ଭୁବନେଶ୍ଵର, ୧୩/୦୧ : ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ୨୦ ହଜାର ଟଙ୍କାର ପେନସନ୍। ସଂଗ୍ରାମୀମାନଙ୍କ ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ।

ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ମାସକୁ ୨୦ ହଜାର ଟଙ୍କାର ପେନସନ ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ। ଆଜି ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପେନସନ ସହିତ ସମସ୍ତ ସଂଗ୍ରାମୀମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। 

ଅଧିକ ପଢନ୍ତୁ- ଓଡ଼ିଶାରେ ଖୁବଶୀଘ୍ର ଆୟୁଷ୍ମାନ ଭାରତ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏମଓୟୁ ସ୍ଵାକ୍ଷର

ସୂଚନା ଯୋଗ୍ୟ ଯେ, ୧୯୭୫ ମସିହା ଜୁନ୍ ୨୫ ତାରିଖରୁ ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି  ଫକିରୁଦ୍ଦୀନ ଅଲୀ ଅହମ୍ମଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵାଧୀନ ସରକାରଙ୍କ ସୁପାରିଶରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଜୁନ ୨୫ ମଧ୍ୟରାତ୍ରୀରେ ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହାର ପରଦିନ ଇନ୍ଦିରା ଗାନ୍ଧୀ ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ସୂଚନା ଦେଇଥିଲେ। ୨୬ର ସୂର୍ଯ୍ୟୋଦୟରୁ ଦେଶର ସମସ୍ତ ନାଗରିକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ କରିଦିଆଯାଇଥିଲା। ଲୋକଙ୍କ ପାଖରେ ଅଭିବ୍ୟକ୍ତିର ଅଧିକାର ନଥିଲା। ଜୁନ୍ ୨୫ ରାତିରୁ ବିରୋଧୀ ଦଳ ନେତାଙ୍କୁ ଗିରଫ କରିବା ଆରମ୍ଭ ହୋଇଯାଇଥିଲା।  ଏହା ବିରୋଧରେ ସ୍ଵର ଉଠାଇ ଅନେକ ସଂଗ୍ରାମୀ ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ।