ଢେଙ୍କାନାଳ/କାମାକ୍ଷାନଗର,୨୩/୦୪: ଜନଗଣନା ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ୪ ଜଣ ଅଧିକାରୀଙ୍କୁ ନିସ୍ତୁକ ମାଡ଼ ଘଟଣାରେ ଆକ୍ସନ୍। ସଙ୍ଗିନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ନିକୁଞ୍ଜ ରମଣ ଶତପଥୀ, ଦୁଇ ପୁଅ ଉଦିତ୍ସ୍ୱପ୍ନ ଶତପଥୀ ଓ ଭାନୁପ୍ରକାଶ ଶତପଥୀକୁ ଗିରଫ କରିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ସେଠାରେ ଜାମିନ୍ ନାମଞ୍ଜୁର ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ କାମାକ୍ଷାନଗର ଜେଲ୍କୁ ପଠାଯାଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ :- ଢେଙ୍କାନାଳରେ ଜନ ଗଣନା: କେଉଁଠି ଅଧିକାରୀଙ୍କୁ ମାଡ଼ ତ କେଉଁଠି ସର୍ବସ୍ୱ ଲୁଟ୍ !
ସୂଚନା ଅନୁଯାୟୀ, ବୁଧବାର ସକାଳେ ସମ୍ପୃକ୍ତ ୪ ଜନଗଣନା ଅଧିକାରୀ ନିକୁଞ୍ଜଙ୍କ ଘରେ ପହଞ୍ଚିଥିଲେ । ଜନଗଣନା ଅଧିକାରୀମାନଙ୍କୁ ଦେଖି ନିକୁଞ୍ଜଙ୍କ ପରିବାର ସଦସ୍ୟ ଉତ୍କିପ୍ତ ହୋଇପଡି଼ଥିଲେ । କୌଣସି କଥା ନ ଶୁଣି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏଥିରେ ୨ ମହିଳା କର୍ମଚାରୀଙ୍କ ସମେତ ୪ ଜଣ ଆହତ ହୋଇଥିଲେ । ଅଭିଯୁକ୍ତମାନେ ପଥର ଧରି ମାରିବାକୁ ଗୋଡ଼ାଇବାରୁ ଘଟଣାସ୍ଥଳରୁ ସେମାନେ ଦୌଡ଼ି ପଳାଇ ଆସିଥିଲେ । ସେତିକିରେ ସେମାନଙ୍କ ରାଗ ଶାନ୍ତ ହୋଇ ନ ଥିଲା। କର୍ମଚାରୀମାନେ ଆସିଥିବା ସ୍କୁଟର ଓ ବାଇକ୍କୁ ପିଟି ଭାଙ୍ଗି ଦେଇଥିଲେ ଘର ମାଲିକ । ଆକ୍ରମଣରେ ସୁପରଭାଇଜର ମଧୁସ୍ମିତାଙ୍କ ମୁହଁ ଫୁଲି ଯାଇଛି । ଇନ୍ଚାର୍ଜ ରଘୁନାଥଙ୍କର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ସୂଚନା ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ, ଏସ୍ଡ଼ିପିଓ ରଜନୀକାନ୍ତ ସାମଲ, ତହସିଲ୍ଦାର ଶୁଭଙ୍କର ମହାନ୍ତି, ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ ପହଞ୍ଚିଥିଲେ ।
ଅଧିକ ପଢ଼ନ୍ତୁ :- Census 2027 : ଜନଗଣନା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ରାଜସ୍ଵ ମନ୍ତ୍ରୀଙ୍କ ଚରମ ବାଣୀ, ଦୋଷୀଙ୍କ ଉପରେ ହେବ କଠୋର ଆକ୍ସନ
ଆକ୍ରମଣକାରୀମାନେ ଅଧିକାରୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ³ ଯାହାର ଭିଡିଓ ଭାଇରାଲ ହୋଇଛି । ପୁଲିସ୍ ଘଟଣାର ତଦନ୍ତ କରି ଆକ୍ରମଣକାରୀ ବାପା ଓ ଦୁଇ ପୁଅଙ୍କୁ ଗିରଫ ପାଇଁ ଉଦ୍ୟମ ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ପୁଲିସ୍ ୩ ଅଭିଯୁକ୍ତଙ୍କୁ ପୁଲିସ୍ କାବୁ କରିଥିଲା । ସରକାରୀ କାର୍ଯ୍ୟରେ ବାଧା, କର୍ମଚାରୀଙ୍କୁ ଆକ୍ରମଣ ଭଳି ବିଭିନ୍ନ ସଙ୍ଗିନ ଦଫାରେ ମାମଲା ରୁଜୁ କରି ତିନି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ୍ ନାମଞ୍ଜୁର ପରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ଅଧିକ ପଢ଼ନ୍ତୁ :- ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ବଡ଼ ଖୁଲାସା: ସମ୍ପତ୍ତି ଲୋଭରେ ଦାଦାକୁ ମାରିବାକୁ ସୁପାରୀ ଦେଇଥିଲେ ପୁତୁରା ଓ ଝିଆରୀ !
ଢେଙ୍କାନାଳ ଏସ୍ପି ଅଭିନବ ସୋନକର କହିଛନ୍ତି, ଆକ୍ରମଣକାରୀଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜନଗଣନା ପରି ଜାତୀୟ କାର୍ଯ୍ୟକ୍ରମ ଚାଲୁ ରହିଥିବାରୁ ଦୁର୍ବୃତ୍ତ ନୂଆ ତରିକା ଆପଣେଇବାର ଆଶଙ୍କା ରହିଛି । ତେଣୁ ଜଣଗଣନା କର୍ମଚାରୀ ଓ ଲୋକମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ । କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ହେଲେ ତୁରନ୍ତ ପୁଲିସ ହେଲ୍ପଲାଇନ୍ ୧୧୨ର ସହାୟତା ନେବାକୁ ଏସ୍ପି ପରାମର୍ଶ ଦେଇଛନ୍ତି।