ବାନ୍ଧବୀଙ୍କ ଗଳା କାଟି ହତ୍ୟା କଲେ ଯୁବତୀ

ଭୁବନେଶ୍ୱର,୨୦ ।୧(ବ୍ୟୁରୋ): ରାଜଧାନୀରେ ଘଟି ଯାଇଛି ଲୋମଟାଙ୍କୁରା ହତ୍ୟାକାଣ୍ଡ । ଦୀର୍ଘ ୧୦ ବର୍ଷ ହେବ ଏକାଠି ରହୁଥିବା ବାନ୍ଧବୀଙ୍କୁ ଛୁରିରେ ଗଳା କାଟି ବିଭତ୍ସ ଭାବେ ହତ୍ୟା କରିଛନ୍ତି ଯୁବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଶନିବାର ବିଳମ୍ବିତ ରାତିରେ ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ଗୌରୀନଗର ଲେନ୍-୫ରେ । ମୃତ ଯୁବତୀଙ୍କ ନାମ ଅଳକାନନ୍ଦା ଦାସ(୩୧) । ତାଙ୍କ ବାପାଙ୍କ ନାମ ବିନୋଦ ବିହାରୀ ଦାସ । ଘର ବାଲେଶ୍ୱର ବସ୍ତା । ଅଭିଯୁକ୍ତ ଯୁବତୀ ଅନିଷା ମିତ୍ର(୩୬)ଙ୍କୁ ପୁଲିସ ଗିରଫ କରିଛି । ଅନିଷାଙ୍କ ପୈତୃକ ଘର ପୁରୀ ଜିଲ୍ଲା କୋଣାର୍କ । ତାଙ୍କ ପରିବାର ଲୋକେ ଦୀର୍ଘ ବର୍ଷ ଧରି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ାରେ ରହୁଥିଲେ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଦୀର୍ଘ ବର୍ଷର ସଂପର୍କ ବିଚ୍ଛେଦକୁ ନେଇ ଅଳକାନନ୍ଦାଙ୍କୁ ଅନିଷା ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ତେବେ ଜଣେ ଯୁବତୀ ବାନ୍ଧବୀଙ୍କୁ ହତ୍ୟା କରିବା ରାଜଧାନୀରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହି ଘଟଣା ଆଜି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ପୁଲିସ ସୂଚନା ଅନୁଯାୟୀ, ଅଳକାନନ୍ଦା ଓ ଅନିଷା ୧୦ ବର୍ଷ ହେବ ‘ନିଧି’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ୧୦ ବର୍ଷର ସଂପର୍କ । ଭୁବନେଶ୍ୱରରେ ସେମାନେ ୧୦ ବର୍ଷ ଧରି ଏକାଠି ରହି ଆସୁଥିଲେ । ୭ ବର୍ଷ ହେବ ଭୁବନେଶ୍ୱରରେ ଭଡ଼ାରେ ଏକାଠି ରହୁଥିଲେ । ଏବେ ୩ ବର୍ଷ ହେବ ସେମାନେ ଗୌରୀନଗର ଲେନ୍-୫ରେ ଜ୍ଞାନରଞ୍ଜନ ମିଶ୍ରଙ୍କ ଘର ଭଡ଼ା ନେଇ ରହୁଥିଲେ । ଅଳକା କିଛିମାସ ହେବ ନିଧି ଅନୁଷ୍ଠାନ ଛାଡ଼ି ଭୁବନେଶ୍ୱରରେ ‘ରାଜ୍ ବିପିଓ’ ନାମକ ଏକ ସଂସ୍ଥାରେ କଷ୍ଟମର କେୟାର ଏକ୍ଜିକ୍ୟୁଟିଭ୍ ଭାବେ କାମ କରୁଥିଲେ । ଅନିଷା ୩ ମାସ ହେବ ନିଧି ଅନୁଷ୍ଠାନ ଛାଡ଼ି ଦେଇଥିଲେ ମଧ୍ୟ ଅନ୍ୟ କେଉଁଠି ଚାକିରି କରି ନ ଥିଲେ ।
ଘର ମାଲିକ ଜ୍ଞାନରଞ୍ଜନ ମିଶ୍ରଙ୍କ କହିବା ଅନୁଯାୟୀ, ଅଳକା ଓ ଅନିଷା ତାଙ୍କ ଘରର ତୃତୀୟ ମହଲାରେ ରହୁଥିଲେ । ସେମାନଙ୍କ ମଧ୍ୟରେ ଅତି ନିବିଡ଼ ସଂପର୍କ ଥିଲା । କିନ୍ତୁ ଗତ କିଛିଦିନ ହେବ ଉଭୟଙ୍କ ମଧ୍ୟରେ ମଝିରେ ମଝିରେ ପାଟିତୁଣ୍ଡ ହେଉଥିଲା । ଶନିବାର ରାତି ସାଢ଼େ ଗୋଟାଏ ବେଳେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଶ୍ରୀ ମିଶ୍ର ଯାଇ ଉଭୟଙ୍କୁ ବୁଝାସୁଝା କରି ଆସିଥିଲେ । ତା’ପରେ ରାତି ୨ଟା ୪୫ରେ ହଠାତ୍ ଅନିଷା ଓ ଅଳକା ରହୁଥିବା ଘରୁ ଚିତ୍କାର ଶୁଣା ଯାଇଥିଲା । ତେଣୁ ଶ୍ରୀ ମିଶ୍ର ଆସି ଘର କବାଟ ବାଡ଼େଇଥିଲେ । ଅନିଷା ଆସି କବାଟ ଖୋଲିଥିଲେ । ଅଳକାଙ୍କ ରକ୍ତ ଜୁଡୁବୁଡୁ ଶରୀର ଚଟାଣରେ ପଡ଼ିଥିଲା । ଘର ସାରା ରକ୍ତର ସୂଅ ଛୁଟିଥିଲା ।