ବିଶ୍ୱ ପିତୃ ଦିବସ; ପୂଜା ପାଇଲେ ୫୦ ଅଲୋଡ଼ା ବାପା

ଭୁବନେଶ୍ୱର, ୧୬ ।୬(ବ୍ୟୁରୋ): ପରିବାର ଅଛନ୍ତି । ହେଲେ ଏମାନେ ଅଲୋଡ଼ା ଓ ଉପେକ୍ଷିତ । ବାର୍ଦ୍ଧକ୍ୟର ବୋଝ ତଳେ ଜର୍ଜରିତ । ଦିନେ କୁନି କୁନି ହାତ ଧରି ଚାଲିବା ଶିଖାଉଥିବା ଏହି ହାତ ଆଜି ଅଲୋଡା । ସାରା ବିଶ୍ୱ ପିତୃ ଦିବସ ପାଳି କେକ୍ କାଟି ଉତ୍ସବ କରୁଥିବା ବେଳେ ଏମାନେ ଆଜି ସ୍ୱେଚ୍ଛାସେବୀ ସଙ୍ଗଠନର ସ୍ନେହ ଆଦରରେ ଆଶ୍ରିତ । ଏମିତି ୫୦ ଜଣ ବାପାଙ୍କୁ ଏକାଠି କରି ଆଜି ରାଜଧାନୀର ସ୍ୱେଚ୍ଛାସେବୀ ସଙ୍ଗଠନ ‘ପତିତ ଉଦ୍ଧାର ସମିତି’ ପାଳିଛି ବିଶ୍ୱ ପିତୃ ଦିବସ । ଅଲୋଡ଼ା ହୋଇପଡିଥିବା ବାପାମାନଙ୍କୁ ଦେଇଛି ସମ୍ମାନ ଓ ଆଦର
ପିତୃ ପୂଜନରୁ ଆରମ୍ଭ ହୋଇଥିଲା ସକାଳ । କ୍ୟାପିଟାଲ୍ ହସ୍ପିଟାଲ ପଛପଟେ ଥିବା ରାତ୍ରି ଆଶ୍ରୟସ୍ଥଳରେ ଏକାଠି ହୋଇଥିଲେ ସମସ୍ତ ବୟସ୍କ । ମୁଣ୍ଡରେ ସ୍ନେହ, ସୌହାର୍ଦ୍ଧ୍ୟର ଟିକା ପିନ୍ଧାଇ, ପାଦ ଛୁଇଁ ଅନୁଷ୍ଠାନର କର୍ମକର୍ତ୍ତା ପାଳିଥିଲେ ବିଶ୍ୱ ପିତୃଦିବସ । ପରେ ପରେ ସମସ୍ତେ ଏକାଠି ହୋଇ କେକ୍ କାଟିଥିଲେ । ଏହି ଅବସରରେ ସାୱତ୍ କ୍ରିପାଳୁ ଗୃହାନୀ ମିଶନ ତରଫରୁ ଏକ ସଂତ୍ସଂଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏ ବାବଦରେ ସାରଥୀ ଦତ୍ତ(୬୫) କହନ୍ତି ବହୁତ ଦୁଃଖ କଷ୍ଟରେ ମୁଁ ମୋ ପିଲାମାନଙ୍କୁ ପାଳିଥିଲି । ଆଜି ସେମାନେ ସମସ୍ତେ ସ୍ୱାବଲମ୍ବୀ । ହେଲେ ମୁଁ ଅଲୋଡ଼ା । ଆଜିକୁ ତିନି ବର୍ଷ ହେବ ମୋତେ ମୋ ପିଲାମାନେ ଘରୁ ବାହାର କରିଦେଲେ । ପଚାରିବା ତ ଦୂରର କଥା, ଭାବିଲେନି ବି ମୁଁ ସେମାନଙ୍କ ବିନା କେମିତି ଚଳିବି । ମୋ ଝିଅ, ଜ୍ୱାଇଁ ବାଙ୍ଗାଲୋରରେ ଭଲ ଚାକିରି କରୁଛନ୍ତି । ସେମାନଙ୍କ କହିବା କଥା ମୁଁ ଘରକୁ ଫେରିଲେ ସେମାନଙ୍କ ପରିବାରରେ ଅଶାନ୍ତି ବଢ଼ିବ । ସେମାନେ ମୋତେ ଘରକୁ ଫେରାଇ ନେବାକୁ ଚାହୁଁନାହାଁନ୍ତି କି ମୁଁ ବି ଆଉ ଫେରିବାକୁ ଚାହୁଁନି । ଏଠି ମୋତେ ମୋ ପରିବାର ମିଳିଯାଇଛି ।
ତାଙ୍କ ଭଳି ରାତି ଆଶ୍ରୟ ସ୍ଥଳରେ ଆମେ ଭେଟିଥିବା ଆଉ ଜଣେ ବାପା ହେଲେ ଉଗ୍ରସେନ ସାହୁ । ପୁରୀର ଉଗ୍ରସେନଙ୍କ ଦୁଇ ପୁଅ, ଜଣେ ଝିଅ । ମୂଲ ଲାଗି ପରିବାର ଚଳାଉଥିଲେ ଉଗ୍ରସେନ । ନିଜ ପାଇଁ ପୁରୀରେ ଘର ବି ଖଣ୍ଡେ କରିଥିଲେ । ଝିଅ ବିବାହ ବେଳକୁ ପୁଅମାନେ ଟଙ୍କା ନ ଦେବାରୁ ବାଧ୍ୟହୋଇ ଘର ବିକି ଦେଲେ । ପରବର୍ତ୍ତୀ ସମୟରେ ପୁଅମାନେ ତାଙ୍କୁ ଘରୁ ବାହାର କରିଦେବା ସହ ଉଗ୍ରସେନଙ୍କ ସ୍ତ୍ରୀଙ୍କୁ ତାଙ୍କ ବାପ ଘରେ ଛାଡ଼ି ଦେଲେ । ପରିବାରର ଏହି ନିଷ୍ପତ୍ତିକୁ ସହଜରେ ହଜମ କରିପାରିଲେନି ଉଗ୍ରସେନ । ଘର ଛାଡି ବଡ଼ ଦାଣ୍ଡରେ ଆସି ଭିକ ମାଗିଲେ । ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ଅସୁବିଧା ହେବ ବୋଲି ଭାବି ଭୁବନେଶ୍ୱର ପଳାଇ ଆସିଲେ । ଏବେ ସେ କ୍ୟାପିଟାଲ ହସ୍ପିଟାଲ ପଛପଟେ ଥିବା ରାତ୍ରୀ ଆଶ୍ରୟ ସ୍ଥଳରେ ଆଶ୍ରିତ । ଆଜିର ଉତ୍ସବ ସମ୍ପର୍କରେ ଉଗ୍ରସେନ କହନ୍ତି ପରିବାର ସିନା ଅଲୋଡ଼ା କରିଦେଲା । ହେଲେ ଆଜି ମୁଁ ଖୁସି, ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଗହଣରେ । ଏମାନେ ଆମକୁ କେବଳ ସ୍ନେହ ଆଦର କରୁ ନାହାଁନ୍ତି । ବରଂ ଖାଇବାକୁ ବି ଦେଉଛନ୍ତି ।