ନୂଆଦିଲ୍ଲୀ, ୨୩।୬: ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । କେନ୍ଦ୍ର ମତ୍ସ୍ୟ ପାଳନ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଅନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନର ଧାରା ୭୫(୨) ଅନୁଯାୟୀ, କୁରିଅନ୍ଙ୍କ ଇସ୍ତଫା ପତ୍ରକୁ ତତ୍କାଳ ପ୍ରଭାବରୁ ମଞ୍ଜୁର କରିଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଏବେ ପ୍ରଶ୍ନ ଉଠୁଛି କାହିଁକି ଇସ୍ତଫା ଦେଲେ ଜର୍ଜ କୁରିଅନ୍ ?
ଜର୍ଜ କୁରିଅନ୍ ଲୋକସଭା କିମ୍ବା ରାଜ୍ୟସଭା କୌଣସି ବି ସଦନର ସଦସ୍ୟ ନଥିବାରୁ ତାଙ୍କୁ ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଛି । ୨୦୨୪ ଅଗଷ୍ଟ ୨୭ରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକସଭାକୁ ନିର୍ବାଚିତ ହେବା ପରେ ମଧ୍ୟପ୍ରଦେଶର ଖାଲି ପଡ଼ିଥିବା ଆସନରୁ କୁରିଅନ୍ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୪ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହୋଇଥିବା ତାଙ୍କର ଏହି କାର୍ଯ୍ୟକାଳ ଗତ ଜୁନ୍ ୨୧ରେ ଶେଷ ହୋଇଛି । ବିଗତ ରାଜ୍ୟସଭା ନିର୍ବାଚନରେ ବିଜେପି ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିନଥିଲା, ଯାହା ଫଳରେ ସେ ସଂସଦର ସଦସ୍ୟ ହୋଇ ରହିନାହାନ୍ତି । ନିୟମ ଅନୁଯାୟୀ ସଂସଦ ସଦସ୍ୟ ନଥାଇ ମନ୍ତ୍ରୀ ପଦରେ ରହିବା ସମ୍ଭବ ନହେବାରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ଏହା ବି ପଢ଼ନ୍ତୁ... Maharashtra Politics: ମହାରାଷ୍ଟ୍ରରେ ଅପରେସନ୍ ଟାଇଗର୍ ଶେଷ...୨ ଫାଳ ଉଦ୍ଧବସେନା, ସିନ୍ଦେ ସେନାରେ ସାମିଲ ଉଦ୍ଧବଙ୍କ ୬ ସାଂସଦ
କେରଳର ଖ୍ରୀଷ୍ଟିଆନ ଭୋଟରଙ୍କୁ ବିଜେପିର ବାର୍ତ୍ତା:
ମୋଦୀ ସରକାରଙ୍କ ତୃତୀୟ ପାଳିରେ କେରଳର ବରିଷ୍ଠ ନେତା ଜର୍ଜ କୁରିଅନ୍ଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା । ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, କେରଳ ବିଧାନସଭା ନିର୍ବାଚନକୁ ଆଖିରେ ରଖି ବିଜେପି ପକ୍ଷରୁ ଏହି ବଡ଼ ଚାଲ୍ ଖେଳାଯାଇଥିଲା । କେରଳରେ ପ୍ରାୟ ୧୭ ପ୍ରତିଶତ ଖ୍ରୀଷ୍ଟିଆନ ଭୋଟର ଅଛନ୍ତି । ସୁରେଶ ଗୋପୀ ତ୍ରିଶୂର ଆସନରୁ ୭୪,୦୦୦ରୁ ଅଧିକ ଭୋଟ୍ରେ ଜିତି ରାଜ୍ୟରେ ବିଜେପିର ଖାତା ଖୋଲିବା ପଛରେ ଏହି ଖ୍ରୀଷ୍ଟିଆନ ଭୋଟ୍ ବ୍ୟାଙ୍କର ବଡ଼ ହାତ ଥିଲା। ଏହି ଭୋଟରଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦେବା ପାଇଁ କୁରିଅନ୍ଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିଲା ।
କେମିତି ଥିଲା ଜର୍ଜ କୁରିଅନ୍ଙ୍କୁ ରାଜନୈତିକ ଯାତ୍ରା ?
୧୯୮୦ ମସିହାରେ ବିଜେପି ପ୍ରତିଷ୍ଠା ହେବା ସମୟରୁ ହିଁ ଜର୍ଜ କୁରିଅନ୍ ଦଳ ସହ ଜଡ଼ିତ ଅଛନ୍ତି । ବିଜେପିରେ ନିଜର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସେ 'ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗ'ର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପୂର୍ବତନ ବାଜପେୟୀ ସରକାର ସମୟରେ ଯେତେବେଳେ ରାଜଗୋପାଳ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ, ସେତେବେଳେ ଜର୍ଜ କୁରିଅନ୍ ତାଙ୍କର ଓଏସଡି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । କୁରିଅନ୍ଙ୍କ ଇସ୍ତଫା ପରେ ଏବେ ଏହି ମନ୍ତ୍ରଣାଳୟର ଦାୟିତ୍ୱ କାହାକୁ ମିଳିବ ଏବଂ ମୋଦୀ ସରକାରଙ୍କ ଆଗାମୀ ରଣନୀତି କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।