ନୂଆଦିଲ୍ଲୀ,୨୧ \୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାରୁ ଆମଦାନୀ ହେଉଥିବା ଅନେକ ସାମଗ୍ରୀ ଉପରେ ୫୦% ଶୁଳ୍କ ଘୋଷଣା କରିଛନ୍ତି । ଟ୍ରମ୍ପ ପ୍ରଶାସନ ଦାବି କରିଛି ଯେ କାନାଡା ଆମେରିକୀୟ କାର୍, ମଦ ଏବଂ କ୍ଷୀର ଉତ୍ପାଦ ପ୍ରତି ପକ୍ଷପାତିତା କରୁଛି । ଏହି ନିଷ୍ପତ୍ତି ଆମେରିକା ଏବଂ କାନାଡା ମଧ୍ୟରେ ବାଣିଜ୍ୟ ବିବାଦକୁ ବଢାଇବ ବୋଲି ଆଶଙ୍କା କରାଯାଉଛି । ଟ୍ରମ୍ପ ୧୯୩୦ ମସିହାର ଟାରିଫ୍ ଆଇନର ଧାରା ୩୩୮ ଅନୁଯାୟୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଆଇନ ଆମେରିକୀୟ ସାମଗ୍ରୀ ପ୍ରତି ପକ୍ଷପାତିତା କରୁଥିବା ଦେଶଗୁଡ଼ିକ ଉପରେ ୫୦% ପର୍ଯ୍ୟନ୍ତ ଅତିରିକ୍ତ ଟାରିଫ୍ ଲଗାଇବାକୁ ଅନୁମତି ଦିଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରାୟ ୧୦୦ ବର୍ଷ ପୁରୁଣା ଏହି ଆଇନ ପ୍ରଥମ ଥର ପାଇଁ ଲାଗୁ କରାଯାଇଛି ।
ଏହି ନୂଆ ଟାରିଫ୍ ୩୦ ଦିନ ପରେ, ଅର୍ଥାତ ଅଗଷ୍ଟ ୧୯ ତାରିଖ ରୁ ଲାଗୁ ହେବ । ଏହା ମଦ, ସିମେଣ୍ଟ, କ୍ରିଡ଼ା ଉପକରଣ, କ୍ଷୀର ଉତ୍ପାଦ, ସୁଇମିଂ ପୁଲ୍, ଫର୍ଣ୍ଣିଚର, ମାଛ ଧରିବା ରଡ୍, ବିହନ, ପୋଷାକ, ୱିଗ୍ ଏବଂ ଅନ୍ୟାନ୍ୟ ଅନେକ ସାମଗ୍ରୀକୁ ପ୍ରଭାବିତ କରିବ । ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମସନ ଗ୍ରୀର୍ କହିଛନ୍ତି ଯେ, ଆମେରିକା ତାର ବାଣିଜ୍ୟିକ ଅଂଶୀଦାରମାନଙ୍କ ସହିତ ନିରପେକ୍ଷ ଏବଂ ସମାନ ଚୁକ୍ତିନାମା ଚାହୁଁଛି । କିନ୍ତୁ କାନାଡା ଆମେରିକୀୟ ଶିଳ୍ପଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଲାଗୁ ହୋଇଥିବା ଶୁଳ୍କର ଜବାବ ପ୍ରତିଶୋଧମୂଳକ ପଦକ୍ଷେପ ସହିତ ଦେଉଛି ।
କାନାଡା ପ୍ରଧାନମନ୍ତ୍ରୀ କ’ଣ କହିଲେ ?
କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି ଯେ, ତାଙ୍କ ସରକାର ବାଣିଜ୍ୟ ବିବାଦର ସମାଧାନ ପାଇଁ ଆମେରିକାକୁ ଅନେକ ପ୍ରସ୍ତାବ ଦେଇଛି। ଟ୍ରମ୍ପଙ୍କ ଦ୍ୱାରା ପୂର୍ବରୁ ଲାଗୁ ହୋଇଥିବା ଶୁଳ୍କ ଆମେରିକା-ମେକ୍ସିକୋ-କାନାଡା ବାଣିଜ୍ୟ ଚୁକ୍ତିନାମା (USMCA) ଉଲ୍ଲଂଘନ କରୁଛି । କାର୍ନି ଆହୁରି କହିଛନ୍ତି ଯେ କାନାଡା କେବଳ ଏହି ଚୁକ୍ତିନାମା ବିରୁଦ୍ଧରେ ଥିବା ଆମେରିକାର ଅଟୋ ଶୁଳ୍କର ଜବାବ ଦେଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ବାଣିଜିକ ବିବାଦ ପାଇଁ ଉଭୟ ଦେଶର ଲୋକଙ୍କ ଉପରେ ମହଙ୍ଗା ମାଡ଼ ହେଉଛି ଏବଂ କାନାଡା ଆଲୋଚନା ପାଇଁ ପ୍ରସ୍ତୁତ ଅଛି ।
ଟ୍ରମ୍ପ ପ୍ରଶାସନ କହିଛି ଯେ ପୂର୍ବରୁ ବି କାନାଡା ଏବଂ ଚୀନ୍ ଆମେରିକାର ଟାରିଫ୍ ଜବାବରେ ପ୍ରତିଶୋଧମୂଳକ ଟାରିଫ୍ ଲାଗୁ କରିଥିଲେ । ଏହି କାରଣରୁ ଆମେରିକା ଏବଂ ମେକ୍ସିକୋ ମଧ୍ୟରେ ଚାଲିଥିବା USMCA ଆଲୋଚନାରେ କାନାଡାକୁ ସାମିଲ୍ କରାଯାଇ ନଥିଲା । ଜେମସନ ଗ୍ରୀର୍ ବର୍ତ୍ତମାନ ମେକ୍ସିକୋ ସିଟିରେ ମେକ୍ସିକୋ ସହିତ ପୃଥକ ଭାବେ ଆଲୋଚନା କରୁଛନ୍ତି ।
ଜଙ୍ଗଲ ନିଆଁ ଉପରେ ଶୁଳ୍କ ଲଗାଇବାକୁ ଟ୍ରମ୍ପଙ୍କ ଧମକ
ରବିବାର ଦିନ ଫିଫା ବିଶ୍ୱକପ୍ ଫାଇନାଲ୍ ସମୟରେ ଟ୍ରମ୍ପ୍ ଏବଂ କାର୍ନିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ବୈଠକ ସମୟରେ ଟ୍ରମ୍ପ୍ କାନାଡାକୁ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାକୁ ଅନୁରୋଧ କରିଥିଲେ । କାରଣ ଏହାର ଧୂଆଁ ଆମେରିକାର ଅନେକ ସ୍ଥାନରେ ପହଞ୍ଚୁଛି । ଟ୍ରମ୍ପ୍ ପୂର୍ବରୁ କହିଛନ୍ତି ଯେ, ଏହି ପ୍ରଦୂଷଣରୁ ଆମେରିକାକୁ ହେଉଥିବା କ୍ଷତି କାନାଡା ଉପରେ ଲାଗୁ ହୋଇଥିବା ଟାରିଫ୍ ରେ ଅନ୍ତର୍ଭୁକ୍ତ କରା ଯାଇପାରିବ ।
ହ୍ୱାଇଟ୍ ହାଉସ୍ କହିଛି ଯେ, କାନାଡାର କ୍ଷୀର ଯୋଗାଣ ପରିଚାଳନା ବ୍ୟବସ୍ଥା ଆମେରିକୀୟ କ୍ଷୀର ଉତ୍ପାଦ ପାଇଁ କ୍ଷତିକାରକ । ଏହା ବ୍ୟତୀତ, କାନାଡା ଆମେରିକାରୁ ଆସୁଥିବା କାର୍ ଗୁଡ଼ିକ ଉପରେ ଶୁଳ୍କ ଏବଂ ଆମଦାନୀ ସୀମା (କୋଟା) ଲାଗୁ କରେ ।ଯେତେବେଳେ କି କିଛି ଅନ୍ୟ ଦେଶ ଏ ଶୁଳ୍କ ଛାଡ଼ କରେ । ଆମେରିକା ଦାବି କରିଛି ଯେ, କାନାଡା ଗତ ବର୍ଷ ମଧ୍ୟରେ ଆମେରିକାର କାର୍ ଆମଦାନୀ ୨୨% ଏବଂ ମଦ ଆମଦାନୀ ୮୧% ହ୍ରାସ କରିଦେଇଛି । କାନାଡାର ଅଞ୍ଚଳରେ ଆମେରିକୀୟ ମଦ ବିକ୍ରୟ ଉପରେ ମଧ୍ୟ ନିଷେଧ ହୋଇଛି । ତଥାପି, ଟ୍ରମ୍ପ ନୂତନ ଶୁଳ୍କରୁ ଶକ୍ତି, ପଟାସ୍, ମାଛ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ଧାରା ୨୩୨ ଅଧୀନରେ କିଛି ଉତ୍ପାଦକୁ ବାଦ ଦେଇଛନ୍ତି ।