ଭୁବନେଶ୍ୱର ୧୪/୧୨: ପର୍ଯ୍ୟାପ୍ତ ଶୋଇବା ପରେ ମଧ୍ୟ ଥକ୍କା ଅନୁଭବ କରୁଛନ୍ତି  କି? ଆଜିକାଲି ପ୍ରାୟ ଲୋକଙ୍କଠାରେ ସବୁବେଳେ ଥକ୍କାପଣ   ଦେଖାଦେଉଛି । ଏହା ଖୁବ୍‌ ସାଧାରଣ ହୋଇପଡିଲାଣି ମଧ୍ୟ ।  ଏପରିକି ଭଲ ଭାବେ ଶୋଇବା ପରେ ମଧ୍ୟ ଏହି ଥକ୍କାପଣ  ଦୂର ହେଉନାହିଁ । ନିଦରେ ଅନିୟମିତତା କାରଣରୁ ଏପରି  ହେଉଛି କିମ୍ବା କୌଣସି ଔଷଧ କରଣରୁ ଏପରି ହେଉ  ନାହିଁ ତ! ଏବେ ଚାଲନ୍ତୁ ଜାଣିବା ଥକ୍କାପଣର କାରଣ ଓ  ସମାଧାନର ବାଟ ।  

ପର୍ଯ୍ୟାପ୍ତ ଶୋଉଛନ୍ତି କି ?

ପ୍ରଥମେ ନିଜ ନିଜର ନିଦ ଅଭ୍ୟାସ ବିଷୟରେ ଜାଣନ୍ତୁ ।  ଆପଣଙ୍କ ଶୋଇବା ସମୟରେ କୌଣସି ପରିବର୍ତ୍ତନ  ଆସିଛି କି? ଏହାବ୍ୟତୀତ କୌଣସି ଚିନ୍ତା ରହିଛି କି?  ଯଦି କିଛି ସମସ୍ୟା ନଥାଏ, ତେବେ ନିଦରେ ସୁଧାର   ଆଣିବା ଜରୁରି । ଏବେ ନିୟମ କରନ୍ତୁ ଯେ ଦିନକୁ ୭   ଘଣ୍ଟା ଶାନ୍ତିରେ ଶୋଇବେ । ନିୟମିତ ଶୋଇବାର ସମୟ ମଧ୍ୟ ସ୍ଥିର ରଖନ୍ତୁ । ବିଶେଷଜ୍ଞଙ୍କ କହିବା କଥା ଏହି ନିୟମ  ପାଳନ କରିବା ଦ୍ୱାରା ହିଁ ଜଣେ ବ୍ୟକ୍ତି ଠିକ୍‌ ପିଲାଙ୍କ ପରି  ଶାନ୍ତିରେ ଶୋଇ ପାରିବେ । ରାତ୍ରି ଭୋଜନ ମଧ୍ୟ ନିଦ ପାଇଁ   ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଶୋଇବାକୁ ଯିବାର ୨/୩ ଘଣ୍ଟା ପୂର୍ବରୁ  ରାତ୍ରି ଭୋଜନ କରିନେବା ଉଚିତ୍‌ । ଯଦି ନିଦରେ ସମସ୍ୟା  ରହିଥାଏ, ତେବେ ଡାକ୍ତରଙ୍କ ପରାମର୍ଶ କରିବାକୁ ଭୁଲନ୍ତୁନି ।

ଅନିଦ୍ରା ପଛର କାରଣ :

ଅନିଦ୍ରା ସମସ୍ୟା ଲଗାତାର ବଢିଚାଲିଛି । ଯଦି ଦିନରେ ମଧ୍ୟ  ନିଦ ଲାଗୁଥାଏ, ତେବେ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ ।  ସମସ୍ୟାର କାରଣ ଜଣାପଡିଯିବ ।  

ଇନ୍‌ସୋମିଆ: ଦୁନିଆର ପ୍ରାୟ ୩୦ ପ୍ରତିଶତ ବୟସ୍କ  ଲୋକ ଅନିୟମିତ ନିଦଜନିତ ସମସ୍ୟାର ଶିକାର  ହେଉଛନ୍ତି । ଫଳରେ ସେମାନଙ୍କଠାରେ ଥକ୍କାପଣ ସହ  ଏକାଗ୍ରତାର ଅଭାବ ଦେଖିବାକୁ ମିଳୁଛି । ଇନ୍‌ସୋମିଆର  ମୁଖ୍ୟ ଲକ୍ଷଣ ଚିନ୍ତା । କିନ୍ତୁ ଯଦି ଏହି ଲକ୍ଷଣ ସପ୍ତାହକୁ ୩   ଥର ବା ତିନି ମାସ ଯାଏ ରହିଥାଏ, ତେବେ ଏହା କ୍ରନିକ୍‌   ଇନ୍‌ସୋମିଆ ହୋଇଥାଇପାରେ । 

ସ୍ଲପି୍‌ ଆପ୍ନିଆ: ନିଦରେ ଥିବା ବେଳେ ଗଳାର ମାଂସପେଶୀ  ସଙ୍କୁଚିତ ହେବା ଦ୍ୱାରା ଏୟାର ଫ୍ଲୋ ବାଧିତ ହୋଇଥାଏ ।  ଫଳରେ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଆସେ । ଏପରି ହେବା   ଦ୍ୱାରା ଅନେକ ସମୟରେ ନିଦ ଭାଙ୍ଗିଥାଏ ।   

ହର୍‌ମୋନାଲ୍‌ ଅସନ୍ତୁଳନ: ହାଇପୋଥାଇରାଇଡିଜମ୍‌  ପରି ସମସ୍ୟା ଯୋଗୁ ଲଗାତାର ଥକ୍କାପଣ ଆସିଥାଏ ।  

ଭିଟାମିନ୍‌ ବା ମିନେରାଲ୍ସ ଅଭାବ: ଶାକାହାରୀ ଓ  ଭେଗାନ୍‌ ଡାଏଟ୍‌ ନେଉଥିବା ବ୍ୟକ୍ତିଙ୍କଠାରେ ଆଇରନ୍‌  ଅଭାବରୁ ଏପରି ସମସ୍ୟା ଦେଖା ଦେଇଥାଏ । ସେହିପରି   ଭିଟାମିନ୍‌-ଡି, ବି-୧୨ ଅଭାବରୁ ମଧ୍ୟ ଥକ୍କାପଣ ଆସିଥାଏ ।  ସପ୍ଲିମେଣ୍ଟ ଦ୍ୱାରା ଏହାର ସମାଧାନ କରାଯାଇପାରିବ ।