ନୂଆଦିଲ୍ଲୀ,୨୩।୬: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ପରିସରରେ ସୋମବାର ଭୀଷଣ ଅଗ୍ନିକାଣ୍ଡ। ନିଆଁରେ ଲେଡିଜ୍ ବାର ରୁମ୍ ଓ ରୁମ୍ ନମ୍ବର ୪ ସମ୍ପୂର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇଯାଇଛି। ମୁଖ୍ୟ ଭାବରେ ରୁମ୍‌ର ଏକ ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦମକଳ ବିଭାଗର ଟିମ୍ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି ଓ ନିଆଁକୁ ତୁରନ୍ତ କାବୁ କରିଛନ୍ତି। ନିଆଁ ଲଗାଇବାର କାରଣ ମଧ୍ୟ ଏବେ ଜଣାପଡିନି। ହାଇକୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ଜାରି ବୟାନରେ କୁହାଯାଇଛି ନିଆଁରେ ୩୫ ଲକ୍ଷ କ୍ଷତି ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ହତାହତ ହୋଇନାହାନ୍ତି। 

ଅଧ୍ୟକ୍ଷ ସରତେଜ ସିଂହ ନରୁଲା କହିଛନ୍ତି, ତାଙ୍କୁ ସକାଳ ୪ଟା ୪୫ ମିନିଟ୍‌ରେ ହାଇକୋର୍ଟରୁ କଲ ଆସିଥିଲା, ଏହାପରେ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଲେଡିଜ୍ ବାର ରୁମ୍‌ ଓ ରୁମ୍ ନମ୍ବର ୪ରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା। ତୁରନ୍ତ ଫାୟାର ବ୍ରିଗେଡ୍ ଗାଡିକୁ ଡକାଯାଇଥିଲା। ସକାଳ ୫ଟା ୧୫ ମିନିଟ୍‌ରେ ନିଆଁକୁ କାବୁ କରାଯାଇଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଏବେ ସ୍ପଷ୍ଟ ହୋଇପାରିନି, କିନ୍ତୁ ସର୍ଟ ସର୍କିଟର ଆଶଙ୍କା ଥିବାର କୁହାଯାଉଛି। ପ୍ରଶାସନ ନିଆଁ ଲାଗିଥିବାର କାରଣ ନେଇ ବିସ୍ତୃତ ଭାବରେ ଯାଞ୍ଚ ଆରମ୍ଭ କରିଛି। ଫାୟାର ଡିପାର୍ଟମେଣ୍ଟ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ କରି ନିଆଁକୁ ବ୍ୟାପିବାକୁ ରୋକି ଦେଇଥିଲେ। ଯଦି ଠିକ୍ ସମୟରେ ନିଆଁ ଲିଭାଯାଇନଥାନ୍ତା ତେବେ ଏହା ମୁଖ୍ୟ ବାର ରୁମ୍ ପର୍ଯ୍ୟନ୍ତ ପହଁଞ୍ଚି ପାରିଥାନ୍ତା।

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହାର ଆଧୁନିକ ବାସ୍ତୁଶିଳ୍ପ ପାଇଁ ଜଣାଯାଏ, ଯାହାକୁ ଫ୍ରାନ୍ସର ପ୍ରସିଦ୍ଧ ବାସ୍ତୁକାର ଲି କର୍ବୁଜିଏ ଡିଜାଇନ୍ କରିଥିଲେ। ଏହା ପୂର୍ବରୁ ୨୦୧୯ ରେ ମଧ୍ୟ ପଞ୍ଜାବ ହରିୟାଣା ହାଇକୋର୍ଟ ପରିସରର କ୍ୟାଣ୍ଟିନ୍‌ରେ ହଠାତ ନିଆଁ ଲାଗିଯାଇଥିଲା। ଫାୟାର ବ୍ରିଗେଡ୍ ନିଆଁ ଉପରେ କାବୁ କରିଥିଲେ। ଦୁର୍ଘଟଣାରେ କେହି ହତାହତ ହୋଇନାହାନ୍ତି। କ୍ୟାଣ୍ଟିନ୍‌ରେ ସିଲିଣ୍ଡର ଲିକ୍ ହେବାରୁ ନିଆଁ ଲାଗିଥିଲା। ହାଇକୋର୍ଟ ପରିସରରେ ସବୁବେଳେ ଲୋକଙ୍କ ଭିଡ ରହିଥାଏ।