ଭୁବନେଶ୍ୱର, ୨୪/୦୬ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି । ଦୁଇ ମାସ ହେଲା ଏ ସମ୍ପର୍କରେ ଜାଣି ଚୁପ୍ ବସିଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ସର୍ବପ୍ରଥମେ ‘ପ୍ରମେୟ’ ଏ ନେଇ ଖବର ପ୍ରକାଶ କରିବା ପରେ ତ୍ରୁଟି ହୋଇଛି ବୋଲି ମାନିଲେ ବିଭାଗୀୟ କର୍ତ୍ତୃପକ୍ଷ । ବିଭାଗୀୟ ମନ୍ତ୍ରୀ କହିଲେ ସାମାନ୍ୟ ଭୁଲ୍ କିଛି ରହିଯାଇଛି । ଶିକ୍ଷକମାନେ ଏହାକୁ ସଂଶୋଧନ କରି ପିଲାଙ୍କୁ ପଢ଼ାଇବେ । ତ୍ରୁଟିପୂର୍ଣ୍ଣ ବହି ଛପା କିନ୍ତୁ ବନ୍ଦ ହୋଇପାରିବନି । ଏବେ ବିଭାଗ ପକ୍ଷରୁ ବହିରେ ଚିତ୍ର ଭୁଲ ଥିବା ସ୍ଥାନରେ ଷ୍ଟିକର ମାରିବାକୁ ଯୋଜନା ଚାଲିଛି । ସବୁ ସ୍କୁଲକୁ ଷ୍ଟିକର ଛପା ଯାଇ ପଠାଯିବ ଓ ପିଲାମାନେ ଭୁଲ୍ ଚିତ୍ର ସ୍ଥାନରେ ଷ୍ଟିକର୍ ଲଗାଇ ପଢ଼ିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଭୁଲ୍ ଠିକ୍ର ଛକିଶୂନ ଖେଳ ଏବେ ପିଲାମାନଙ୍କ ପାଇଁ କାଳ ହେବାକୁ ଯାଉଛି । କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ହୋଇଯାଉଛି ।
ଚଳିତ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ୫୫ ଖଣ୍ଡ ବହି ଛାପିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଗତବର୍ଷ ମେ ୨୧ ତାରିଖ ରାଜ୍ୟସ୍ତରୀୟ କମିଟି ବୈଠକ ହୋଇଥିଲା । ଏଥିପାଇଁ ମୋଟ ୨ କୋଟି ୯୮ ଲକ୍ଷ ୨୯ ହଜାର ୨୭୩ ଖଣ୍ଡ ବହି ଛାପିବାକୁ କୁହାଯାଇଥିଲା । ପାଠ୍ୟପୁସ୍ତକ ପ୍ରସ୍ତୁତ ଦାୟିତ୍ୱ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍ସିଇଆର୍ଟି) ନେଲା । ମୁଦ୍ରଣ ଦାୟିତ୍ୱରେ ଥିଲା ରାଜ୍ୟ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ । ହେଲେ ଏତେ ସଂଖ୍ୟାରେ ବହି ଛାପିବାର କ୍ଷମତା ନଥିବା ଦର୍ଶାଇ ବିଭିନ୍ନ ଘରୋଇ ପ୍ରେସ୍କୁ ଛାପିବାକୁ ଦାୟିତ୍ୱ ଦେଲା ନିର୍ଦ୍ଦେଶାଳୟ । ଏଥିପାଇଁ ୨୧ କୋଟି ଟଙ୍କା ମଧ୍ୟ ଦେଇଛି । ଛପା ହେଉଥିବା କିଛି ବହି ପାଇଁ ମଧ୍ୟ ବାହାରୁ ପ୍ଲେଟ୍ ପ୍ରସ୍ତୁତ ହୋଇ ଆସୁଥିଲା । ଗତବର୍ଷ ଅକ୍ଟୋବର ମାସରୁ ବହି ଛାପିବାକୁ ଦାୟିତ୍ୱ ଦିଆଯାଇଥିଲା । ଏପରିକି ଟେଣ୍ଡର ପ୍ରକ୍ରିୟା ନଭେମ୍ବର ମାସରେ ମଧ୍ୟ ଆରମ୍ଭ ହୋଇଥିଲା । ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ପାଠ୍ୟପୁସ୍ତକ ସ୍କୁଲରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଥିଲା । ହେଲେ ସମୟରେ ମଧ୍ୟ ସମସ୍ତ ବହି ଛପା ଯାଇପାରିନଥିଲା । ସ୍କୁଲ ଖୋଲିବା ବେଳକୁ ମାତ୍ର ୧ କୋଟି ୪୦ ଲକ୍ଷ ବହି ଛପାଯାଇଥିଲା । ଏଥିରୁ କିଛି କିଛି ସ୍କୁଲକୁ ୧୦ ପ୍ରତିଶତ ବହି ସେ ସମୟରେ ପଠାଯାଇଥିଲା । ବର୍ତ୍ତମାନ ୯୦ ପ୍ରତିଶତରୁ ଅଧିକ ବହି ଛପା ସରିଲାଣି । ୮୦ ପ୍ରତିଶତ ବହି ବ୍ଲକସ୍ତରକୁ ପଠା ସରିଛି । ଏପରିକି ବହି ମୁଦ୍ରଣର ଟେଣ୍ଡର ପାଇଥିବା ସଂସ୍ଥାମାନଙ୍କଠାରୁ ପ୍ରତିଦିନ ଗାଡି଼ରେ ବହି ଆସୁଛି । ଏତିକି ନୁହେଁ ବହିରେ ତ୍ରୁଟି ଥିବା ଜାଣି ମଧ୍ୟ ଅଧିକାରୀମାନେ ଫୁଲବାଣୀ, ରାୟଗଡ଼ା, କୋରାପୁଟ ଭଳି ଅନେକ ଜିଲ୍ଲାର ବ୍ଲକମାନଙ୍କୁ ଏବେବି ବହି ପଠାଉଛନ୍ତି । ବହି ଛପା ସିନା ବନ୍ଦ ରହିଛି, କିନ୍ତୁ ବିଭିନ୍ନ ବହିର କଭର୍ ପେଜ୍ ଛପା ଯାଉଛି । ବହି ବନେ୍ଧଇ ହେଉଛି ।
