କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକସଜନିତ ସଂଗୃହିତ ଅର୍ଥରୁ କିଛି ହସ୍ତାନ୍ତର କରନ୍ତି । କାରଣ, ରାଜ୍ୟ ବେଶି ଖର୍ଚ୍ଚ କରେ, କିନ୍ତୁ କେନ୍ଦ୍ର ବେଶି ଟିକସ ଆଦାୟ କରେ । ଉଲ୍ଲେଖଯୋଗ୍ୟ, ପଞ୍ଚଦଶ ଅର୍ଥ ଆୟୋଗ ଅନୁଯାୟୀ, ରାଜ୍ୟଗୁଡ଼ିକ ୬୨%ରୁ ଅଧିକ ଖର୍ଚ୍ଚ ଦାୟିତ୍ୱ ବହନ କରିଲାବେଳେ ରାଜସ୍ୱ ଆଦାୟ କରିବାର କ୍ଷମତା ମାତ୍ର ୩୭% । ରାଜ୍ୟ ନୂତନ ଟିକସ ଧାର୍ଯ୍ୟ କରିବାର କ୍ଷମତା ସୀମିତ । ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ହାତରେ ରାଜସ୍ୱ ସଂଗ୍ରହ କ୍ଷମତାର ୬୩% ଥିଲାବେଳେ ମାତ୍ର ୩୮% ଖର୍ଚ୍ଚ ବହନ କରିଥାନ୍ତି । ଜିଏସ୍ଟି କାର୍ଯ୍ୟକାରୀ ହେବାପରେ ରାଜ୍ୟମାନଙ୍କର ଟିକସ ଆଦାୟ କରିବାର କ୍ଷମତା ସଙ୍କୁଚିତ ହୋଇଛି । ପୁନଶ୍ଚ କେନ୍ଦ୍ର ଚାହିଁଲେ ମନଇଚ୍ଛା ନୂତନ ଟିକସ ଧାର୍ଯ୍ୟ କରିପାରିବ, ଟିକସ ହାର ବୃଦ୍ଧି କରିପାରିବ, ଋଣ କରିପାରିବ । ଏଣୁ ସଙ୍ଘୀୟ ବ୍ୟବସ୍ଥା ଅନୁସାରେ ସମ୍ବିଧାନର ଧାରା-୨୭୦ ଅନୁଯାୟୀ କେନ୍ଦ୍ର ଯେଉଁ ଟିକସ ଆଦାୟ କରିଥାଏ, ତାହା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବଣ୍ଟନ କରାଯାଇଥାଏ ।

ସମ୍ବିଧାନର ଧାରା୨୭୫ ଅନୁଯାୟୀ ରାଜ୍ୟମାନଙ୍କୁ ଅନୁଦାନ ଦେବାପାଇଁ ନୀତି ନିର୍ଦ୍ଧାରଣ କରାଯାଏ । ଅର୍ଥ କମିଶନ ହେଉଛି ଏକ ସାମ୍ବିଧାନିକ ସଂସ୍ଥା ଯାହା ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବିଧାନର ଧାରା-୨୮୦ ଅନୁଯାୟୀ ପ୍ରତି ପାଞ୍ଚବର୍ଷରେ ଗଠନ ହୋଇଥାଏ । ଭର୍ଟିକାଲ୍ ଡିଭୋଲ୍ୟୁସନ୍ ( ଭୂଲମ୍ବ ଆବଣ୍ଟନ) ଅର୍ଥ ହେଲା, କେନ୍ଦ୍ରୀୟ କରକୁ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କରିବା । ହରାଇଜୋନ୍ଟାଲ ଡିଭୋଲ୍ୟୁସନ୍ (ଭୂସମାନ୍ତର ଆବଣ୍ଟନ) ହେଲା