ଭୁବନେଶ୍ବର, ୧୮/୦୭: ବାହାରିନରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ 'ବାହାରିନ ଓଡ଼ିଆ ସମାଜ" ଦ୍ବାରା ଘୋଷଯାତ୍ରା ଆୟୋଜନ ହୋଇଛି । ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ୍ ହୋଇଥିଲେ । ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ପରେ ଭକ୍ତମାନେ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ ।

ସୂଚନା ଅନୁଯାୟୀ, ବାହାରିନର ରାଜଧାନୀ ମାନାମା ଠାରେ ପାରମ୍ପରିକ ରୀତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଛି । ବାହାରିନ ଓଡ଼ିଆ ସମାଜର ସଭାପତି ରାମଚନ୍ଦ୍ର ସାହୁ ଓ ଶ୍ରୀ ଶ୍ରୀ ରାଧା ଗୋପାଳ କୃଷ୍ଣ ମନ୍ଦିରର ଯାଦଵପତି କୃଷ୍ଣଦାସ ପ୍ରଭୁ ଏବଂ ପ୍ରଶାନ୍ତ ପ୍ରଭୁ ରଥରେ ଛେରା ପହଁରା କରିଥିଲେ । ପରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା । ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳିରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ରଥକୁ ଟାଣି ନେଇଥିଲେ । ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟାକ୍ରମ ଆରମ୍ଭ ହୋଇଥିଲା । ଏହା ସିହତ ବାହାରିନ ଓଡ଼ିଆ ସମାଜର କୋଷାଦକ୍ଷ ଅଶୋକ କୁମାର ପାଣି, ସାଂସ୍କୃତିକ ସଂପାଦିକା ସରିତା ପାଢ଼ୀ, କ୍ରୀଡା ସମ୍ପାଦକ ଅନିରୁଦ୍ଧ ବିଶ୍ୱାଳ ଶ୍ରଦ୍ଧାଳୁ ମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥଲେ । ବିଦେଶର ରଥଯାତ୍ରା ପାଳନ କରିବା ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟର କଥା ବୋଲି ସମାଜର ଯୁଗ୍ମ ସାଧାରଣ ସମ୍ପାଦକ ଅମରେଶ ପଣ୍ଡା ଓ ଜନ ସମ୍ପର୍କ ସମ୍ପାଦିକା ଅଙ୍କିତା ନାୟକ କହିଥିଲେ।

ରଥ ନିର୍ମାଣଠୁ ଆରମ୍ଭ କରି ରଥ ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମାନେ ସହଯୋଗ କରିଥଲେ। ବାହାରିନ ଓଡ଼ିଆ ସମାଜର ସଭାପତି ରାମଚନ୍ଦ୍ର ସାହୁ ଭକ୍ତ ମାନଙ୍କୁ ଉଦବୋଧନ ଦେଇ ବାହାରିନରେ ରଥଯାତ୍ରା ପାଳନ କରିବା ପ୍ରଭୂ ଜଗନ୍ନାଥଙ୍କ ଲୀଳା ଓ କରୁଣା ବୋଲି କହିଥିଲେ। ସର୍ବଶେଷରେ ସାଧାରଣ ସଂପାଦକ ସାରଦା ପଟ୍ଟନାୟକ ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅଧିକ-ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା , ଲୋକଙ୍କ ସମସ୍ୟା ବୁଝି ପଦକ୍ଷେପ ନେବାକୁ ପରାମର୍ଶ