ନୂଆଦିଲ୍ଲୀ: ଡ୍ରେସ୍‌ କୋଡ୍‌ ନିୟମ ଉଲ୍ଲଂଘନ କରି ବିଶ୍ୱ ରାପିଡ୍ ଏବଂ ବ୍ଲିଟଜ୍ ଚାମ୍ପିଅନଶିପ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିବା ମାଗନସ୍ କାର୍ଲସେନଙ୍କୁ ଆଶ୍ବସ୍ତି । ଅନ୍ତର୍ଜାତୀୟ ଚେସ୍‌ ମହାସଂଘ (ଫିଡେ) ଡ୍ରେସ କୋଡ୍‌ ନିୟମରେ ପରିବର୍ତ୍ତନ କରିଛି । ଫଳରେ ମାଗନସ୍ କାର୍ଲସେନ ପୁଣି ଥରେ ଟୁର୍ଣ୍ଣାମେଣ୍ଟକୁ ଫେରିବାକୁ ଥିବା ବେଳେ ଜିନ୍ସ ପିନ୍ଧି ଖେଳିପାରିବେ । ଏନେଇ ୫ ଥରର ବିଶ୍ବ ଚାମ୍ପିଅନ ଟୁର୍ଣ୍ଣାମେଣ୍ଟ ଖୋଦ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ମୁଁ କାଲି ନିଶ୍ଚିତ ଭାବରେ ଜିନ୍ସ ପିନ୍ଧି  ଖେଳିବି।’ ଅନ୍ତର୍ଜାତୀୟ ଚେସ୍‌ ମହାସଂଘ ମଧ୍ୟ ଟ୍ବିଟ୍‌ କରି କାର୍ଲସେନ ଟୁର୍ଣ୍ଣାମେଣ୍ଟକୁ ଫେରିବେ ବୋଲି ସ୍ପଷ୍ଟ କରିଛି । ଏହା ସହ ଫିଡେ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, ‘କାର୍ଲସେନ ଫିଡେ ଓ୍ବାର୍ଲଡ୍‌ ବ୍ଲିଟଜ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ ।’






ସୂଚନାଯୋଗ୍ୟ, ଶୁକ୍ରବାର ଜିନ୍ସ ପିନ୍ଧି ଖେଳିବା ପାଇଁ ଆସିଥିବାରୁ କାର୍ଲସେନଙ୍କୁ ଇଣ୍ଟରନ୍ୟାସନାଲ ଚେସ୍ ଫେଡରେସନ୍ (ଫିଡେ) ବିଶ୍ୱ ରାପିଡ୍ ଏବଂ ବ୍ଲିଟଜ୍ ଚାମ୍ପିଅନଶିପ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାକୁ ପଡ଼ିଥିଲା ।  ଜିନ୍ସ ପିନ୍ଧିବା କାରଣରୁ କାର୍ଲସେନ ଉପରେ ପ୍ରଥମେ ୨୦୦ ଡଲାର ଜରିମାନା ଲାଗିଥିଲା । ଏହାପରେ ତୁରନ୍ତ ପୋଷାକ ବଦଳାଇ ଆସିବା ପାଇଁ କୁହାଯାଇଥିଲା । କିନ୍ତୁ ସେ ଅଧିକାରୀଙ୍କ ଏହି ଅନୁରୋଧକୁ ରଖିନଥିଲେ । ତେବେ ମାଗନସ୍ କାର୍ଲସେନ ଏହି ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ ।

ଫିଡେ ଏକ୍ସରେ ଏନେଇ ଏକ ବୟାନ ପୋଷ୍ଟ କରିଥିଲା । କାର୍ଲସେନ ଜିନ୍ସ ପିନ୍ଧି ଡ୍ରେସ୍ କୋଡର ଉଲ୍ଲଂଘନ କରିଛନ୍ତି । ଯାହା ଆୟୋଜନର ଦୀର୍ଘ ବର୍ଷରୁ ଚାଲିଆସିଥିବା ନିୟମ ଅନୁସାରେ ସମ୍ପୂର୍ଣ୍ଣ ନିଷିଦ୍ଧ ଅଟେ । ଟୁର୍ଣ୍ଣାମେଣ୍ଟର ମୁଖ୍ୟ ନିଷ୍ପତ୍ତିକର୍ତ୍ତା କାର୍ଲସେନଙ୍କୁ ଏହି ଉଲ୍ଲଂଘନ ବାବଦରେ ସୂଚିତ କରିଥିଲେ । ୨୦୦ ଆମେରିକୀୟ ଡଲାରର ଜରିମାନା ଲଗାଯାଇଥିଲା ଏବଂ ପୋଷାକ ବଦଳାଇବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ସେ ଏହି ଅନୁରୋଧକୁ ଅଗ୍ରାହ୍ୟ କରିଥିଲେ । ଯେଉଁଥି ପାଇଁ ତାଙ୍କୁ ନବମ ରାଉଣ୍ଡ ପାଇଁ ଅଯୋଗ୍ୟ ବିବେଚିତ କରାଯାଇଛି ବୋଲି ଫିଡେ ପକ୍ଷରୁ ଟ୍ବିଟ୍‌ କରାଯାଇଥିଲା । କିନ୍ତୁ ଆଜି ନିୟମ କୋହଳ ହୋଇଥିବା ବେଳେ କାର୍ଲସେନ ଜିନ୍ସ ପିନ୍ଧି ଖେଳିପାରିବେ । 

ସେପଟେ ଫିଡେ ନିୟମର ପରିବର୍ତ୍ତନ କରିଥିବା ବେଳେ ଏହାର ଉପାଧ୍ୟକ୍ଷ ଥିବା ଭାରତର ପୂର୍ବତନ ଚେସ ଖେଳାଳି ବିଶ୍ବନାଥନ ଆନନ୍ଦଙ୍କୁ ଅଯୋଗ୍ୟ ବୋଲି କହିଛନ୍ତି ମାଗନସ୍ କାର୍ଲସେନ ।   ଆନନ୍ଦଙ୍କ ସମେତ ଫିଡେର ଅନ୍ୟ ବଡ଼ ଅଧିକାରୀଙ୍କୁ ସେ ଟାର୍ଗେଟ କରିଛନ୍ତି । ଫିଡେର ଅଧିକାରୀଙ୍କୁ ରୋବୋଟ୍‌ ବୋଲି କହିବା ସହ ସେମାନେ ସ୍ବତନ୍ତ୍ର ଭାବରେ ନିଷ୍ପତ୍ତି ନେବାକୁ ଅସମର୍ଥ ବୋଲି ଅଭିଯୋଗ କରିଛନ୍ତି କାର୍ଲସେନ ।