ରାଜ୍ୟମାନଙ୍କ ଅଂଶକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ବାଣ୍ଟିବା । ଷୋଡ଼ଶ ଅର୍ଥ କମିଶନ ରାଜ୍ୟମାନଙ୍କ ପାଇଁ ବିଭାଜିତ ପାଣ୍ଠିରୁ (ଡିଭିଜିବୁଲ ପୁଲର୍) ୪୧% ଅଂଶକୁ ପୂର୍ବପରି ରଖିଛନ୍ତି । ସମ୍ବିଧାନର ଧାରା ୨୮୧ ଅନୁଯାୟୀ ଅର୍ଥ କମିଶନର ସୁପାରିସଗୁଡ଼ିକୁ ସଂସଦର ପ୍ରତ୍ୟେକ ଗୃହ ସମ୍ମୁଖରେ ଉପସ୍ଥାପନ କରାଯିବା ଆବଶ୍ୟକ । ଷୋଡ଼ଶ ଅର୍ଥ କମିଶନର ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗରିଆ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି, ଯାହା ୨୦୨୬ ଫେବ୍ରୁଆରୀ ୧ରେ ସଂସଦରେ ଉପସ୍ଥାପନ ହୋଇଛି । ଏହା ଆଗାମୀ ୫ବର୍ଷ ପାଇଁ, ଅର୍ଥାତ୍ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ଲାଗୁହେବ । ଅର୍ଥ କମିଶନ ବିଭାଜିତ ପାଣ୍ଠିରୁ ଅର୍ଥ ଦେବା ବ୍ୟତୀତ ରାଜ୍ୟକୁ ଗ୍ରାଣ୍ଟ-ଇନ୍-ଏଡ୍ ବା ଅନୁଦାନ ବାବଦରେ ମଧ୍ୟ ଅର୍ଥ ପ୍ରଦାନ କରିଥାଏ ।

ରାଜ୍ୟମାନଙ୍କୁ ପାଣ୍ଠି ହସ୍ତାନ୍ତର କରିବା ପ୍ରକ୍ରିୟା ଅର୍ଥ, କମିଶନ ସୁପାରିସ ଅନୁଯାୟୀ ନିର୍ଦ୍ଦିଷ୍ଟ ମାନଦଣ୍ଡକୁ ଭିତ୍ତିକରି କରାଯାଇଥାଏ । ପଞ୍ଚଦଶ ଅର୍ଥ କମିଶନରେ ଆୟ ଦୂରତା (ରାଜ୍ୟର ମୁଣ୍ଡପିଛା ମୋଟ୍ ରାଜ୍ୟ ଘରୋଇ ଉତ୍ପାଦକୁ ଭିତ୍ତିକରି) ୪୫% ଗୁରୁତ୍ୱ ଦିଆଯାଉଥିଲାବେଳେ ଏଥର ୪୨.୫%, ଏରିଆ ବା କ୍ଷେତ୍ରଫଳରେ ୧୫% ବଦଳରେ ୧୦%, ଜନସଂଖ୍ୟା (୨୦୧୧ ଅନୁସାରେ)ରେ ୧୫% ବଦଳରେ ୧୭.୫%, ଜନସଂଖ୍ୟାଗତ ପ୍ରଦର୍ଶନରେ ୧୨.୫% ବଦଳରେ ୧୦%, ଜଙ୍ଗଲ (୨୦୧୫ରୁ ୨୦୨୩ ମଧ୍ୟରେ ଜଙ୍ଗଲ ବୃଦ୍ଧି) ପାଇଁ ପୂର୍ବପରି ୧୦%, ବିତ୍ତୀୟ ପଦକ୍ଷେପ ୨.