ନୂଆଦିଲ୍ଲୀ,୧୨ /୯:  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କ ହତ୍ୟା ମାମଲା । ସନ୍ଦିଗ୍ଧ ହତ୍ୟାକାରୀର ଫଟୋ ଜାରି କଲା  ତଦନ୍ତକାରୀ ସଂସ୍ଥା ଏଫବିଆଇ । ଯେଉଁଥିଲେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସିଡ଼ି ଦେଇ ଉପରକୁ ଓ ତଳକୁ ଯାଉଥିବାର ଦେଖାଯାଉଛି। ସେ ଆମେରିକୀୟ ପତାକା ଥିବା ଏକ ଟି-ସାର୍ଟ ପିନ୍ଧିଥିବା ବେଳେ   ଏକ ବେସବଲ୍ କ୍ୟାପ୍, ଚଷମା ଏବଂ ବ୍ୟାଗ୍ ମଧ୍ୟ ରହିଛି। ତେବେ ଚାର୍ଲି କିର୍କଙ୍କୁ ସେପ୍ଟେମ୍ବର ୧୦ ତାରିଖରେ ଆମେରିକାର ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟ ବା ୟୁଭିୟୁରେ ଗୁଳି କରି ହତ୍ୟା କରାଯାଇଥିଲା।

ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଆକ୍ରମଣକାରୀଙ୍କ ବିଷୟରେ ସୂଚନା ପାଇଁ ଏଫବିଆଇ ୧୦୦,୦୦୦ ଡ଼ଲାର ବା ପ୍ରାୟ ୮୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ତଦନ୍ତକାରୀ ସଂସ୍ଥା ସୋସିଆଲ ମିଡିଆ ପ୍ଲାଟଫର୍ମ  ଏକ୍ସରେ ଲେଖିଛନ୍ତି ଚାର୍ଲି କିର୍କଙ୍କ ହତ୍ୟା ମାମଲାରେ ଆମେ ନିରନ୍ତର ନ୍ୟାୟ ପାଇବାକୁ ଚେଷ୍ଟା କରୁଛୁ। ସେପ୍ଟେମ୍ବର ୧୦ ରେ ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଚାର୍ଲି କିର୍କଙ୍କ ହତ୍ୟା ମାମଲାରେ ନ୍ୟାୟ ପାଇବା ପାଇଁ ଆମର ଆଇନ ପ୍ରବର୍ତ୍ତନ ଅଂଶୀଦାରମାନଙ୍କ ସହିତ ମିଶି ତଦନ୍ତ ଜାରି ରଖିଛି।
ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ ଏବଂ ପବ୍ଲିକ୍ ସେଫ୍ଟି କମିଶନର ବ୍ୟୁ ମ୍ୟାସନ ଉଟାହ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ମ୍ୟାସନ କହିଛନ୍ତି ଯେ କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥା ବହୁତ ଦୁର୍ବଳ ଥିଲା, ଯାହା ଯୋଗୁଁ ଅଭିଯୁକ୍ତ ସହଜରେ ଛାତ ଉପରେ ପହଞ୍ଚି ଯାଇଥିଲେ। ସେଠାରୁ ସେ ୧୭୫ ଗଜ ଦୂରରୁ ଚାର୍ଲି କିର୍କଙ୍କୁ ଗୁଳି କରିଥିଲେ ଏବଂ ତା'ପରେ ଘାସ ପଡ଼ିଆକୁ ଡେଇଁ ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିଲେ। ସେପଟେ ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଚାହାଁନ୍ତି। ସେ ଚାର୍ଲିଙ୍କ ପତ୍ନୀ ଏରିକାଙ୍କ ସହ କଥା ହୋଇ ସମବେଦନା ପ୍ରକାଶ କରିଛନ୍ତି। ଟ୍ରମ୍ପ କିର୍କଙ୍କ ହତ୍ୟାକାରୀଙ୍କୁ ଏକ ପଶୁ ବୋଲି କହିବା ସହ ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି।