କୋଲକାତା,୨୩/୦୬; ପଶ୍ଚିମବଙ୍ଗ ରାଜନୀତିରେ ଆଉ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି । ମମତା ବାନାର୍ଜୀଙ୍କ ନେତୃତ୍ୱରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍ସି) ଏବଂ ବିଦ୍ରୋହୀ ଗୋଷ୍ଠୀଙ୍କ ‘ଅସଲି ଟିଏମ୍ସି’ ମଧ୍ୟରେ ଚାଲିଥିବା ଲଢ଼େଇ ଭିତରେ ବିଦ୍ରୋହୀଙ୍କ ନେତୃତ୍ୱ ନେଇଥିବା ବିଧାୟକ ଋତବ୍ରତ ବାନାର୍ଜୀ ଟିଏମ୍ସି ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କୁ ଦଳର ଅଧ୍ୟକ୍ଷା ପଦରୁ ହଟାଇଛନ୍ତି । ତାଙ୍କ ସ୍ଥାନରେ ବରିଷ୍ଠ ବିଧାୟକ ତଥା ବିଦ୍ରୋହୀ ଗୋଷ୍ଠୀର ଅରୂପ ରୟଙ୍କୁ ଦଳର ଅଧ୍ୟକ୍ଷ ଘୋଷଣା କରାଯାଇଛି । ସେହିପରି ମମତାଙ୍କ ପୁତୁରା ତଥା ଦଳର ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ପଦରୁ ନିଲମ୍ବନ କରାଯାଇଛି । ବିଦ୍ରୋହୀ ଗୋଷ୍ଠୀକୁ ପ୍ରକୃତ ଟିଏମ୍ସି ବୋଲି ଋତବ୍ରତ ପୁଣି ଦାବି କରିଛନ୍ତି । ଏହି ମହାବିଦ୍ରୋହ ମମତାଙ୍କ ନେତୃତ୍ୱ ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି । ନ୍ୟୁଟାଉନର ଏକ ପଞ୍ଚତାରକା ହୋଟେଲରେ ସୋମବାର ବିଦ୍ରୋହୀ ଦଳର ନେତା ଋତବ୍ରତଙ୍କ ସମେତ ୬୦ ବିଦ୍ରୋହୀ ବିଧାୟକ, ୭୦ କାଉନସିଲର ଏବଂ ବିଭିନ୍ନ ଜିଲ୍ଲାର ପୂର୍ବତନ ନିର୍ବାଚିତ ପ୍ରତିନିଧିମାନେ ଏକ ବୈଠକ କରିଥିଲେ ।
ଋତବ୍ରତ ଏହି ବୈଠକକୁ ସମ୍ବୋଧିତ କରି କହିଥିଲେ, ୨୦୨୨ରେ ଗଠିତ ଦଳର ସାଙ୍ଗଠନିକ କମିଟିର ୩ ବର୍ଷିଆ କାର୍ଯ୍ୟକାଳ ୨୦୨୫ରେ ଶେଷ ହୋଇଯାଇଥିଲେ ହେଁ ତାହାର ନବୀକରଣ କରଯାଇନାହିଁ । ଏହା ଦଳରେ ଏକ ସାମ୍ବିଧାନିକ ସମସ୍ୟା । ତେଣୁ ଏଥିରେ ନବୀକରଣ କରାଯାଇ ଅଭିଷେକ ବାନାର୍ଜୀଙ୍କୁ ନିଲମ୍ବନ କରାଯିବା ସହ ମମତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଦଳରେ ଏକ ନୂଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଏଥିରେ ଅରୂପ ରୟଙ୍କ ସମେତ ଫିରହାଦ୍ ହାକିମ୍, ଅରୂପ ବିଶ୍ୱାସ, ବିପ୍ଳବ ମିତ୍ର, ଅଖରୁଜ୍ଜା ଅନ୍ସାରୀ, ସବିନା ୟାସ୍ମିନ୍, ସନ୍ଦିପନ୍ ସାହା, ରତିନ ଘୋଷ, ଜାଭେଦ ଖାନ୍, ଋତବ୍ରତ ବାନାର୍ଜୀ ରହିଛନ୍ତି ।ବୈଠକରେ ଅରୂପ ରୟଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା ।
ଏହା ବି ପଢନ୍ତୁ...Coching Center Fire : ଲୋଭ-ଦାୟିତ୍ୱହୀନତା ପାଇଁ ଲଭିଗଲା ୧୫ ଜୀବନ ଦୀପ, କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପାଇଁ କିଏ ଅସଲ ଦୋଷୀ ?