୫%ରୁ ଶୂନ ହୋଇଥିଲାବେଳେ ଦେଶର ଜିଡିପିକୁ ଅବଦାନରେ ନୂତନ ଭାବେ ୧୦% ଗୁରୁତ୍ୱ ଦିଆଯାଇଛି । ଷୋଡ଼ଶ ଅର୍ଥ କମିଶନ ଏକ ରାଜ୍ୟର ମୁଣ୍ଡପିଛା ଜିଏସ୍‌ଡି ପି ଓ ସର୍ବାଧିକ ମୁଣ୍ଡପିଛା ଜିଏସ୍ଡିପି ଥିବା ଶୀର୍ଷ ତିନିଟି ବଡ଼ ରାଜ୍ୟର ହାରାହାରି ମୁଣ୍ଡପିଛା ଜିଏସ୍ଡିପି ମଧ୍ୟରେ ଥିବା ପାର୍ଥକ୍ୟକୁ ଆୟ ଦୂରତା ଭାବେ ପରିଭାଷିତ କରିଛି । ୨୦୨୦-୨୧ ମହାମାରୀ ବର୍ଷକୁ ବାଦ୍ ଦେଇ, ୨୦୧୮-୧୯ରୁ ୨୦୨୩-୨୪ ଅବଧିର ହାରାହାରି ମୁଣ୍ଡପିଛା ଜିଏସଡିପିକୁ ବୁଝାଏ । ରାଜ୍ୟଗୁଡ଼ିକ ମଧ୍ୟରେ ସମାନତା ବଜାୟ ରଖିବା ପାଇଁ ମୁଣ୍ଡପିଛା ଜିଏସଡିପି କମ୍ ଥିବା ରାଜ୍ୟଗୁଡ଼ିକ ଏହି ପାରାମିଟରରେ ଅଧିକ ଅଂଶ ପାଇବେ । ଜନସଂଖ୍ୟାଗତ ପ୍ରଦର୍ଶନ କହିଲେ ମୋଟ୍ ପ୍ରଜନନ ହାର ବଦଳରେ ୧୯୭୧ରୁ ୨୦୧୧ ମଧ୍ୟରେ ଜନସଂଖ୍ୟା ବୃଦ୍ଧି । ଜିଡିପି ଅବଦାନକୁ ପ୍ରାଧାନ୍ୟ ଦେବାଯୋଗୁଁ ଉନ୍ନତ ତଥା ବୃହତ୍ ରାଜ୍ୟମାନେ ବହୁତ ଅଧିକ ଲାଭବାନ ହେଉଛନ୍ତି । ଯାହାଫଳରେ ଉନ୍ନତ ରାଜ୍ୟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ ଲାଭବାନ ହୋଇଛନ୍ତି । ଏହି ରାଜ୍ୟମାନଙ୍କ ବ୍ୟତୀତ ତେଲଙ୍ଗାନା, ଉତ୍ତରାଖଣ୍ଡ, ହରିଆନା, ଆସାମ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମିଜୋରାମ ପୂର୍ବ ଅପେକ୍ଷା ସାମାନ୍ୟ ଅଧିକ ହାରରେ ପାଇଲାବେଳେ ଅବଶିଷ୍ଟ ରାଜ୍ୟ କମ୍ ପାଇବେ ।

ଅନୁଦାନ ମଧ୍ୟରେ ରହିଛି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (urban local bodies), ଗ୍ରାମୀଣ ସ୍ଥାନୀୟ ସଂସ୍ଥାକୁ ପାଣ୍ଠି ହସ୍ତାନ୍ତର ଓ ବିପର୍ଯ୍ୟୟ ପରିଚାଳନା ପାଣ୍ଠି । କିନ୍ତୁ ପଞ୍ଚଦଶ କମିଶନର ରାଜସ୍ୱ ନିଅଣ୍ଟିଆ ଅନୁଦାନ, ବିଭିନ୍ନ ସେକ୍ଟର ବା କ୍ଷେତ୍ର ଯଥା- ଶିକ୍ଷା, କୃଷିଭିତ୍ତିକ ଅନୁଦାନ ଓ ରାଜ୍ୟଭିତ୍ତିକ ଅନୁଦାନ ଉଠାଇ ଦେଇଛନ୍ତି । ୨୦୩୦-୩୧ ସୁଦ୍ଧା କେନ୍ଦ୍ର ବିତ୍ତୀୟ ନିଅଣ୍ଟ ୩.