ଜଣେ ଅଧିକାରୀ କହିଛନ୍ତି, ଆଉ ଅଳ୍ପ ଅର୍ଥାତ୍ ୧୦ରୁ ୧୨ ଲକ୍ଷ ବହି ଛାପିବାକୁ ବାକି ରହିଛି । ନହେଲେ ସମସ୍ତ ବହି ଛପା ସରିଛି । ଏହା ମଧ୍ୟ କହିଛନ୍ତି, ଟିବିପିଏମ୍ରେ କେବଳ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଯାଏ ପିଲାଙ୍କ ବହି ମୁଦ୍ରଣ କରାଯାଇଛି । ବାକି ସବୁ ଘରୋଇ ସଂସ୍ଥାକୁ ଦିଆଯାଇଛି । ଏମିତିକି ଉର୍ଦ୍ଦୁ ବହି ଛାପିବା ପାଇଁ ବାହାର ରାଜ୍ୟରୁ ସିଡି ଆସୁଥିଲା ବୋଲି କହିଛନ୍ତି । ଆଉ ଏକ ଗୁରୁତର କଥା ହେଲା ବହି ପ୍ରସ୍ତୁତି ପାଇଁ ଗଠନ ହୋଇଥିବା ୨୪ ଜଣିଆ କମିଟିରେ ଥିବା ବିଭିନ୍ନ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ରହିଥିଲେ । ଏହି କମିଟିରେ ଥିବା ଅଧିକାରୀ ଓ ଶିକ୍ଷାବିତମାନେ ଏ ସମ୍ପର୍କରେ କିଛି ଜାଣିନାହାନ୍ତି । ବୈଠକକୁ କେବେ ଡକରାଯାଇ ନାହିଁ । ନାଁକୁ ମାତ୍ର କେବଳ କମିଟି ହୋଇଥିଲା । କିଛି ବରିଷ୍ଠ ଅଧିକାରୀ ବାଃ ବାଃ ନେବାକୁ କାହାର ପରାମର୍ଶକୁ ଖାତିର ନକରି ନିଜେ ସଂପୂର୍ଣ୍ଣ ଦାୟିତ୍ୱ ନେଇଥିଲେ । ଏବେ ସେମାନଙ୍କ ଦେଖାମିଳୁନି । କିଛି ବିଭାଗୀୟ ଅଧିକାରୀ ନିଜକୁ ଲୁଚାଇବା ପାଇଁ କେଉଁଠି ନିଜର ନେମ୍ ପ୍ଲେଟ୍ ଲୁଚାଇଲାଣି ତ ଆଉ କେଉଁଠି ଅଫିସ ଆସି ଅନ୍ୟ କାର୍ଯ୍ୟ ଦର୍ଶାଇ ଯାଉଛନ୍ତି ।
‘ପ୍ରମେୟ’ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୭୮ଟି ଭୁଲ୍ ଥିବା ଖବର ଲୋକଲୋଚନକୁ ଆଣିଥିଲା । ଏହାପରେ ସରକାର ଚେତିଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ତୁରନ୍ତ ବୈଠକ ଡାକି ବରିଷ୍ଠ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରି ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ କମିଟିକୁ ୭ଦିନରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ । କମିଟି ଗଠନ ୧୮ ତାରିଖରେ ହୋଇଥିଲା । ଅର୍ଥାତ୍ କମିଟି ଗଠନର ଆଜିକୁ ୬ଦିନ ହେଲାଣି । ଆସନ୍ତାକାଲି ତଦନ୍ତର କଣ୍ଟ ପୂରିବ । ଏହି ତଦନ୍ତ କମିଟି ରିପୋର୍ଟ ଉପରେ ସମସ୍ତଙ୍କ ନଜର । ସେପଟେ ଗଣଶିକ୍ଷା ବିଭାଗରେ କୋକୁଆ ଭୟ ଖେଳିଯାଇଛି । ଶିକ୍ଷକ ସଂଘମାନେ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ।
ଆହୁରି ପଢନ୍ତୁ- Monsoon update : ମୌସୁମୀକୁ ନେଇ ସାନି ଆକଳନ, ଆରମ୍ଭରୁ ହେବ ଭଲ ବର୍ଷା, ଶେଷ ବେଳକୁ ପଡ଼ିବ ନିଅଣ୍ଟିଆ
Lucknow Fire Tragedy | କେବେ ଥମିବ ବିଲ୍ଡିଂ ଅଗ୍ନିକାଣ୍ଡ ? କାହାର ଭୁଲ ପାଇଁ ଚାଲିଗଲା ୧୫ ଜୀବନ ?