ଝରିଗାଁ,୪/୧ : ଖଳାରେ ଥିବା ଧାନ ଗଦାରେ ନିଆଁ ଲାଗି ପ୍ରାୟ ୧୧ଏକର ଅମଳ ଧାନର ୮୦ପ୍ରତିଶତ ଧାନ ପୋଡ଼ି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ନିରଣ୍ଡି ଗ୍ରାମରେ ଘଟିଛି ଏହି ଅଗ୍ନିକାଣ୍ଡ ।

ସୂଚନା ଅନୁସାରେ, ଶୁକଦାସ ଭତରା ,ଡମ୍ବରୁ ଭତରା , ତୈଳ ଭତରା ଓ ନକୁଳ ଭତରା ଚାରି ଜଣ ଚାଷୀଙ୍କ ଧାନ କଟା ପରେ ଘରଠାରୁ ପ୍ରାୟ ୫୦ମିଟର ଦୂରରେ ରହିଥିବା ଖଳାରେ ୫ଟି ଗଦା(କୁପା ) କରାଯାଇଥିଲା। ଆଜି ଅପରାହ୍ନ ପ୍ରାୟ ଦୁଇଟା ସମୟରେ କୌଣସି କାରଣରୁ ଧାନ କୂପାରେ ନିଆ ଲାଗି ଯିବାରୁ ଧାନ ଗଦା ନିଆଁ କବଳରେ ଆସି ଜଳି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଏହି ଘଟଣା ନେଇ ଡାବୁଗାଁ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ।

ଅଗ୍ନିଶମ ଗାଡ଼ି ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ସାହି ପଡ଼ୋଶୀ ହାଣ୍ଡି ବାଲ୍ଟି ଡେକଚିରେ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରି ନିଆଁ ଆୟତ କରିବା ସହ ନିଆଁ ସଂସ୍ପର୍ଶରେ ଆସି ନ ଥିବା କିଛି ପରିମାଣ ଧାନ ଅଲଗା କରିଥିଲେ । ତେବେ ସମୁଦାୟ ୧୧ଏକରର ୮୦ପ୍ରତିଶତ ଧାନ ଜଳି ପୋଡ଼ି ନଷ୍ଟ ହୋଇଥିବା କହିଛନ୍ତି ଚାଷୀ। ଶୁକଦାସ ଭତରା, ଡମ୍ବରୁ ଭତରା, ତୈଳ ଭତରା ଓ ନକୁଳ ଭତରାଙ୍କ ୧୧ଏକର ଜମିର କଟା ଅମଳା ଧାନ କ୍ଷତି ହୋଇଛି । ଏହି ଘଟଣା ନେଇ ଚାରି ଚାଷୀ ଭାଇ ଗଭୀର ଚିନ୍ତାରେ ରହିଥିବାବେଳେ ପ୍ରଶାସନ ପକ୍ଷରୁ ତଦନ୍ତ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।