୫%କୁ ହ୍ରାସ କରିବା, ଏବଂ ରାଜ୍ୟମାନଙ୍କ କ୍ଷେତ୍ରରେ ଏହା ପ୍ରତିବର୍ଷ ୩%ରେ ସୀମିତ ରହିବା, ବଜେଟ୍ ବାହାରେ କୌଣସି ଋଣ ନକରିବା ବା କଲେ ତାହାକୁ ବଜେଟ୍ ଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟମାନଙ୍କ ଋଣ ମିଶି ଜିଡିପିର ୭୭.୩%ରୁ ଅଧିକ ହୋଇଛି, ଏଣୁ ତାକୁ ୨୦୩୦-୩୧ ମଧ୍ୟରେ ୭୩.୧% କୁ ହ୍ରାସ କରିବାପାଇଁ ସୁପାରିସ କରିଛନ୍ତି । ୫ବର୍ଷରେ କେବଳ ୯.୪୭ଲକ୍ଷ କୋଟି ଟଙ୍କା ସମସ୍ତ ରାଜ୍ୟକୁ କେନ୍ଦ୍ର ଅନୁଦାନ ପ୍ରଦାନ କରିବ । ଏଥିରୁ ୭.୯୧ଲକ୍ଷ କୋଟି ଟଙ୍କା ଗ୍ରାମୀଣ ଓ ସହର ସ୍ଥାନୀୟ ସଂସ୍ଥାମାନଙ୍କୁ ମିଳିଲାବେଳେ ଏଥିରୁ ୮୦% ମୂଳ ଅନୁଦାନ ଓ ୨୦% କାର୍ଯ୍ୟଦକ୍ଷତା ଭିତ୍ତିକ ଅନୁଦାନ ଅଟେ । ସ୍ଥାନୀୟ ସଂସ୍ଥାମାନଙ୍କୁ ୮ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ, ଯେଉଁଥିରୁ ୪.୪ଲକ୍ଷ କୋଟି ଟଙ୍କା ଗ୍ରାମୀଣ ସ୍ଥାନୀୟ ସଂସ୍ଥା (rural local bodies) ଓ ୩.୬ଲକ୍ଷ କୋଟି ଟଙ୍କା ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ପ୍ରାପ୍ତହେବ । ପୁନଶ୍ଚ ମୂଳ ଅନୁଦାନର ୫୦% ବିନା ସର୍ତ୍ତରେ ଦିଆଗଲାବେଳେ, ଅବଶିଷ୍ଟ ୫୦% ସାନିଟେସନ (ପରିମଳ), କଠିନ ବର୍ଜ୍ୟବସ୍ତୁ, ପାଣି ପରିଚାଳନା ସହିତ ଜଡ଼ିତ । ବିପର୍ଯ୍ୟୟ ପରିଚାଳନା ଅନୁଦାନ ପାଇଁ ୨,୦୪,୪୦୧ କୋଟି ଟଙ୍କା ପ୍ରଦାନ କରାଯିବ ଯେଉଁଥିରୁ ଉତ୍ତର ପାର୍ବତ୍ୟ ହିମାଳୟ ଅଞ୍ଚଳ ପାଇଁ କେନ୍ଦ୍ର ୯୦% ବହନ କରିଲାବେଳେ ରାଜ୍ୟ ୧୦% ବହନ କରିବେ । ସେହିପରି ଅନ୍ୟ ରାଜ୍ୟପାଇଁ କେନ୍ଦ୍ର ୭୫% ଓ ରାଜ୍ୟ ୨୫% ବହନ କରିବେ । ୨୦୨୬- ୨୭ରେ କେନ୍ଦ୍ର ୨୬,୨୦,୭୬୯ କୋଟି ଟଙ୍କା ସମସ୍ତ ରାଜ୍ୟକୁ ହସ୍ତାନ୍ତର କରିବ । ସେଥିରୁ ବିଭାଜିତ ପାଣ୍ଠିରୁ ରାଜ୍ୟର ଅଂଶ ବାବଦରେ ୧୫,୨୬,୨୫୫କୋଟି ଟଙ୍କା ଏବଂ ଅନୁଦାନ ଓ ଋଣ ବାବଦରେ ୧୦,୯୪,୫୧୪ କୋଟି ଟଙ୍କା ପ୍ରଦାନ କରାଯିବ । ୨୦୨୫-୨୬ ବର୍ଷରେ ବଜେଟ ଆକଳନ ତୁଳନାରେ ସଂଶୋଧନ ଆକଳନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା, ଅର୍ଥ କମିଶନ ଅନୁଦାନ ଏବଂ ଅନ୍ୟାନ୍ୟ ହସ୍ତାନ୍ତରରେ ରାଜ୍ୟଗୁଡ଼ିକୁ ୨,୦୩,୮୦୧ କୋଟି ଟଙ୍କା ହ୍ରାସ କରାଯାଇଛି । ୨୦୨୬-୨୭ ବର୍ଷର ବଜେଟ ଆକଳନରେ ୨୦୨୫-୨୬ ବଜେଟ ଆକଳନ ତୁଳନାରେ ୫୯,୪୫୬ କୋଟି ଟଙ୍କା ହ୍ରାସ ପାଇଛି ।

ଚତୁର୍ଦ୍ଦଶ ଅର୍ଥ କମିଶନ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇ କେନ୍ଦ୍ରୀୟ କର ବଣ୍ଟନରେ ରାଜ୍ୟମାନଙ୍କ ଅଂଶକୁ ୩୨%ରୁ ୪୨%କୁ ବୃଦ୍ଧି କରିଥିଲା । ପରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ପରେ ପଞ୍ଚଦଶ ଅର୍ଥ କମିଶନ ଏହି ଅଂଶକୁ ୪୧%କୁ ହ୍ରାସ କରିଥିଲେ । ଷୋଡ଼ଶ ଅର୍ଥ କମିଶନ ମଧ୍ୟ ଏଥିରେ ପରିବର୍ତ୍ତନ କରିନାହାଁନ୍ତି । କିନ୍ତୁ ଦୁଃଖର ବିଷୟ, କେନ୍ଦ୍ର ରାଜ୍ୟର କ୍ଷମତାକୁ ସଙ୍କୁଚିତ କରିଦେଉଛି । ସମ୍ବିଧାନର ଧାରା-୨୭୯ ଅନୁଯାୟୀ କେନ୍ଦ୍ରର ବିଭାଜିତ ପାଣ୍ଠିରେ କେନ୍ଦ୍ର ସେସ୍ ଏବଂ ସରଚାର୍ଜ ବାବଦରେ ଯେଉଁ ସମ୍ବଳ ପାଇଥାଏ, ସେଥିରେ ଯୋଗ ହୋଇନଥାଏ । ଟିକସ ସଂଗ୍ରହ ପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ ବାଦ୍ ଦିଆଯାଏ । ଏଣୁ ବିଭାଜିତ ପାଣ୍ଠିରେ ରାଜ୍ୟ ତା’ର ଅଂଶ ପାଇଲାବେଳେ ସେସ୍ ଏବଂ ସରଚାର୍ଜକୁ ମିଶାଇ ସାମଗ୍ରିକ ଟିକସ ପାଣ୍ଠିରେ ରାଜ୍ୟମାନଙ୍କର ଅଂଶ ହ୍ରାସପାଉଛି । ୨୦୨୧-୨୨ ଏହା ସେସ୍ ଏବଂ ସରଚାର୍ଜ ବାବଦରେ କେନ୍ଦ୍ର ସରକାର ୪.୮୩ଲକ୍ଷ କୋଟି ଟଙ୍କା ପାଇଲାବେଳେ ଏହା ଏବଂ ୨୦୨୨-୨୩ରେ ୪.୯୭ଲକ୍ଷ କୋଟି ଟଙ୍କା, ୨୦୨୩- ୨୪ରେ ୫.୦୧ଲକ୍ଷ କୋଟି ଟଙ୍କା, ୨୦୨୪-୨୫ରେ ୫.୩୦ଲକ୍ଷ କୋଟି ଟଙ୍କା, ୨୦୨୫-୨୬ରେ ୫.୮୧ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲାବେଳେ, ୨୦୨୬-୨୭ରେ ୬.