ପୁରୀ,୧୮/୦୬: ରଥର ପ୍ରଥମଭୂଇଁରେ ଲାଗିଲା କଇଁଚି । ସେହିଭଳି ଦ୍ୱିତୀୟଭୂଇଁରେ ଲାଗିଲା ଅନ୍ଧାରିତାଗ । ଏହାଦ୍ୱାରା ରଥ ଉପରିଭାଗ ମଜଭୁତ ହୋଇଛି । ମୁଖ୍ୟବିଶ୍ୱକର୍ମାଙ୍କ ପରାମର୍ଶ କ୍ରମେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି । ରଥ ଖଳାରେ ଇଶ କାର୍ଯ୍ୟ ଆରମ୍ଭ ହୋଇଛି । ଚାରପରିଛାରେ ଲାଗିବ ଇଶ । ଇଶରେ ଅଶ୍ୱ ସଂଯୋଗ ହେଲେ ରଥ ଟଣା ହେବ। ବୁଧବାର ଖେଇକୁ ନେଇ ବିବାଦ ଯୋଗୁଁ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଚାରିନାହାକାରେ କଇଁଚି ଲାଗିଲା ଭଳି ପ୍ରଥମ ଭୂଇଁରେ କଇଁଚି ଲାଗିଲା । ପ୍ରଥମ ଭୂଇଁର ବାନ୍ଧେଣି ପାଇଁ କଇଁଚି ଲାଗେ । ଭୂଇଁ ଖମ୍ବୀମାନଙ୍କରେ ଛନ୍ଦା ହୋଇ କାଠ ଲାଗିଲା ।ସେହିଭଳି ୨ୟ ଭୂଇଁରେ ସିଧା ବାଗରେ ଅନ୍ଧାରିତାଗ ପିଟାଗଲା । ଗୟଳ ଉପରେତାଗ ବାଡ଼ିଆ ପରେ ପଟା ବାଡ଼ିଆ ଶେଷ ହେଉଛି । ଧ୍ୱଜବତା ତିଆରି ଆରମ୍ଭ ହୋଇଛି ।ସୌନ୍ଦର୍ଯ୍ୟ କରଣ ପାଇଁ ରଙ୍ଗ କାର୍ଯ୍ୟ ଜାରି ରହିଛି ।
ଅଧିକ ପଢ଼ନ୍ତୁ : - Ratha Khala Update: ତୁଟିଲା ରଥଖଳା କଳି, ଶ୍ରୀମନ୍ଦିର ପ୍ରଶାସନ ଓ ବିଶ୍ବକର୍ମା ସେବାୟତଙ୍କ ମଧ୍ୟରେ ଆଲୋଚନା ସଫଳ
ରଥର ଚକ, ଗୁଜ ଆଦିରେ ରଙ୍ଗ ଦିଆଯାଉଛି । ଚିତ୍ରକରମାନେ ପାଶ୍ୱର୍ ଦେବତାଙ୍କୁରଙ୍ଗ ଦେଇ ସୁନ୍ଦର କରୁଛନ୍ତି । ଦୋଳବେଦି ଅସ୍ଥାୟୀ ଶାଳରେ କମାର ସେବକମାନେ ଲୁହା ସାମଗ୍ରୀ ତିଆରୁଛନ୍ତି । ତାଳଧ୍ୱଜରଥ ମୁଖ୍ୟ ବିଶ୍ୱକର୍ମା ନରସିଂହମହାପାତ୍ର, ନନ୍ଦିଘୋଷର ମୁଖ୍ୟବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣମହାରଣାଙ୍କ ତତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ସେମାନଙ୍କୁ ସହଯୋଗ କରୁଛନ୍ତିି ।