ଭୁବନେଶ୍ୱର, ୧୫/୭ : ପରିବାରର ହିରୋ ହେଉଛନ୍ତି ବାପା । ସନ୍ତାନସନ୍ତତିଙ୍କୁ ବିପଦରୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଦିଅନ୍ତି । ଜୀବଜଗତଠୁ ଆରମ୍ଭ କରି ମଣିଷଙ୍କ ପର୍ଯ୍ୟନ୍ତ ପିତା ହିଁ ସୁରକ୍ଷାଦାତା । ଏଭଳି ଅସଂଖ୍ୟ ଉଦାହରଣ ରହିଛି । ସେଥିରୁ ଏକ ସଦ୍ୟତମ ରୋମାଞ୍ଚକାରୀ ଘଟଣା ଘଟିଛି କପିଳପ୍ରସାଦ ଅଞ୍ଚଳରେ । ଏଠାରେ ବାପା ତେଲେଙ୍ଗାନାର ଏକ ବିପଦପୂର୍ଣ୍ଣ ସଂଖ୍ୟାଲଘୁ କଲୋନିରୁ ନିଜ ଝିଅକୁ ଅପହରଣକାରୀଙ୍କ କବଳରୁ ମୁକୁଳାଇ ସୁରକ୍ଷିତ ଭାବେ ଘରେ ପହଞ୍ଚାଇଛନ୍ତି ।
କପିଳପ୍ରସାଦ ଅଞ୍ଚଳର ବାସିନ୍ଦା ନବଘନ(ଛଦ୍ମନାମ)ଙ୍କ ଝିଅ ଭୁବନେଶ୍ୱରରେ ଥିବା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଝିଅ ପୂର୍ବାହ୍ନରେ କାମକୁ ଯାଆନ୍ତି ସନ୍ଧ୍ୟା ୮ଟା ସୁଦ୍ଧା ଘରେ ପହଞ୍ଚି ଯାଆନ୍ତି । କିଛି ଦିନ ତଳେ ଝିଅ ବିଳମ୍ବିତ ରାତି ଯାଏ ଘରେ ପହଞ୍ଚିଲା ନାହିଁ । ମୋବାଇଲ ସ୍ୱିଚ୍ ଅଫ୍ ଆସିଲା । ବ୍ୟସ୍ତ ବିବ୍ରତ ହୋଇ ନବଘନ ଉକ୍ତ ସଂସ୍ଥାରେ ପଚାରିଲେ । ସିସିଟିଭି ଫୁଟେଜରୁ ଜଣାପଡ଼ିଲା ସେହି ସଂସ୍ଥାରେ କାମ କରୁଥିବା ଜଣେ ସଂଖ୍ୟାଲଘୁ ବର୍ଗର ଲୋକଙ୍କ ସାଙ୍ଗରେ ଝିଅ ପଦାକୁ ଯାଇଛି । ଏହା ଦେଖି ନବଘନଙ୍କ ମୁଣ୍ଡରେ ବଜ୍ର ପଡ଼ିଥିଲା । ସେ ସ୍ଥାନୀୟ ଥାନାରେ ଅପହରଣ ଏତଲା ଦେଇଥିଲେ । ପୁଲିସ ଅପହରଣକାରୀଙ୍କ ମୋବାଇଲ ଟ୍ରାକ୍ କରି ଝିଅ ଫୁଲବାଣୀରେ ଥିବା ଜାଣି ପାରିଥିଲା । ଏହାପରେ ପୁଲିସର ଏକ ଟିମ୍ ସେଠାରେ ଚଢ଼ଉ କରିଥିଲେ । ହେଲେ ଅପହରଣକାରୀ ସେଠାରୁ ଝିଅକୁ ନେଇ ଚମ୍ପଟ ମାରି ସାରିଥିଲେ । ଏହାପରେ ଝିଅର ପତ୍ତା ପୁଲିସ କିମ୍ବା ନବଘନ ଜାଣିପାରି ନଥିଲେ।
ନିକଟରେ ଏକ ଅଜଣା ନମ୍ବରରୁ ନବଘନଙ୍କ ମୋବାଇଲକୁ କଲ ଆସିଥିଲା । ସେ କଲ ରିସିଭ କଲା ପରେ ସେପଟୁ ଝିଅର ବିକଳ ସ୍ୱର ଆସିଥିଲା । ବାପା ସେମାନେ ମୋତେ କାରରେ ହାଇଦ୍ରାବାଦ ନିକଟସ୍ଥ ଏକ ସ୍ଥାନକୁ ନେଇ ଆସିଛନ୍ତି । ମୋତେ ନେଇଯାଅ ନଚେତ୍ ସେମାନେ ମୋତେ ମାରିଦେବେ । ନବଘନ ଏକଥା ପୁଲିସକୁ ଜଣାଇଲେ । କିନ୍ତୁ ପୁଲିସ ହାଇଦରାବାଦକୁ ଯିବାକୁ ଟାଳଟୁଳ ନୀତି ଅବଲମ୍ବନ କଲା । ନବଘନଙ୍କ ମନ ସମ୍ଭାଳିଲା ନାହିଁ । କାଳେ ଝିଅର କ’ଣ ହୋଇଯିବ । ସେଥିପାଇଁ ୩ ଦିନ ତଳେ ଭୁବନେଶ୍ୱରରୁ ଏକ ଭଡ଼ା କାର୍ରେ ହାଇଦ୍ରାବାଦ ବାହାରିଲେ । ସାଙ୍ଗରେ ଜଣେ ବନ୍ଧୁଙ୍କୁ ନେଲେ । ୨ ଦିନ କାଳ ଝିଅ ଦେଇଥିବା ଲୋକେସନ ନିକଟରେ ଲୁଚି ରହିଲେ । ସୋମବାର ଜଣେ ମହିଳାଙ୍କ ସହିତ ଝିଅ ପଦାକୁ ବାହାରିଥିଲା । ନବଘନ ତତ୍କ୍ଷଣାତ ପଛରୁ ଯାଇ ଝିଅର ହାତକୁ ଭିଡ଼ି ଧରିଲେ । ବାପାଙ୍କୁ ଦେଖି ଝିଅ ତାଙ୍କ ହାତ ଧରି ପକାଇଲା । ମହିଳା ବୁଲି ପଡ଼ି କିଛି ବୁଝିବା ପୂର୍ବରୁ ପାଖରେ ପାର୍କିଂ ହୋଇଥିବା କାର୍ରେ ଝିଅକୁ ବସାଇ ନବଘନ ସେଠାରୁ ବାହାରିଗଲେ । ମହିଳା ପାଟି କରି ଡାକିଲେ । ତାଙ୍କ ଚିତ୍କାର ଶୁଣି ବାଇକ୍ରେ କିଛି ଯୁବକ ତାଙ୍କ କାର୍କୁ ପିଛା କଲେ । କିନ୍ତୁ ଡ୍ରାଇଭର ଦ୍ରୁତ ଗତିରେ କାର୍ ଚଳାଇ ମୁଖ୍ୟ ରାସ୍ତାକୁ ପଳାଇ ଆସିଲେ । ବାଘ ମୁହଁରୁ ଝିଅକୁ ଖସାଇ ଆଣିବା ଭଳି ଏହି ଦୁଃସାହସିକ ରୋମାଞ୍ଚକର ଯାତ୍ରା କେବଳ ପରିବାର ସଦସ୍ୟଙ୍କୁ ଗଭୀର ଭାବେ ଭଲପାଉଥିବା ଜଣେ ବାପା ହିଁ କରିପାରେ ତାହାର ଏହା ଏକ ଅନନ୍ୟ ଉଦାହରଣ।
ଆହୁରି ପଢନ୍ତୁ- Puri Weather : ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ପୁରୀରେ କମିବ ବର୍ଷା, ଆସନ୍ତା ୩ ଦିନ ଯାଏଁ ସ୍ଵାଭାବିକ ରହିବ ପାଗ
ଅଦ୍ଭୁତ ଚୋର ! ଟ୍ରେନର ଏସି କୋଚରେ ଯାତ୍ରା କରିସାରିବା ପରେ ଚାଦର ଏବଂ ତକିଆ ନେଇ ଗାଏବ ହୋଇଯାଉଛନ୍ତି