ନୂଆଦିଲ୍ଲୀ,୭।୧: ଭାରତରେ ଆତଙ୍କ ଖେଳାଇଛି ଚାଇନାର ନୂଆ ଭାଇରସ HMPV । ଭାଇରସ୍‌କୁ ନେଇ ଲୋକଙ୍କ ଭିତରେ ଖେଳି ଯାଇଛି ଆତଙ୍କ। ତେବେ ଏହା ଭିତରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି,  HMPV ର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ। ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ। ଏହାର ଅର୍ଥ ଏଚଏମପିଭିକୁ ମାତ ଦେବା ପାଇଁ କୌଣସି ସ୍ୱତନ୍ତ୍ର ଔଷଧର ଆବଶ୍ୟକ ନଥିବା ଡାକ୍ତର ଗୁଲେରିଆଙ୍କ ବୟାନରୁ ସ୍ପଷ୍ଟ ହୋଇଛି।

ଡାକ୍ତର ଗୁଲେରିଆ ଏବେ ଗୁରୁଗ୍ରାମରେ ଥିବା ମେଦାନ୍ତରେ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟରନାଲ ମେଡିସିନ, ରେସପାଏରଟୋରି ଓ ସ୍ଲିପ ମେଡିସନର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। ସେ କହିଛନ୍ତି, ଏହି ଭାଇରସ ଆଦୌ ନୂଆ ନୁହେଁ। ଏହା କେବଳ ମଧ୍ୟମ ଧରଣର ସଂକ୍ରମଣ କରିପାରେ। HMPV ବହୁତ ବର୍ଷ ପୁରୁଣା ଭାଇରସ। ଉଲ୍ଲେଖନୀୟ ଯେ, ଭାରତରେ ଏପର୍ଯ୍ୟନ୍ତ ୭ଟି ସଂକ୍ରମଣ ମାମଲା ସାମନାକୁ ଆସିଛି। ଏଥିରେ ବିଶେଷ ଭାବରେ ଶିଶୁମାନେ ପ୍ରଭାବିତ ହେଉଛନ୍ତି। କର୍ଣ୍ଣାଟକରେ ୨, ଗୁଜରାଟରେ ଜଣେ ଏବଂ ତାମିଲନାଡୁରେ ୨ ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ବୟସ ଏକ ମାସରୁ ନେଇ ୧୩ ବର୍ଷ ପର୍ଯ୍ୟନ୍ତ ରହିଛି। ତେଣୁ ଏହା ଏକ ସାଧାରଣ ଜ୍ବର ଭଳି ବୋଲି ଡାକ୍ତର ଗୁଲେରିଆ କହିଛନ୍ତି।