ଭୁବନେଶ୍ଵର, ୧୫/୦୭ : ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ରଥଯାତ୍ରାରେ ଫିଟିବ ପାଗ। ବୁଧବାର ସକାଳ ସାଢେ ୧୧ଟାରୁ ପୁରୀ ଜିଲ୍ଲାରେ ବର୍ଷାର ପରିମାଣ ଧୀରେ ଧୀରେ କମିବାକୁ ଲାଗିବ। ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗ ସ୍ୱାଭାବିକ ରହିବ। ଗରମ ଗୁଳୁଗୁଳି ଅନୁଭୂତ ହେବ ନାହିଁ। ଏନେଇ ସୂଚନା ଦେଇଛନ୍ତି SOA ସେଣ୍ଟର ଫର୍ ଏକ୍ସିଲେନ୍ସ ଇନ୍ କ୍ଲାଇମେଟ ଚେଞ୍ଜ୍ ର ନିର୍ଦ୍ଦେଶକ ଡଃ ଶରତ ସାହୁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିର ଖବର। କାରଣ ଆସନ୍ତାକାଲି ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ସମବେତ ହେବେ।
ଡଃ ସାହୁଙ୍କ କହିବା ଅନୁସାରେ, ଆଗାମୀ ୩ ଦିନ ଧରି ପୁରୀରେ ଭଲ ପାଗ ରହିବ। ରଥ ଟାଣିବା ଏବଂ ଦର୍ଶନ କରିବା ପାଇଁ ଭକ୍ତମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ତେବେ ଖୁସି ଖବର ସହ ଗୋଟିଏ ସତର୍କ ସୂଚନା ମଧ୍ୟ ରହିଛି। ଡଃ ଶରତ ସାହୁ କହିଛନ୍ତି ଯେ, ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ଆଗାମୀ ଦିନରେ ପ୍ରବଳ ବର୍ଷା ଜାରି ରହିବ। ବିଶେଷ କରି ଉତ୍ତର ଓଡ଼ିଶାର ବଡ ବଡ ନଦୀରେ ବନ୍ୟା ସ୍ଥିତି ଉପୁଜିପାରେ। ତେଣୁ ସେହି ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ଆହୁରି ପଢନ୍ତୁ- ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ସାରା ଓଡ଼ିଶାରେ ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