୩୦ଲକ୍ଷ କୋଟି ଟଙ୍କାକୁ ବୃଦ୍ଧିପାଇବ ବୋଲି ଆକଳନ କରାଯାଉଛି । ସେସ୍ ଏବଂ ସରଚାର୍ଜ ଯୋଗୁଁ ୨୦୧୪- ୧୫ରେ ମୋଟ୍ ରାଜସ୍ୱର ୮୯.୧% ବିଭାଜିତ ପାଣ୍ଠିକୁ ଆସିଥିଲାବେଳେ ପଞ୍ଚଦଶ ଅର୍ଥ କମିଶନ ଅବଧିର ୭୪ରୁ ୮୦%କୁ ହ୍ରାସପାଇଛି । ଚତୁର୍ଦ୍ଦଶ କମିଶନ ଅନୁଯାୟୀ ୨୦୧୫-୧୬ ମସିହାରେ ରାଜ୍ୟମାନେ ବିଭାଜିତ ପୁଲ୍ରୁ ୪୨% ପାଇବା କଥା, କିନ୍ତୁ ସେସ୍ ଏବଂ ସରଚାର୍ଜ ଯୋଗୁଁ ମୋଟ୍ ଟିକସରେ ୩୫% ପାଖାପାଖି ପାଉଥିଲେ । ପଞ୍ଚଦଶ ଅର୍ଥ କମିଶନବେଳେ ୪୧% ପାଇବା କଥା, କିନ୍ତୁ ତାହା ୩୦% ପାଖାପାଖି ଖସିଆସିଛି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୧୬ତମ ଅର୍ଥ କମିଶନଙ୍କ ନିକଟରେ ୫ବର୍ଷ ପାଇଁ ୧୨,୫୯,୧୪୮କୋଟି ଟଙ୍କାର ଏକ ବ୍ୟାପକ ଦାବି ଉପସ୍ଥାପନ କରିଥିଲେ । ସେହି ଦାବି ମଧ୍ୟରେ ଥିଲା: କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡ଼ିକର ଅଂଶକୁ ବର୍ତ୍ତମାନର ୪୧%ରୁ ୫୦%କୁ ବୃଦ୍ଧିକରିବା, କେନ୍ଦ୍ରୀୟ ବିଭାଜିତ ପାଣ୍ଠିରୁ ଓଡ଼ିଶାର ଅଂଶକୁ ୪.୫୨୮%ରୁ ୪.୯୬୪%କୁ ବୃଦ୍ଧିକରିବା । ପ୍ରମୁଖ ଆର୍ଥିକ ବ୍ୟୟବରାଦ (୨୦୨୬-୩୧): ବଣ୍ଟନ ପୂର୍ବ ରାଜସ୍ୱ ନିଅଣ୍ଟ (PreDevolution Revenue Deficit): ୯,୮୮,୪୨୨ କୋଟି ଟଙ୍କା । ରାଜ୍ୟର ସ୍ୱତନ୍ତ୍ର ଆବଶ୍ୟକତା ବାବଦରେ ୧,୧୦,୪୩୪ କୋଟି ଟଙ୍କା, ସ୍ଥାନୀୟ ସଂସ୍ଥା (ଗ୍ରାମୀଣ ଏବଂ ସହରାଞ୍ଚଳ) ପାଇଁ ୧,୦୦,୦୩୬ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (State Disaster Response Fund (SDRF) ପାଇଁ ୩୧,୦୦୪ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (State Disaster Mitigation Fund) ବାବଦରେ ୨୯,୨୫୨ କୋଟି ଟଙ୍କା ସେ ଦାବି କରିଥିଲେ । