ଫିଫା ବିଶ୍ବକପ ବିଜେତା ଆର୍ଜେଣ୍ଟିନା ଷ୍ଟାର ଲିଓନେଲ୍ ମେସି ହେଲେ ଶ୍ରେଷ୍ଠ ଫୁଟବଲର୍, ପଛରେ ପଡିଗଲେ ଏମ୍ବାପ୍ପେ

ନୂଆଦିଲ୍ଲୀ ୨୮/ ୦୨: ଆର୍ଜେଣ୍ଟିନାର ମହାନ୍ ଫୁଟବଲ ତାରକା ତଥା ଦଳକୁ ବିଶ୍ବ ଚାମ୍ପିୟନ କରାଇଥିବା ଲିଓନେଲ୍ ମେସି ବର୍ଷ ୨୦୨୨ର ଶ୍ରେଷ୍ଠ ଫୁଟବଲର୍ ଆଖ୍ୟା ଅର୍ଜନ କରିଛନ୍ତି । ଫିଫା ଆଓ୍ବାର୍ଡସ୍ରେ ମେସିଙ୍କୁ ବେଷ୍ଟ ମେନସ୍ ପ୍ଲେୟାର ୨୦୨୨ ଭାବେ ଚୟନ କରାଯାଇଛି । ଗତବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ଫିଫା ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲେ ମେସି । ବିଶ୍ବକପ୍ ଫାଇନାଲ ମୁକାବିଲାରେ ମେସିଙ୍କ ପ୍ରଦର୍ଶନକୁ ଫୁଟବଲ୍ ପ୍ରେମୀ ଜୀବନବ୍ୟାପୀ ମନେ ରଖିବେ ନିଶ୍ଚୟ । ଫିଫା ବିଶ୍ବକପ୍ ଫାଇନାଲରେ ଜର୍ମାନୀକୁ ହରାଇ ଟାଇଟଲ୍ ହାତେଇଥିଲା ଆର୍ଜେଣ୍ଟିନା ।

ଶ୍ରେଷ୍ଠ ଫୁଟବଲର ହେବା ପରେ ଲିଓନେଲ୍ ମେସି କହିଛନ୍ତି, ‘ଏହି ବର୍ଷ ମୋ ପାଇଁ ଚମତ୍କାର ଥିଲା । ପୁରସ୍କାର ପାଇଁ ମୋତେ ଚୟନ କରାଯାଇଥିବାରୁ ତାହା ସମ୍ମାନର ବିଷୟ । ମୋର ପ୍ରଶିକ୍ଷକ ଲିଓନେଲ୍ ସ୍କାଲୋନୀ ଓ ସାଥି ଖେଳାଳିଙ୍କୁ ଧନ୍ୟବାଦ । ଏମାନଙ୍କ ବିନା ମୁଁ କେବେ ବି ସଫଳ ହୋଇପାରି ନଥାନ୍ତି । ମୁଁ ଦେଖିଥିବା ସ୍ବପ୍ନ ଶେଷରେ ପୂରଣ ହୋଇଛି । ଯାହାକୁ କି ଦୀର୍ଘ ଦିନ ହେଲା ମୁଁ ଚାହିଁ ବସିଥିଲି । ଅନେକ ଖେଳାଳିଙ୍କ ଏହି ସ୍ବପ୍ନ ଥାଏ କିନ୍ତୁ ଅଳ୍ପ କିଛି ଫୁଟବଲର ସଫଳ ହୋଇପାରନ୍ତି । ମୁଁ ଗର୍ବିତ ଯେ ମୋତେ ଏହି ସୌଭାଗ୍ୟ ମିଳିଛି’।
ପଢନ୍ତୁ ଏହି ଖବର: ଇସ୍ତଫା ଦେଲେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଦୁର୍ନୀତି ମାମଲାରେ ଗିରଫ କରିଛି CBI
ସେହିଭଳି ବେଷ୍ଟ ମେନସ୍ ପ୍ଲେୟାର ୨୦୨୨ ଦୌଡରେ ଥିବା ଜର୍ମାନୀ ତାରକା କିଲିୟାନ୍ ଏମବାପ୍ପେଙ୍କୁ ନିରାଶ ହେବାକୁ ପଡିଛି । ପ୍ୟାରିସର ସାଲ୍ଲେ ପ୍ଲିୟେଲ୍ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମେସିଙ୍କ ସହିତ ଏମବାପ୍ପେ ମଧ୍ୟ ଉପସ୍ଥିତ ଥିଲେ । ଫିଫା ବିଶ୍ବକପ୍ ୨୦୨୨ରେ ସବୁଠାରୁ ଅଧିକ ପ୍ରଭାବିତ କରିଥିବା ଫୁଟବଲର ହେଉଛନ୍ତି ଏମବାପ୍ପେ । ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ କିଲିୟାନ୍ ଏମ୍ବାପ୍ପେ ହ୍ୟାଟ୍ରିକ୍ ଗୋଲ୍ କରିଥିଲେ । ଯାହାକି ଷ୍ଟାଡିୟମରେ ଉପସ୍ଥିତ ଫୁଟବଲ ପ୍ରେମୀଙ୍କୁ ପ୍ରବଳ ଉତ୍ସାହିତ କରିଥିଲା ।

ସେହିଭଳି ଶ୍ରେଷ୍ଠ ବିବେଚିତ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଆର୍ଜେଣ୍ଟିନା ଟିମ୍ କୋଚ୍ । ଦଳର କୋଚ୍ ଲିଓନେଲ୍ ସ୍କାଲୋନୀ ବେଷ୍ଟ ମେନସ୍ କୋଚ୍ ଆଓ୍ବାର୍ଡ (ଶ୍ରେଷ୍ଠ ପୁରୁଷ ପ୍ରଶିକ୍ଷତ ପୁରସ୍କାର) ପାଇଛନ୍ତି । ସେହିଭଳି ଆର୍ଜେଣ୍ଟିନାର ଷ୍ଟାର ଗୋଲ୍କିପର୍ ଇମିଲିଆନୋ ମାର୍ଟିନେଜ୍ ଶ୍ରେଷ୍ଠ ପୁରୁଷ ଗୋଲକିପର୍ ଆଓ୍ବାର୍ଡ ପାଇଛନ୍ତି । ଦମଦାର ଗୋଲ୍ କରି ଆର୍ଜେଣ୍ଟିନାକୁ ବିଜୟୀ କରାଇଥିବା ମାର୍କିନ୍ ଓଲେକସି ଫିଫା ପୁସ୍କାସ୍ ଆଓ୍ବାର୍ଡ ପାଇଛନ୍ତି । ସ୍ପେନର ମହିଳା ଫୁଟବଲର ବାର୍ସେଲୋନା କ୍ଲବ ପକ୍ଷରୁ ଖେଳୁଥିବା ଆଲେକ୍ସିଆ ପୁଟେଲାସ୍ ବର୍ଷ ୨୦୨୨ର ଶ୍ରେଷ୍ଠ ମହିଳା ଖେଳାଳି ସମ୍ମାନ ପାଇଛନ୍ତି । ସେହିଭଳି ଇଂଲଣ୍ଡର ମେରୀ ଆର୍ପସ୍ ଶ୍ରେଷ୍ଠ ଗୋଲକିପର୍ ଓ ଇଂଲଣ୍ଡର ସାରିନା ଓ୍ବେଗମାନ୍ ଶ୍ରେଷ୍ଠ ମହିଳା କୋଚ୍ ପୁରସ୍କାର ଜିତିଛନ୍ତି ।