ଢେଙ୍କାନାଳ, ୨୨।୪: ଢେଙ୍କାନାଳ ଜିଲ୍ଲାରୁ ଦୁଇଟି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । କାମାକ୍ଷାନଗର ଅଞ୍ଚଳରେ ସରକାରୀ ଜନ ଗଣନା ଅଧିକାରୀଙ୍କ ଉପରେ ସଂଘାତିକ ଆକ୍ରମଣ ହୋଇଥିବା ବେଳେ, ରାସୋଳ ଅଞ୍ଚଳରେ ଜନ ଗଣନା ଅଧିକାରୀ ପରିଚୟ ଦେଇ ଲୁଟେରାମାନେ ଘରେ ପଶି ସଶସ୍ତ୍ର ଲୁଟ୍ କରିବା ସହ ପରିବାରକୁ ଭୟଭୀତ କରିଛନ୍ତି । କାମାକ୍ଷାନଗର ଉପଖଣ୍ଡ ଅନନ୍ତପୁର ଗ୍ରାମରେ ସରକାରୀ କାର୍ଯ୍ୟରେ ବ୍ୟାଘାତ ସହ ଜଣେ ଜନ ଗଣନା ଅଧିକାରୀଙ୍କୁ ନିର୍ମମ ଭାବେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ୪ ଜଣ ଜନ ଗଣନା ଅଧିକାରୀ ନିଜର ସରକାରୀ ଦାୟିତ୍ୱ ତୁଲାଇବା ପାଇଁ ଅନନ୍ତପୁର ଗ୍ରାମକୁ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ସ୍ଥାନୀୟ ବ୍ୟକ୍ତିଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ପରିସ୍ଥିତି ଏପରି ହୋଇଥିଲା ଯେ, ଅଭିଯୁକ୍ତମାନେ ଉକ୍ତ ଅଧିକାରୀଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ । ମାଡ଼ ଭୟରେ ଉକ୍ତ ୪ ଜଣ ଜନ ଗଣନା ଅଧିକାରୀ ନିଜ ଜୀବନ ବିକଳରେ ଗାଁ ମଧ୍ୟରୁ ଦୌଡ଼ି ପଳାଇ ଆସିଥିଲେ । ଏହି ଘଟଣା ପରେ କାମାକ୍ଷାନଗର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ନିକୁଞ୍ଜ ଶତପଥୀ ଏବଂ ତାଙ୍କ ପୁଅକୁ ଗିରଫ କରିଛି । କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ ଏବଂ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ଏହା ବି ପଢ଼ନ୍ତୁ... BMC Hospital: ଡାକ୍ତର ନାହାନ୍ତି, ଫିଜିଓଥେରାପି ମେସିନ୍ ଅଚଳ, ହସ୍ପିଟାଲରେ ଏମିତି ଚାଲିଛି ରୋଗୀ ସେବା
ଅନ୍ୟପଟେ ରାସୋଳ ଥାନା ଅନ୍ତର୍ଗତ ଗିରିଧରପ୍ରସାଦ ଗାଁରେ ଏକ ହୃଦୟବିଦାରକ ଲୁଟ୍ ଘଟଣା ଘଟିଛି । ଏଠାରେ ଲୁଟେରାମାନେ ନିଜକୁ ଜନ ଗଣନା ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କ ବିଶ୍ୱାସ ଜିତିଥିଲେ ଏବଂ ପରେ କଳାକାନା ବୁଲାଇଥିଲେ । କିଛି ଦୁର୍ବୃତ୍ତ ଜନ ଗଣନା ଅଧିକାରୀ ଭାବେ ଗାଁରେ ପହଞ୍ଚି ଏକ ନିର୍ଦ୍ଦିଷ୍ଟ ପରିବାରର ଘରେ ପଶିଥିଲେ । ଘରେ ପଶିବା ପରେ ସେମାନେ ନିଜର ଅସଲ ରୂପ ଦେଖାଇଥିଲେ । ଲୁଟେରାମାନେ ପରିବାରର ଛୋଟ ପିଲାଙ୍କ ବେକରେ ଛୁରୀ ଲଗାଇ ଭୟଭୀତ କରିଥିଲେ । ପିଲାଙ୍କ ଜୀବନ ଚାଲିଯିବା ଭୟରେ ପରିବାର ଲୋକେ ନିରୁପାୟ ହୋଇପଡ଼ିଥିଲେ । ଏହି ସୁଯୋଗରେ ଦୁର୍ବୃତ୍ତମାନେ ଘରୁ ସମସ୍ତ ସୁନା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ ।
ଅଭିଯୋଗ ଅନୁଯାୟୀ, ଲୁଟ୍ ସମୟରେ ଲୁଟେରାମାନେ ଘରର ମହିଳାଙ୍କୁ ଅସଦାଚରଣ ମଧ୍ୟ କରିଥିଲେ । ଏହି ଘଟଣା ପରେ ସମ୍ପୃକ୍ତ ମହିଳା ରାସୋଳ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଏହି ଦୁଇଟି ଘଟଣା ପରେ ଢେଙ୍କାନାଳ ଜିଲ୍ଲାରେ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଭୟ ଦେଖାଦେଇଛି । କିଏ ପ୍ରକୃତ ସରକାରୀ ଅଧିକାରୀ ଆଉ କିଏ ଲୁଟେରା, ତାହା ଚିହ୍ନିବା କଷ୍ଟକର ହୋଇପଡ଼ିଛି । ପୁଲିସ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି ଯେ, କୌଣସି ଅଜଣା ବ୍ୟକ୍ତି ନିଜକୁ ଅଧିକାରୀ ପରିଚୟ ଦେଲେ ତାଙ୍କ ପରିଚୟ ପତ୍ର ଯାଞ୍ଚ କରନ୍ତୁ । ସନ୍ଦେହ ହେଲେ ତୁରନ୍ତ ସ୍ଥାନୀୟ ସରପଞ୍ଚ କିମ୍ବା ଥାନାକୁ ଜଣାନ୍ତୁ । ସରକାରୀ କାର୍ଯ୍ୟରେ ବାଧା ନଦେଇ ସହଯୋଗ କରନ୍ତୁ, କିନ୍ତୁ ସତର୍କ ରୁହନ୍ତୁ । ପୁଲିସ ଏବେ ଦୁଇଟି ଯାକ ଘଟଣାରେ ତଦନ୍ତ ଚଳାଇଛି ଏବଂ ରାସୋଳ ଲୁଟ୍ ଘଟଣାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।