ଭୁବନେଶ୍ୱର,୧୫/୦୯: ଆଉ ଦିନ କେଇଟା ପରେ ଦଶହରା । ରାଜଧାନୀବାସୀ ଦଶହରାକୁ ଧୁମ୍ଧାମରେ ପାଳନ ପାଇଁ ଏବେଠାରୁ ସଜବାଜ ଆରମ୍ଭ କରିଦେଲେଣି । ଏହାର ଫାଇଦା ନେବା ପାଇଁ ରାଜଧାନୀରେ ଡେରା ପକାଇଲେଣି ରାଜ୍ୟ ବାହାର ଲେଡି ଲୁଟେରା । ବିଶେଷକରି ‘ପେଟିକୋଟ୍’ ଗ୍ୟାଙ୍ଗ୍ ଆସି ବିଭିନ୍ନ ବସ୍ତି, ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ୍ ଓ ରାଜପଥ କଡ଼ ଫ୍ଲାଏ ଓଭର ତଳେ ବଞ୍ଜାରାଙ୍କ ପରି ଡେରା ପକାଇବା ସହ ହାତ ସଫେଇ ଆରମ୍ଭ କରିଦେଲେଣି । ରବିବାର ପେଟିକୋଟ ଗ୍ୟାଙ୍ଗ୍ ସହିଦନଗରର ଏକ ମଲ୍ରୁ କିଛି କସ୍ମେଟିକ୍ ସାମଗ୍ରୀ ଲୁଟିଥିବା ଜଣାପଡ଼ିଛି । ଅଭିଯୋଗ ପାଇ ପୁଲିସ ଏହି ଗ୍ୟାଙ୍ଗ୍କୁ ଧରିବାକୁ ତନାଘନା ଆରମ୍ଭ କରିଦେଇଛି । ତେଣୁ ସାବଧାନ ନ ରହିଲେ, କେତେବେଳେ ଲୁଟ୍ର ଶିକାର ହେବେ କହି ହେଉନାହିଁ ।
କମିଶନରେଟ୍ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପାର୍ବଣ ସମୟରେ ବିଶେଷକରି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରୁ ଲେଡି ଲୁଟେରାମାନେ ଦଳଦଳ ହୋଇ ଭୁବନେଶ୍ୱରକୁ ଆସିଥାନ୍ତି । ସେମାନେ ଭୁବନେଶ୍ୱର ସମେତ କଟକ ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ ପାଖ ଅଞ୍ଚଳ ଓ ଜାତୀୟ ରାଜପଥର ଓଭରବ୍ରିଜ ତଳମାନଙ୍କରେ ବଞ୍ଜାରାଙ୍କ ପରି ଡେରା ପକାଇଥାନ୍ତି ।
ସେହିପରି ଅନ୍ୟ କେତେକ ଲେଡି ଲୁଟେରା ଷ୍ଟେସନ ନିକଟ ହୋଟେଲ୍, ବିଭିନ୍ନ ବସ୍ତିରେ ଘର ଭଡ଼ା ନେଇ ମଧ୍ୟ ରହିଥାନ୍ତି । ସବୁଠାରୁ ବଡ଼କଥା ହେଉଛି, ବସ୍ତିମାନଙ୍କରେ ଲୋକେ ପାର୍ବଣ ସମୟରେ ଘର ଖାଲି କରି ରଖିଥାନ୍ତି । କିଛିଦିନ ପାଇଁ ସେମାନେ ଏହି ଲେଡି ଲୁଟେରାଙ୍କୁ ଚଢ଼ା ଦରରେ ଘର ଭଡ଼ା ଦେଇଥାନ୍ତି । ବିଶେଷ କରି ସାଲିଆସାହିର ବିଭିନ୍ନ ବସ୍ତି, ପଟିଆ ଷ୍ଟେସନ ନିକଟ ବସ୍ତି, ୟୁନିଟ୍-୩ ଓ ୟୁନିଟ୍-୪ ଅଞ୍ଚଳରେ ଥିବା ବିଭିନ୍ନ ବସ୍ତି, ପୁରୁଣା ଷ୍ଟେସନ ବଜାର ନିକଟ ବସ୍ତି, କଦଳୀ ଗୋଦାମ ଓ ଗୌତମନଗର ବସ୍ତି, ବାପୁଜୀନଗର କେଦାରପଲ୍ଲୀ ଅଞ୍ଚଳରେ ଏମାନଙ୍କୁ ସହଜରେ ଘର ଭଡ଼ା ମିଳି ଯାଇଥାଏ । ଏମାନେ ପାର୍ବଣ ଋତୁରେ ଲୁଟ୍ପାଟ କରିଥାନ୍ତି । ପାର୍ବଣ ଋତୁ ସରିବାପରେ ସେମାନେ ପୁଣି ନିଜ ରାଜ୍ୟକୁ ଫେରି ଯାଆନ୍ତି ।
‘ପେଟିକୋଟ୍’ ଗ୍ୟାଙ୍ଗ୍ ଲୁଟନ୍ତି କିପରି ଜାଣନ୍ତୁ
ଏହି ଲେଡି ଲୁଟେରାମାନେ ବିଶେଷକରି ସଞ୍ଜ ନଇଁଲେ ସଜବାଜ ହୋଇ ବାହାରି ପଡ଼ନ୍ତି ଅପରେସନ୍ରେ । ବିଭିନ୍ନ ମଲ ଓ ମାର୍କେଟରେ ଭିଡ଼ ଦେଖି ପଶି ଯାଆନ୍ତି । କିଣାକିଣି ବାହାନାରେ ଆରମ୍ଭ କରିଦିଅନ୍ତି ହାତ ସଫେଇ । ବିଶେଷକରି ସେମାନେ ପିନ୍ଧିଥିବା ସାୟା ଡ଼ୋରରେ ମୁଣି ବାନ୍ଧି ଆସିଥାନ୍ତି । କଙ୍ଗାରୁ ମୁଣି ଭଳି ଏହି ମୁଣିକୁ ରଖୁଥିବାରୁ ଏମାନଙ୍କୁ ‘ପେଟିକୋଟ୍’ ଗ୍ୟାଙ୍ଗ୍ ବୋଲି କୁହାଯାଇଥାଏ । ଏମାନେ ମଲ୍ ମାନଙ୍କରୁ ଦାମୀ କସ୍ମେଟିକ୍ ଆଇଟମ ଆଦି ଭର୍ତ୍ତି କରି ନିଅନ୍ତି । ଏପରିକି ଦାମୀ ଶାଢ଼ୀ ଓ ଡ୍ରେସ୍ ଆଦି ମଧ୍ୟ ଚୋରି କରିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଦୋକାନୀଙ୍କୁ ପଚରା ପଚରି କରି ବ୍ୟସ୍ତ ରଖୁଥିବାବେଳେ ଅନ୍ୟମାନେ ଅଣ୍ଟାରେ ଖୋସି ଆସିଥିବା ମୁଣିରେ ସାମଗ୍ରୀ ସବୁ ଲୁଟି ନିଅନ୍ତି ।
ଆଉ କିଛି ମାର୍କେଟ ଭିଡ଼ରେ ମହିଳାମାନଙ୍କ ଠାରୁ ଭ୍ୟାନିଟି ହେଉ କି ମୋବାଇଲ ଅବା ସୁନାଚେନ୍ ଲୁଟ୍ପାଟ କରନ୍ତି । କିଛିକିଛି ଦୂରରେ ସେମାନଙ୍କ ସହଯୋଗୀମାନେ ଛିଡ଼ା ହୋଇଥାନ୍ତି । ଲୁଟ୍ ସାମଗ୍ରୀକୁ ଇଏ ତାକୁ, ସିଏ ତାକୁ ବଢ଼ାଇ ଦେଇଥାନ୍ତି । ଯଦି ବା ଏମାନଙ୍କୁ କେହି ସନ୍ଦେହ କରି ଧରନ୍ତି, ତେବେ ସେମାନଙ୍କ ଠାରୁ କିଛି ମିଳି ନଥାଏ । ତେଣୁ ସହଜରେ ଏମାନେ ଖସି ଯାଇଥାନ୍ତି । ସେହିପରି ଦଶହରା ବୁଲିବାକୁ ଆସୁଥିବା ବିଭିନ୍ନ ପୂଜାମଣ୍ଡପର ଭିଡ଼ରେ ମଧ୍ୟ ଏହି ଲେଡି ଲୁଟେରାମାନେ ସହଜରେ ହାତ ସଫେଇ କରିଥାନ୍ତି ।