ମୁମ୍ବାଇ,୨୩/୦୬; ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଦେଖିବାକୁ ମିଳିଛି । ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଶିବସେନା (ୟୁଟିବି)ର ୬ ବିଦ୍ରୋହୀ ଲୋକସଭା ସାଂସଦ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶାସକ ଶିବସେନାରେ ସାମିଲ ହୋଇଛନ୍ତି । ନିଜ ନୂଆ ରାଜନୈତିକ ନିଷ୍ପତ୍ତି ଘୋଷଣା କରିଛନ୍ତି । ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ସାଂସଦଙ୍କ ମଧ୍ୟରେ ସଞ୍ଜୟ ହରିଭାଉ ଜାଧବ, ଭାଉସାହେବ ରାଜାରା ୱାକଚୌରେ, ଓମପ୍ରକାଶ ଭୂପାଲସିଂହ ନିମ୍ବାଲକ, ସଞ୍ଜୟ ଦିନା ପାଟିଲ, ସଞ୍ଜୟ ଉତ୍ତରରାଓ ଦେଶମୁଖ ଏବଂ ନାଗେଶ ବାପୁରାଓ ପାଟିଲ ଅଷ୍ଟିକର ସାମିଲ ।
ବିଦ୍ରୋହୀ ସାଂସଦମାନେ ଆଜି ପ୍ରଥମେ ଏକନାଥ ସିନ୍ଦେଙ୍କ ସହ ନନ୍ଦନବନ ବଙ୍ଗଳାରେ ବୈଠକ କରିଥିଲେ । ଏହାପରେ ସାମ୍ବାଦିକ ସମ୍ମିଳନୀ ଲାଗି ୱାଇବି ଚୌହାନ ସେଣ୍ଟର ପହଞ୍ଚିଥିଲେ । ଏହି ସମୟରେ ସିନ୍ଦେ କହିଥିଲେ ଯେ, ‘ଅପରେସନ୍ ଟାଇଗର’ ସଫଳ ହୋଇଛି । ଏଠାରେ ଜଣେ ନୁହନ୍ତି, ୬ ଜଣ ‘ଟାଇଗର’ ଉପସ୍ଥିତ ଅଛନ୍ତି । ୪ ବର୍ଷ ପୂର୍ବରୁ ସେ ଦଳ, ବାଲାସାହେବଙ୍କ ବିଚାରଧାରା ଏବଂ ଧନୁ-ବାଣ ଚିହ୍ନକୁ ବଞ୍ଚାଇବାକୁ ବିଦ୍ରୋହ କରିଥିଲେ । ସେତେବେଳେ ୪୦ ଜଣ ବିଧାୟକ ତାଙ୍କ ସହ ଥିଲେ । ପୂର୍ବରୁ ସେମାନେ ଚୌକା ମାରିଥିଲେ । ଏଥରକ ଛକ୍କା ମାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଶିବସେନାର ବିସ୍ତାର ହୋଇଛି । ସେହିପରି ବିଗତ ୪ ବର୍ଷରେ ତାଙ୍କ ଗୋଷ୍ଠୀ ଶିବସେନାକୁ ଦୃଢ କରିବାକୁ କାମ କରିଛି । ତାଙ୍କ କାମ ଦ୍ୱାରା ପ୍ରଭାବିତ ହୋଇ ଏହି ସାଂସଦମାନେ ଅସଲ ଶିବସେନା ପରିବାରରେ ସାମିଲ ହୋଇଛନ୍ତି । ନୂଆ କରି ସାମିଲ ହୋଇଥିବା ସାଂସଦଙ୍କ ଚିନ୍ତା ଏବଂ ସେମାନଙ୍କ ନିର୍ବାଚନମଣ୍ଡଳୀର ବିକାଶମୂଳକ ଆବଶ୍ୟକତାକୁ ପୂରଣ କରାଯିବ । ଦଳରେ କେହି ସୁପ୍ରିମଲିଡର ନାହାନ୍ତି ବୋଲି ସିନ୍ଦେ କହିଛନ୍ତି ।
ଏହା ବି ପଢନ୍ତୁ...TMC Crisis: କିଏ ଅରୂପ ରୟ ? ଯାହାଙ୍କୁ ମମତାଙ୍କ ସ୍ଥାନରେ ବିଦ୍ରୋହୀ ଟିଏମସିର ନୂଆ ଅଧ୍ୟକ୍ଷ କରିଦେଲେ
୨୦୨୨ ପରେ ଏହାକୁ ମିଶାଇ ଶିବସେନା ଦ୍ୱିତୀୟ ଥର ଭାଙ୍ଗିଛି । ଏହି ୬ ସାଂସଦଙ୍କୁ ମିଶାଇଲେ ଲୋକସଭାରେ ସିନ୍ଦେ ଗୋଷ୍ଠୀର ସାଂସଦଙ୍କ ସଂଖ୍ୟା ୭ରୁ ୧୩ରୁ ବୃଦ୍ଧି ପାଇଛି । ଉଦ୍ଧବଙ୍କ ଗୋଷ୍ଠୀରେ ୯ଜଣଙ୍କ ମଧ୍ୟରୁ ମାତ୍ର ୩ ଜଣ ସାଂସଦ ରହିଯାଇଛନ୍ତି । ସେପଟେ ଏହି ସାଂସଦଙ୍କ ବିରୋଧରେ ଦଳବଦଳ ଆଇ ଲାଗୁ ହେବ ନାହିଁ । କାରଣ କୌଣସି ଦଳ ଭାଙ୍ଗିଲେ ସାଂସଦଙ୍କୁ ଅଯୋଗ୍ୟତାକୁ ରକ୍ଷା ପାଇବା ଲାଗି ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ଜରୁରୀ ହୋଇଥାଏ । ଶିବସେନା (ୟୁଟିବି) ୬ ସାଂସଦ ଏକାଠି ବିଦ୍ରୋହ କରି ସିନ୍ଦେ ଗୋଷ୍ଠୀକୁ ସମର୍ଥନ କରିଛନ୍ତି । ତେଣୁ ଏମାନଙ୍କ ଲୋକସଭା ସଦସ୍ୟତା ଉପରେ ତତ୍କାଳ କୌଣସି ବିପଦ ନାହିଁ ।