ଯଦି ଆପଣ ଓଜନ କମାଇବା ପାଇଁ ଅନଲାଇନରୁ କୌଣସି ସପ୍ଲିମେଣ୍ଟ କିଣୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ । ଆମେରିକୀୟ ସ୍ୱାସ୍ଥ୍ୟ ସଂସ୍ଥା FDA ନିକଟରେ ୨୯ ପ୍ରକାରର ସପ୍ଲିମେଣ୍ଟକୁ ନେଇ ଏକ ବଡ଼ ଚେତାବନୀ ଜାରି କରିଛି । ଆମାଜନ, ଇ-ବେ (eBay) ଏବଂ ଏଟସି (Etsy) ଭଳି ପ୍ଲାଟଫର୍ମରେ ବିକ୍ରି ହେଉଥିବା ଏହି ସପ୍ଲିମେଣ୍ଟଗୁଡ଼ିକରେ ପ୍ରାଣଘାତୀ ବିଷାକ୍ତ ତତ୍ତ୍ୱ ଥିବା ଜଣାପଡ଼ିଛି । ଏହି ସପ୍ଲିମେଣ୍ଟରେ କ’ଣ ରହିଛି ଆସନ୍ତୁ ଜାଣିବା । ମିଳିଥିବା ସୂଚନା ଅନୁଯାୟୀ, ଏହି ସପ୍ଲିମେଣ୍ଟଗୁଡ଼ିକ ନିଜକୁ 'ତେଜୋକୋଟେ ରୁଟ୍' କିମ୍ବା 'ବ୍ରାଜିଲ ସିଡ୍' କହି ବିକ୍ରି କରାଯାଉଥିଲା । କିନ୍ତୁ ଲ୍ୟାବ୍ ପରୀକ୍ଷାରୁ ଜଣାପଡ଼ିଛି ଯେ, ଏଥିରେ 'ୟେଲୋ ଓଲିଏଣ୍ଡର' ନାମକ ଏକ ଅତ୍ୟନ୍ତ ବିଷାକ୍ତ ଗଛ ମିଶାଯାଇଛି । ୟେଲୋ ଓଲିଏଣ୍ଡ ଏକ ପ୍ରକାର କନିଅର ଜାତୀୟ ଗଛ, ଯାହାର ସେବନ ଶରୀର ପାଇଁ ଘାତକ ହୋଇପାରେ ।

ଶରୀର ଉପରେ କେଉଁ ପ୍ରଭାବ ପଡ଼େ ?

ଏହି ବିଷାକ୍ତ ସପ୍ଲିମେଣ୍ଟ ସେବନ କଲେ ହୃଦୟ ଜନିତ ସମସ୍ୟା ଯେପରିକି ହାର୍ଟ ଆଟାକ୍ ବା କାର୍ଡିଆକ୍ ଆରେଷ୍ଟର ଭୟ ଥାଏ । ମୁଣ୍ଡ ବୁଲାଇବା ଏବଂ ମାନସିକ ଦ୍ୱନ୍ଦ୍ୱ ଭଳି ସମସ୍ୟା ଦେଖାଦେଇପାରେ । ଭୟଙ୍କର ପେଟ ଯନ୍ତ୍ରଣା ହେବା ସହ ବାନ୍ତି ଏବଂ ଝାଡ଼ା ବି ହୋଇପାରେ ।

ଏହା ବି ପଢ଼ନ୍ତୁ... ରକ୍ତ ଗ୍ଲୁକୋଜ ୧୨୬ ଏମ୍ଜି/ଡିଏଲ ଛୁଇଁଲେ ଅଙ୍ଗଗୁଡ଼ିକର କ୍ଷତି ହୁଏ କି? ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର

ସପ୍ଲିମେଣ୍ଟରେ କାହିଁକି ଏହାକୁ ବ୍ୟବହାର କରାଯାଉଛି ?

ଜାଣିବାକୁ ମିଳିଛି ଯେ, ୟେଲୋ ଓଲିଏଣ୍ଡର ସେବନ କଲେ ଭୋକ କମିଯାଏ ଏବଂ ବାନ୍ତି-ଝାଡ଼ା ହୋଇଥାଏ, ଯାହାଦ୍ୱାରା ଓଜନ ଶୀଘ୍ର କମିଥିବା ପରି ମନେହୁଏ । କିନ୍ତୁ ଏହା ଓଜନ କମାଇବାର ସଠିକ୍ ପ୍ରକ୍ରିୟା ନୁହେଁ, ବରଂ ଏକ ପ୍ରାଣଘାତକ ପଦକ୍ଷେପ ।

FDA ର ପରାମର୍ଶ:

୧. ଯଦି ଆପଣ ଏହି ସପ୍ଲିମେଣ୍ଟ ବ୍ୟବହାର କରୁଛନ୍ତି, ତେବେ ତୁରନ୍ତ ବନ୍ଦ କରନ୍ତୁ ।

୨. ଏହି ଔଷଧଗୁଡ଼ିକୁ ନଷ୍ଟ କରିଦିଅନ୍ତୁ ।

୩. ଯଦି କୌଣସି ଲକ୍ଷଣ ଦେଖାଯାଉ ନାହିଁ, ତଥାପି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

୪. ଗୁରୁତର ଅନୁଭବ କଲେ ବିଳମ୍ବ ନକରି ଡାକ୍ତରଖାନାକୁ ଯାଆନ୍ତୁ ।

ଅନେକ କମ୍ପାନୀ ସେମାନଙ୍କ ଉତ୍ପାଦ ବଜାରରୁ ଫେରାଇ ନେଉଥିବା ବେଳେ, ଅନ୍ୟ କିଛି କମ୍ପାନୀ ଏହାକୁ ଫେରାଇ ନେବାକୁ ଅରାଜି । ତେଣୁ ଗ୍ରାହକମାନେ ନିଜେ ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।