ଘାତ ପ୍ରତିଘାତ ଦେଇ ପ୍ରତିଭାଟିଏ ଶାଣିତ ହୁଏ, କଠିନ ପରିଶ୍ରମ ଏବଂ ଦୃଢ଼ ଏକାଗ୍ରତା ଦିଏ ତାକୁ ସ୍ୱତନ୍ତ୍ର ପରିଚୟ । ଗୋଟିଏ ରାତିରେ କିମ୍ବଦନ୍ତୀ ଗଢ଼ା ହୁଅନ୍ତି ନାହିଁ, ବରଂ ବର୍ଷ ବର୍ଷର ପରିଶ୍ରମ ଓ ନିଷ୍ଠା ହିଁ ଜଣେ ଖେଳାଳିଙ୍କୁ କିମ୍ବଦନ୍ତୀ ସଜାଇ ଦିଏ । କ୍ରୋଏସିଆର କିମ୍ବଦନ୍ତୀ ଲୁକା ମୋଡ୍ରିକ, ଏଥର ସେ କ୍ୟାରିୟରରେ ହୁଏତ ଶେଷ ଫିଫା ବିଶ୍ୱକପ୍ ଖେଳୁଛନ୍ତି । ଦଳକୁ ସେ ଯେଉଁ ସଫଳତା ଭେଟି ଦେଇଛନ୍ତି ତାହା ଅବର୍ଣ୍ଣନୀୟ ।
ନୂଆଦିଲ୍ଲୀ, ୨୩/୦୬: ୧୯୮୫ ସେପ୍ଟେମ୍ବର ୯ ତାରିଖରେ ମୋଡ୍ରିକଙ୍କ ଜନ୍ମ ହୁଏ ଜାଦାରରେ (କ୍ରୋଏସିଆ) । ଯୁଗସ୍ଲୋଭିଆଠୁ ୧୯୯୧ ମସିହା ଜୁନ ୨୫ ତାରିଖରେ କ୍ରୋଏସିଆ ସ୍ୱାଧୀନ ହୋଇଥିଲା । ଦେଶରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେବା ବେଳକୁ ମୋଡ୍ରିକଙ୍କୁ ୫ ବର୍ଷ ବୟସ ହୋଇଥାଏ । ମୋଡ୍ରିକ ଏକ ଗଣମାଧ୍ୟମକୁ କହିଥିଲେ, ‘ଦେଶରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେବା ବେଳକୁ ମୁଁ ୫ ବର୍ଷ ହୋଇଥାଏ । ଆମେ ଥିଲୁ ଯୁଦ୍ଧ ଜୋନରେ । ମୋ ଜେଜେବାପାଙ୍କୁ ହତ୍ୟା କରାଗଲା । ଶେଷରେ ଆମକୁ ଶରଣାର୍ଥୀ ଶିବିରରେ ରହିବାକୁ ହେଲା । କାଗଜ ବଲରେ ଗୋଇଠା ମାରି ମାରି ମୋର ସମୟ ବିତୁଥିଲା । ସେ ସମୟରେ ହତ୍ୟା ଅତି ସାଧାରଣ କଥା ଥିଲା ।
ଆମେ ରହୁଥିବା ସ୍ଥାନ ନିକଟବର୍ତ୍ତୀ ଅଞ୍ଚଳରେ ବୋମା ଓ ଗୁଳିଗୋଳା ନିୟମିତ ଫୁଟୁଥିଲା । ଯୁଦ୍ଧ ଶେଷ ହେବା ପରେ ମୋର ଫୁଟବଲ ଖେଳ ଆରମ୍ଭ ହୋଇଥିଲା ।’ ‘ମୋର ପ୍ରିୟ କ୍ଲବ୍ ହାଜଡକ ଏଫ୍ସି ମୋତେ ନେବାକୁ ମନା କରି ଦେଇଥିଲା । କାରଣ ମୁଁ ବହୁତ ଛୋଟ ଥିଲି, ମୋ ଓଜନ ବି କମ ଥିଲା । ମୋ ମନ ଦୁଃଖ ହୋଇଥିଲା । ମୋ ବାପା ମୋତେ ବୁଝାଇ କହିଥିଲେ, ‘ନିଜ ଉପରେ ବିଶ୍ୱାସ ରଖ, ତୁ ଖେଳି ପାରିବୁ ।’ ମୋତେ ଫୁଟବଲ ସ୍କୁଲକୁ ପଠାଇବାକୁ କିମ୍ବା ହଳେ ଜୋତା ଆଣି ଦେବାକୁ ତାଙ୍କ ପାଖରେ ପଇସା ନଥିଲା । ମୁଁ କିନ୍ତୁ ଅଟକି ଯାଇ ନଥିଲି । ଖେଳିବା ଜାରି ରଖିଲି, ମୋ ଖେଳ ଶୈଳୀରେ ଟିକିଏ ପରିବର୍ତ୍ତନ କଲି । ମୋ ଦେଶ ପାଇଁ ଖେଳିଲି ଏବଂ ଟୋଟେନହାମ କ୍ଲବ ସହ ଚୁକ୍ତି କଲି । କିନ୍ତୁ ସେମାନେ କହିଥିଲେ, ମୁଁ ଇଂଲଣ୍ଡରେ ଖେଳିପାରିବି ନାହିଁ । ମାତ୍ର ମୁଁ ସେମାନଙ୍କୁ ଭୁଲ ପ୍ରମାଣିତ କରି ଦେଲି । ଭଲ ପ୍ରଦର୍ଶନ କଲି । ଶେଷରେ ଦୁନିଆର ଶ୍ରେଷ୍ଠ କ୍ଲବ ରିୟଲ ମାଦ୍ରିଦ ପାଇଁ ଖେଳିଲି ବୋଲି ସେ କହିଛନ୍ତି ।
ରିୟଲ ମାଦ୍ରିଦରେ ୧୩ ବର୍ଷ
ମୋଡ୍ରିକ ୨୦୧୨ରୁ ୨୦୨୫ ପର୍ଯ୍ୟନ୍ତ ରିୟଲ ମାଦ୍ରିଦ ପାଇଁ ଜଣେ ଶ୍ରେଷ୍ଠ ମିଡଫିଲ୍ଡର ଭାବେ ୩୯୪ଟି ମ୍ୟାଚ୍ ଖେଳି ୩୦ଟି ଗୋଲ କରିଥିଲେ । ୨୦୨୫ରୁ ସେ ଏସି ମିଲନ ପାଇଁ ଖେଳୁଛନ୍ତି । କ୍ରୋଏସିଆ ପାଇଁ ଏ ପର୍ଯ୍ୟନ୍ତ ୧୯୮ଟି ମ୍ୟାଚ ଖେଳି ୨୯ଟି ଗୋଲ୍ ଦେଇଛନ୍ତି । ୨ ୦ ୧ ୮ ବିଶ୍ୱକପ୍ରେ କ୍ରୋଏସିଆ ଫାଇନାଲ ଖେଳିଥିଲା । ମୋଡ୍ରିକ ଦଳର ନେତୃତ୍ୱ ନେଇଥିଲେ । ଫାଇନାଲରେ ଦଳ ୨-୪ ଗୋଲରେ ଫ୍ରାନ୍ସଠୁ ପରାଜିତ ହୋଇଥିଲା । ମୋଡ୍ରିକଙ୍କୁ ଗୋଲ୍ଡେନ ବଲ ପୁରସ୍କାର ମିଳିଥିଲା । ସେମିତି ୨୦୨୨ ସଂସ୍କରଣରେ ମରକ୍କୋକୁ ହରାଇ ତୃତୀୟ ସ୍ଥାନରେ ରହିଥିଲା କ୍ରୋଏସିଆ । ଏଥର ମୋଡ୍ରିକ କି ଯାଦୁ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ପ୍ରଥମ ଥର ଫାଇନାଲ୍ରେ କ୍ରୋଏସିଆ
୨୦୧୮ ବିଶ୍ୱକପ୍ ସେମି ଫାଇନାଲ୍ରେ ଭୟଙ୍କର ବିପର୍ଯ୍ୟୟ ଘଟାଇ ପୂର୍ବତନ ବିଶ୍ୱ ଚାମ୍ପିଅନ ଇଂଲଣ୍ଡକୁ ପରାଜିତ କରି କ୍ରୋଏସିଆ ଶକ୍ତିଶାଳୀ ଫ୍ରାନ୍ସ ସହ ଫାଇନାଲ୍ ଖେଳିଥିଲା । ବାସ୍ତବିକ୍ ଦଳର ପ୍ରଦର୍ଶନ ଅବିଶ୍ୱସନୀୟ ଥିଲା । ଖେଳର ଆରମ୍ଭରୁ ଇଂଲଣ୍ଡ ଯେଉଁଭଳି ଭାବେ ଅଗ୍ରଣୀ ହାସଲ କରି ସ୍ଥିତି ମଜବୁତ କରିଥିଲା, କ୍ରୋଏସିଆ ମ୍ୟାଚ୍ ଜିତିବା ମୁସ୍କିଲ ଲାଗୁଥିଲା । ମାତ୍ର ଇଭାନ ପେରିସିକ୍ ଓ ଅତିରିକ୍ତ ସମୟରେ ମାରିଓ ମାଞ୍ଜୁକିକ୍ ଗୋଲ୍ ଦେଇ ଦଳକୁ ଫାଇନାଲ୍ରେ ପହଞ୍ଚାଇଥିଲେ । କ୍ରୋଏସିଆ ୧୯୯୦ ପର୍ଯ୍ୟନ୍ତ ଯୁଗୋସ୍ଲାଭିଆର ଅଂଶ ହୋଇ ରହିଥିଲା । ସ୍ୱାଧୀନ ରାଷ୍ଟ୍ର ହେବା ପରେ କ୍ରୋଏସିଆ ୧୯୯୮ ବିଶ୍ୱକପ୍ରେ ପଦାର୍ପଣ କରିଥିଲା । ଅର୍ଥାତ୍ କ୍ରୋଏସିଆ ବିଶ୍ୱକପ୍ ସହିତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଜଡ଼ିତ । ସେବେଠୁ ୨୦୧୦ ସଂସ୍କରଣକୁ ଛାଡ଼ି ଅନ୍ୟ ସମସ୍ତ ସଂସ୍କରଣକୁ ଯୋଗ୍ୟତା ହାସଲ କରିଛି । ଏ ପର୍ଯ୍ୟନ୍ତ ମୋଟ୍ ୫ ଥର ବିଶ୍ୱକପ୍ ଯୋଗ୍ୟତା ହାସଲ କରି ୨ ଥର ସେମି ଫାଇନାଲ୍ ଖେଳିଛି । ୧୯୯୮ ପଦାର୍ପଣ ବିଶ୍ୱକପ୍ରେ ଦଳ ଉନ୍ନତ ପ୍ରଦର୍ଶନ କରି ସେମି ଫାଇନାଲ୍ ଖେଳିଥିଲା । ଏହାପରେ ୨୦୧୮ ବିଶ୍ୱକପ୍ରେ ଦଳ କ୍ୱାର୍ଟରରେ ଆୟୋଜକ ରୁଷିଆକୁ ପେନାଲ୍ଟି ସୁଟ୍ ଆଉଟ୍ରେ ପରାଜିତ କରି ସେମିରେ ପ୍ରବେଶ କରିଥିଲା । ୧୯୯୮ରେ ଜାମାଇକା, ଜାପାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ପଦାର୍ପଣ କରିଥିଲେ । କିନ୍ତୁ ଏହି ୪ ଦଳ ମଧ୍ୟରେ କ୍ରୋଏସିଆର ପ୍ରଦର୍ଶନ ସଂପୂର୍ଣ୍ଣ ଭିନ୍ନ ରହିଥିଲା । ପ୍ରି-କ୍ୱାର୍ଟରରେ ରୋମାନିଆକୁ ୧-୦ରେ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲା । କ୍ୱାର୍ଟରରେ ବିଶ୍ୱ ଚାମ୍ପିଅନ ଜର୍ମାନୀକୁ ବିଦା କରି ସେମି ଫାଇନାଲ୍କୁ ଉନ୍ନୀତ ହୋଇଥିଲା । ମାତ୍ର ଫ୍ରାନ୍ସଠୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲା । ତୃତୀୟ ସ୍ଥାନ ପାଇଁ ଖେଳି ନେଦରଲାଣ୍ଡସକୁ ହରାଇଥିଲା ।
୨୦୧୮ରେ ଚମତ୍କାର
ଗ୍ରୁପ୍ ପର୍ଯ୍ୟାୟରେ କ୍ରୋଏସିଆ ଅପରାଜେୟ ରହିଥିଲା । ୨-୦ ଗୋଲ୍ରେ ନାଇଜେରିଆକୁ, ୩-୦ ଗୋଲ୍ରେ ଆର୍ଜେଣ୍ଟିନାକୁ ଏବଂ ୨-୧ ଗୋଲ୍ରେ ଆଇସଲାଣ୍ଡକୁ ପରାସ୍ତ କରିଥିଲା । ପ୍ରିକ୍ୱାର୍ଟରରେ ଡେନମାର୍କକୁ ସୁଟ ଆଉଟ୍ରେ ଏବଂ କ୍ୱାର୍ଟରରେ ଆୟୋଜକ ରୁଷିଆକୁ ମଧ୍ୟ ସୁଟ୍ ଆଉଟ୍ରେ ପରାଜିତ କରି ଦଳ ସେମିରେ ପ୍ରବେଶ କରିଥିଲା । କ୍ୱାର୍ଟର ପର୍ଯ୍ୟନ୍ତ ମୋଟ୍ ୫ଟି ମ୍ୟାଚ୍ ଖେଳି କ୍ରୋଏସିଆ ୧୦ଟି ଗୋଲ୍ ଦେବାରେ ସଫଳ ହୋଇଥିଲା । ଅଧିନାୟକ ଲୁକା ମୋଡ୍ରିକ ଏକାକୀ ୨ଟି ଗୋଲ୍ ଦେଇଥିଲେ । ସେମିରେ ଦଳ ଇଂଲଣ୍ଡକୁ ହରାଇଥିଲା । ମାତ୍ର ଫାଇନାଲରେ ଫ୍ରାନ୍ସ ୪-୨ ଗୋଲରେ କ୍ରୋଏସିଆକୁ ହରାଇ ଚାମ୍ପିଅନ ହୋଇଥିଲା ।
ଅଧିକ ପଢନ୍ତୁ- Lionel Messi: ମେସି ମ୍ୟାଜିକ୍; ବିଶ୍ୱକପ ଇତିହାସରେ ସର୍ବାଧକ୍ ଗୋଲ୍ ସ୍କୋର କଲେ, କ୍ଲୋଜଙ୍କ ରେକର୍ଡ ଭାଙ୍ଗିଲେ