ସମାଜ ଉପରେ କୁପ୍ରଭାବ ପକାଉଛି ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ, ଥାନାର ଦ୍ଵାରସ୍ଥ ହେଲା ସାମାଜିକ ସଙ୍ଗଠନ

ନିଶ୍ଚିନ୍ତକୋଇଲି, ୨୯/୦୬ : ମୋବାଇଲ ଖୋଲିବା ମାତ୍ରେ ବର୍ଷା ଆଉ ଟୁଙ୍ଗୁରୁ। ପ୍ରାୟ ଗୋଟିଏ ସପ୍ତାହ ହେଲାଣି ଚାରିଆଡ଼େ ସେଇ ଟୁଙ୍ଗୁରୁ ଭୋଳ। ଟୁଙ୍ଗୁରୁଙ୍କୁ ନେଇ ଗୀତ ମଧ୍ୟ ତିଆରି ହେଲାଣି। ତେବେ ସୋସିଆଲ୍ ମିଡିଆରେ ରାଜ୍ କରୁଥିବା ଏହି ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ସମାଜ ଉପରେ କୁପ୍ରଭାବ ପକାଉଛି। ଯାହାକୁ ବିରୋଧ କରି ଏକ ସାମାଜିକ ସଙ୍ଗଠନ ଥାନାର ଦ୍ଵାରସ୍ଥ ହୋଇଛନ୍ତି। “ବିଶ୍ୱାସ” ନାମକ ଏକ ସାମାଜିକ ସଙ୍ଗଠନର ସଦସ୍ୟମାନେ ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ଟୁଙ୍ଗୁରୁ ଭୋଳଙ୍କ ନାଁରେ ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଖବରକୁ ଯେଭଳି ଭାବେ ଦର୍ଶାଯାଉଛି ତାହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଏହି ଏତଲାରେ ଦର୍ଶାଯାଇଛି।
ଏଭଳି ଅଯଥା ଖବରରୁ ଗଣମାଧ୍ୟମ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ଏହି ଘଟଣା ଠାରୁ ବିଶେଷ କରି ଗ୍ରାମାଞ୍ଚଳରେ ଝିଅ, ବୋହୂମାନେ କେହି ଅଟୋରେ ଯିବା ଆସିବା କରିବା ପାଇଁ ସୁରକ୍ଷିତ ମଣୁ ନାହାଁନ୍ତି। ଏହାଛଡ଼ା ଏହି ଘଟଣାକୁ ନେଇ ବାଟରେ ଘାଟରେ ଝିଅ, ବୋହୂମାନଙ୍କୁ କମେଣ୍ଟ କରାଯାଉଥିବାର ଅଭିଯୋଗ କରିଛନ୍ତି ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତ୍ତା। ତେଣୁ ଗଣମାଧ୍ୟମ ଟୁଙ୍ଗୁରୁ-ବର୍ଷା ଖବର ଠାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ଏହି ସାମାଜିକ ସଙ୍ଗଠନ।