ଟିଏମସିର ନୂଆ ଅଧ୍ୟକ୍ଷ ଅରୂପ ରାୟ- ପଶ୍ଚିମବଙ୍ଗ ରାଜନୀତିରେ ଜଣେ ଜଣାଶୁଣା ବ୍ୟକ୍ତି । ପଶ୍ଚିମବଙ୍ଗର ହାୱଡାରେ ଜନ୍ମଗ୍ରହଣ କରିଥିବା ସେ ଛାତ୍ର ରାଜନୀତିରୁ କଂଗ୍ରେସ ଦଳର ଛାତ୍ର ଶାଖାରେ ଯୋଗ ଦେଇ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରକୃତ ରାଜନୈତିକ କ୍ୟାରିୟର ୧୯୯୦ ଦଶକରେ ଆରମ୍ଭ ହୋଇଥିଲା । ମମତା ବାନାର୍ଜୀ କଂଗ୍ରେସ ଦଳରୁ ଅଲଗା ହୋଇଥିଲେ । ୧୯୯୮ ମସିହାରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଗଠନ କରିଥିଲେ । ମମତା ବାନାର୍ଜୀଙ୍କ ପ୍ରାରମ୍ଭିକ ଜୀବନରେ ତାଙ୍କୁ ସମର୍ଥନ କରିଥିବା ପ୍ରାରମ୍ଭିକ ଏବଂ ବିଶ୍ୱସ୍ତ ନେତାମାନଙ୍କ ମଧ୍ୟରୁ ଅରୂପ ରାୟ ଜଣେ ଥିଲେ। ହାଓଡ଼ା ଜିଲ୍ଲାରେ ତୃଣମୂଳ କଂଗ୍ରେସକୁ ମଜବୁତ କରିବାକୁ ସେ ଲଢେଇ କରିଥିଲେ । ମମଲା ବାନାର୍ଜୀଙ୍କ ବିଶ୍ୱସ୍ତ ଥିଲେ ଅରୂପ । ବଙ୍ଗଳାର ହାଓଡା କେନ୍ଦ୍ରୀୟ ବିଧାନସଭା ଆସନରୁ ଲଗାତାର ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ ଅରୂପ । ସେ ୨୦୧୧, ୨୦୧୬, ୨୦୨୧ ଏବଂ ୨୦୨୬ ନିର୍ବାଚନରେ ଟିଏମସି ଟିକେଟରେ ବିଜୟୀ ହୋଇଥିଲେ । ମମତାଙ୍କ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ସମବାୟ ଏବଂ କୃଷି ଭଳି ବିଭାଗ ସମ୍ଭାଳିଥିଲେ ।
ଟିଏମ୍ସି ୩ ଫାଳ- ଟିଏମ୍ସି ପ୍ରତିଷ୍ଠା କରିଥିବା ମମତା ବାନାର୍ଜୀଙ୍କୁ ବିଦ୍ରୋହୀ ଗୋଷ୍ଠୀ ଦଳରୁ ବିଦା କରିବା ନେଇ ସଦ୍ୟ ଘଟଣାକ୍ରମ ପରେ ଏହି ଦଳ ଏବେ ୩ ଫାଳ ହୋଇଯାଇଥିବା ନଜର ଆସୁଛି । ପ୍ରଥମ ଗୋଷ୍ଠୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍ସି, ଦ୍ୱିତୀୟଟି ହେଉଛି ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଭୂମିକା ନିଭାଉଥିବା ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ଏବଂ ଅନ୍ୟଟି ହେଉଛି କାକୋଳି ଘୋଷଙ୍କ ନେତୃତ୍ୱାଧୀନ ଟିଏମ୍ସି । କାକୋଳିଙ୍କ ପାଖରେ ୨ ଡଜନେରୁ ଅଧିକ ଲୋକସଭା ସାଂସଦଙ୍କ ସମର୍ଥନ ରହିଛି । ଏହି ଗୋଷ୍ଠୀ ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ ନାମକ ଏକ ଛୋଟ ଦଳ ସହ ବିଲୟ ହୋଇ ସଂସଦରେ ଏନ୍ଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଏବେ ସବୁଠୁ ବଡ଼ ପ୍ରଶ୍ନ ଟିଏମ୍ସି ଅସଲ ନେତୃତ୍ୱ ଏବଂ ବୈଚାରିକ ଧାରା କାହା ପାଖରେ ରହିଛି ।
ବିଦ୍ରୋହୀ ସାଂସଦ ନିଜକୁ ଟିଏମ୍ସି ଦାବି କରୁଥିବାବେଳେ ଋତବ୍ରତଙ୍କ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ନିଜ ନାମରେ ଦଳର ନାଁ ଏବଂ ଚିହ୍ନ କରିବାକୁ ଦାବି ରଖିଛନ୍ତି । ସେହିପରି ଦଳର ପ୍ରାୟ ୧,୧୦୦ କୋଟି ଟଙ୍କାର ଫଣ୍ଡ୍ ଉପରେ କାହାର ଅଧିକାର ରହିବ ସେ ନେଇ ସ୍ଥିତି ସ୍ପଷ୍ଟ ହୋଇନି । ନିକଟରେ ବିଦ୍ରୋହୀ ବିଧାୟକ ଥାନାରେ ଅଭିଯୋଗ କରିବା ପରେ ଟିଏମ୍ସିର ୩ଟି ବ୍ୟାଙ୍କ ଖାତାରେ ଜମା ଥିବା ପ୍ରାୟ ୪୪୦ କୋଟି ଟଙ୍କାର ଫଣ୍ଡ ଉପରେ ଡେବିଟ୍ ବ୍ୟାନ୍ ଲାଗୁ କରାଯାଇଥିଲା ।