ଚଣ୍ଡିଗଡ଼, ୬।୬: ପଞ୍ଜାବର ଫିରୋଜପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି । ଶନିବାର ସକାଳେ ଏଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଫିରୋଜପୁର-ଫାଜିଲକା ରୋଡ୍ରେ ଏକ ମହିନ୍ଦ୍ରା ପିକଅପ୍ ଭ୍ୟାନ୍ ଏବଂ ଟ୍ରଲର ମଧ୍ୟରେ ସାମ୍ନାସାମ୍ନି ଜୋରଦାର ଧକ୍କା ହେବା ଫଳରେ ଏହି ବଡ଼ ଅଘଟଣ ଘଟିଛି । ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜଲାଲାବାଦ ଅଞ୍ଚଳର ଏକ ପରିବାର ନିଜ ସମ୍ପର୍କୀୟମାନଙ୍କ ସହ ମହିନ୍ଦ୍ରା ପିକଅପ୍ ଗାଡ଼ିରେ ଯାଉଥିଲେ । ସେହି ଗାଡ଼ିରେ ପ୍ରାୟ ୨୫ ରୁ ୨୮ ଜଣ ଲୋକ ଥିଲେ । ସୂଚନା ମିଳିଛି ଯେ, ନିକଟରେ ପରିବାରର ଜଣେ ବୃଦ୍ଧାଙ୍କର ପରଲୋକ ହୋଇଥିଲା । ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ପରେ ଧାର୍ମିକ ପରମ୍ପରା ଅନୁଯାୟୀ ଅସ୍ଥି ବିସର୍ଜନ କରିବା ପାଇଁ ପରିବାର ଓ ସମ୍ପର୍କୀୟମାନେ ଯାଉଥିଲେ । ମାତ୍ର ଫିରୋଜପୁର-ଫାଜିଲକା ରାସ୍ତାର ଜଙ୍ଗା ବାଲା ମୋଡ଼ ନିକଟସ୍ଥ ହୁସେନଶାହ ବାଲା ଗାଁ ପାଖରେ ସେମାନଙ୍କ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଚୁରମାର ହୋଇଗଲା ପିକଅପ୍ ଗାଡ଼ି, ଚାଲିଗଲା ୯ ଜୀବନ:
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ରେଲର ଏବଂ ପିକଅପ୍ ମଧ୍ୟରେ ଟକ୍କର ଏତେ ଭୟଙ୍କର ଥିଲା ଯେ ପିକଅପ୍ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ଗାଡ଼ି ଭିତରେ ହିଁ ଅନେକ ଲୋକ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୁଲିସକୁ ଖବର ଦେଇଥିଲେ । ପ୍ରାଥମିକ ସୂଚନାରେ ୩ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ସମେତ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୯ରେ ପହଞ୍ଚିଛି ।
ଗୁରୁତରଙ୍କୁ ଫରିଦକୋଟ୍ ରେଫର୍, ଡାକ୍ତରୀ ଟିମ୍ ପ୍ରସ୍ତୁତ:
ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଲୋକଙ୍କୁ ତୁରନ୍ତ ସ୍ଥାନୀୟ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ ଫରିଦକୋଟ୍ ମେଡିକାଲକୁ ରେଫର୍ କରାଯାଇଛି । ଡାକ୍ତରୀ ଦଳ ଗୁରୁତରମାନଙ୍କ ଜୀବନ ବଞ୍ଚାଇବା ପାଇଁ ସତତ ଚେଷ୍ଟା ଚଳାଇଛନ୍ତି ।
ଘଟଣାସ୍ଥଳରେ ଏସଏସପି, ତଦନ୍ତ ଆରମ୍ଭ:
ଏହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବରିଷ୍ଠ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ସ୍ଥିତିର ଅନୁଧ୍ୟାନ କରିବା ସହ ସେଠାରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୁଲିସ ଏହି ଦୁର୍ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି । ଦୁର୍ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା ? ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁଁ, କାହାର ଅସାବଧାନତା ପାଇଁ ନା ଅନ୍ୟ କୌଣସି କାରଣରୁ, ସେନେଇ ପୁଲିସ ସୁରାକ ଖୋଜୁଛି ।
ଆହୁରି ପଢ଼ନ୍ତୁ... ଖାନ୍ ସାର୍ଙ୍କ ସରେଣ୍ଡର ଉପରେ ସସପେନ୍ସ, ଅଗ୍ରୀମ ଜାମିନ୍ ଆବେଦନ କଲେ ଓକିଲ