ନୂଆଦିଲ୍ଲୀ, ୧୧/୧୧:  ଆଜିଠୁ ଫିଡେ ବିଶ୍ୱକପ୍‌ରେ ଚତୁର୍ଥ ରାଉଣ୍ଡ୍‌ ମୁକାବିଲା  ଆରମ୍ଭ ହେବ । ଏଥିରେ ରାଉଣ୍ଡରେ ୫ଜଣ ଭାରତୀୟ ଗ୍ରାଣ୍ଡମାଷ୍ଟରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେମାନେ  ହେଲେ ଗତ ସଂସ୍କରଣର ରନର୍ସ  ଆର୍‌. ପ୍ରଜ୍ଞାନନ୍ଦା, ଦ୍ୱିତୀୟ ସିଡ୍‌ ଅର୍ଜୁନ  ଏରିଗାଇସି, ପେଣ୍ଟାଲା ହରିକ୍ରିଷ୍ଣା, ଭି.  ପ୍ରଣବ ଓ କାର୍ତ୍ତିକ ଭେଙ୍କଟରମଣ ।  ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌ ଚାମ୍ପିଅନ୍‌  ଡି. ଗୁକେଶ ବିଦାୟ ନେବାପରେ  ପ୍ରଜ୍ଞାନନ୍ଦା ଓ ଏରିଗାଇସିଙ୍କ ଉପରେ  ଦେଶବାସୀଙ୍କ ନଜର ରହିବ ।  ଚତୁର୍ଥ ରାଉଣ୍ଡରେ ଏରିଗାଇସି  ହଙ୍ଗେରୀର ଭେଟେରାନ ଖେଳାଳି  ପିଟର ଲେକୋଙ୍କୁ ସାମ୍ନା କରିବେ । 

ସେହିପରି ପ୍ରଜ୍ଞାନନ୍ଦା ରୁଷିଆର ଡାନିଏ  ଡୁବୋଭଙ୍କୁ ଭେଟୁଥିବାବେଳେ ହରିକ୍ରିଷ୍ଣା  ସ୍ୱିଡେନର ନିଲ୍ସ ଗ୍ରାଣ୍ଡେଲିଉସ୍‌ଙ୍କୁ,  ପ୍ରଣବ ଉଜବେକିସ୍ତାନର ନୋଡିରବେକ  ୟାକୁବବୋଏଭଙ୍କୁ ଏବଂ କାର୍ତ୍ତିକ  ଭିଏତନାମର ଲି କୁଆଙ୍ଗ୍‌ ଲିମ୍‌ଙ୍କୁ  ଭେଟିବେ । ପ୍ରଥମ ରାଉଣ୍ଡ ବାଇ ପାଇଥିବା ଏରିଗାଇସି ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସେ ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ୨ଟି ଯାକ କ୍ଲାସିକାଲ ଗେମ୍‌ ମଧ୍ୟରେ ବିଜୟ ହାସଲ କରିଥିଲେ । ପ୍ରଜ୍ଞାନନ୍ଦା  ଦ୍ୱିତୀୟ ରାଉଣ୍ଡରେ ଅଳ୍ପକେ ପରାଜୟରୁ ବର୍ତ୍ତିଥିଲେ । ସେ ୫-୩ରେ ଅଷ୍ଟ୍ରେଲିଆ  ଖେଳାଳିଙ୍କୁ ହରାଇଥିଲେ । ଏହାପରେ ତୃତୀୟ ରାଉଣ୍ଡରେ  ଉଭୟ କ୍ଲାସିକାଲ ଗେମ୍‌ ମଧ୍ୟରେ ବିଜୟ  ହାସଲ କରିଥିଲେ ।