ନୂଆଦିଲ୍ଲୀ: ରାଜସ୍ଥାନର ବିକାନେରରେ ଜଣେ ବ୍ୟକ୍ତି ସଞ୍ଜୟ ଲୀଲା ବଂଶାଲି ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏଥିରେ ଠକେଇ, ଅସଦାଚରଣ ଏବଂ ବିଶ୍ୱାସ ଭଙ୍ଗ ଅଭିଯୋଗ କରିଛନ୍ତି ସେ । ଏହାକୁ ନେଇ ଏଫଆଇଆର ରୁଜୁ କରାଯାଇଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ପୋଲିସ ସୂତ୍ରକୁ ଉଦ୍ଧୃତ କରି କହିଛି ଯେ, ଏହି ଏଫଆଇଆର ଭଂସାଲିଙ୍କ ଆଗାମୀ ଫିଲ୍ମ 'ଲଭ୍ ଆଣ୍ଡ୍ ୱାର୍' ସହିତ ଜଡିତ, ଯେଉଁଥିରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶଲ ଅଭିନୟ କରିଛନ୍ତି । ତଥାପି, ଏହି ଆଗାମୀ ଫିଲ୍ମଟି ଏବେ ରିଲିଜ୍ ହେବା ପୂର୍ବରୁ ବିବାଦରେ ଫସି ରହିଛି। କୋର୍ଟଙ୍କ ନିର୍ଦ୍ଦେଶରେ ବିକାନେରର ବିଚୱାଲ ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ ହୋଇଛି।
ଏହି ଅଭିଯୋଗ କରିଛନ୍ତି ପ୍ରତୀକ ରାଜ ମାଥୁର, ଯିଏ ଦାବି କରିଛନ୍ତି ଯେ ଫିଲ୍ମ ନିର୍ମାତା ସଞ୍ଜୟ ତାଙ୍କୁ ଲାଇନ ପ୍ରଯୋଜକଙ୍କ ଦାୟିତ୍ୱ ଦେବା ପରେ ତାଙ୍କୁ ଦେୟ ନ ଦେଇ ପ୍ରୋଜେକ୍ଟରୁ ହଟାଇ ଦେଇଥିଲେ। ସେ ପ୍ରଶାସନିକ ଅନୁମତି, ସୁରକ୍ଷା ବ୍ୟବସ୍ଥା, ହୋଟେଲ ବୁକିଂ ଏବଂ ଅନ୍ୟାନ୍ୟ ସୁଟିଂ ସମ୍ବନ୍ଧୀୟ ପ୍ରସ୍ତୁତିର ଦାୟିତ୍ୱ ନେଇଥିଲେ। କିନ୍ତୁ ଏହା ସତ୍ତ୍ୱେ, ତାଙ୍କୁ ଦେୟ ବିନା କାମରୁ ବହିଷ୍କାର କରାଯାଇଥିଲା। ଏଫଆଇଆର ଅନୁଯାୟୀ, ଅଗଷ୍ଟ ୧୭ ତାରିଖରେ ପ୍ରତୀକ ବିକାନେରର ହୋଟେଲ ନରେନ୍ଦ୍ର ଭବନରେ ପହଞ୍ଚିବା ପରେ ଭଂସାଲି, ଉତ୍କର୍ଷ ଏବଂ ଅରବିନ୍ଦ ଗିଲ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ସେମାନେ କୌଣସି ଚୁକ୍ତିନାମା ସ୍ୱାକ୍ଷର କରିବାକୁ ମନା କରିଥିଲେ ଏବଂ ଧମକ ଦେଇଥିଲେ ଯେ ପ୍ରତୀକଙ୍କ କମ୍ପାନୀ ଆଉ କୌଣସି କାମ ପାଇବ ନାହିଁ। ପ୍ରତୀକ ପ୍ରଥମେ ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଠାରେ ତାଙ୍କ ଅଭିଯୋଗ ଶୁଣାଯାଇ ନଥିଲା।
ସେ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ପରେ, ସୋମବାର ବିଚୱାଲ ପୋଲିସ ଷ୍ଟେସନରେ ସଂଜୟ ଲୀଲା ବଂଶାଲି, ଅରବିନ୍ଦ ଗିଲ ଏବଂ ଉତ୍କର୍ଷ ବାଲିଙ୍କ ବିରୁଦ୍ଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଅପରାଧିକ ଧମକ ଅଭିଯୋଗରେ ଏକ ଏଫଆଇଆର ରୁଜୁ କରାଯାଇଥିଲା। ଏଫଆଇଆରରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ପ୍ରତୀକଙ୍କ ନିଯୁକ୍ତି ଇମେଲ୍ ଉପରେ ଆଧାରିତ ଥିଲା।