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ (Disaster Management Funding)କେନ୍ଦ୍ର ସରକାର ୭୫% ବଦଳରେ ୧୦୦% ବହନ କରିବା, କେନ୍ଦ୍ର ଦ୍ୱାରା ସଂଗୃହୀତ ସେସ୍ ଏବଂ ସରଚାର୍ଜକୁ ରାଜ୍ୟଗୁଡ଼ିକ ପାଇଁ ବିଭାଜିତ ପାଣ୍ଠିରୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଥିଲେ ।

ଯଦି ଓଡ଼ିଶା କଥା ବିଚାର କରିବା ତେବେ ପ୍ରତି ଅର୍ଥ କମିଶନ ସୁପାରିସ ଅନୁଯାୟୀ, ଓଡ଼ିଶାର ଅଂଶ ମୋଟ୍ ବିଭାଜିତ ପାଣ୍ଠିରେ ହ୍ରାସପାଇଛି । ଦ୍ୱାଦଶ ଅର୍ଥ କମିଶନ ଅନୁଯାୟୀ ଓଡ଼ିଶାର ଅଂଶ ୫.୧୬% ଥିଲା । ଏହା ତ୍ରୟୋଦଶ ଅର୍ଥ କମିଶନ ୪.୭୭%, ଚତୁର୍ଦ୍ଦଶ ଅର୍ଥ କମିଶନ ୪.୬୪% ଏବଂ ପଞ୍ଚଦଶ ଅର୍ଥ କମିଶନ ରିପୋର୍ଟରେ ୪.୫୩%କୁ ହ୍ରାସ ପାଇଥିଲା । ଷୋଡ଼ଶ ଅର୍ଥ କମିଶନରେ ଏହା ପୁନଶ୍ଚ ୪.୪୨%କୁ ହ୍ରାସପାଇବ । ଏଥର ହ୍ରାସ ପାଇବାର କାରଣ ହେଉଛି, ଯେଉଁସବୁ ମାନଦଣ୍ଡ ବିଭାଜିତ ପାଣ୍ଠିରୁ ବଣ୍ଟନ କରାଯିବ ସେଥିରେ ପରିବର୍ତ୍ତନ କରାଯାଇଛି । ବିଶେଷକରି ଜିଡିପି ଅବଦାନକୁ ନୂତନ ଭାବେ ନେବା ମୁଖ୍ୟ କାରଣ । ବେଶି ଚିନ୍ତାର ବିଷୟ ହେଉଛି, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା, ବିପର୍ଯ୍ୟୟ ପରିଚାଳନା ଅନୁଦାନ, ରାଜ୍ୟ ବିପର୍ଯ୍ୟୟ ସହାୟତା ଏବଂ ପରିଚାଳନା ପାଣ୍ଠି ଆଦିରେ ରାଜ୍ୟମାନେ କିଛି ପ୍ରତିଶତ ବହନ କରିବାକୁ ପଡ଼େ । ବହୁତ ସମୟରେ କେନ୍ଦ୍ର ଦେଇଥିବା ଅର୍ଥ ଫେରିଯାଏ । କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଅଂଶ ଯାହା ୨୦୨୫-୨୬ରେ ୬୪,୪୦୮କୋଟି ଟଙ୍କା ଧାର୍ଯ୍ୟ କରଯାଇଥିଲା ତାହା ସଂଶୋଧିତ ଅଟକଳରେ ୬୩,୦୭୩କୋଟି ଟଙ୍କାକୁ ହ୍ରାସପାଇଛି । ମୋଟ୍ ଅନୁଦାନ ସହାୟତା ୪୧,୯୨୬କୋଟି ଟଙ୍କାରୁ ହ୍ରାସପାଇ ୪୦,୦୪୦କୋଟି ହେବ ବୋଲି ଆକଳନ କରାଯାଇଛି।