗ୍ରାମବାସୀ ଅବିନାଶଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ଲୋକଙ୍କ ଠାରୁ ଖବର ପାଇ କ ନୂଆଗାଁ ଥାନା ଅଧିକାରୀ ଏ କେ ହାଂସଦାଏ ଏବଂ ସାରଙ୍ଗଡ ଥାନା ସବ ଇନ୍ସପେକ୍ଟର ସହଦେବ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରେ ଅଭିଯୁକ୍ତ ବଳରାମ ଥାନାରେ ଆତ୍ମସମର୍ପଣ କରିଥିଲେ। ଏ ନେଇ ଥାନାରେ ୮୦/୨୫ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଛି। ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ଏସ ଆଇ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଘଟଣା ପଛରେ ପାରିବାରିକ କଳହ ରହିଥିବା ଅନୁମାନ କରାଯାଉଥିବା ବେଳେ ତଦନ୍ତ ପରେ ସତ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।