ମନ୍ତ୍ରିପରିଷଦର ପ୍ରଥମ ବୈଠକରେ ମୁଖ୍ଯମନ୍ତ୍ରୀଙ୍କ ବଡ ଘୋଷଣା, ‘କାଳିଆ’ରେ ସାମିଲ ହେବେ ଆଉ ୩୩ ଲକ୍ଷ ପରିବାର

source:http://www.pragativadi.com
ଭୁବନେଶ୍ୱର ୨୯/୫: ସଚିବାଳୟରେ ମନ୍ତ୍ରିପରିଷଦର ପ୍ରଥମ ବୈଠକ ଶେଷ ହୋଇଛି । ମୁଖ୍ଯମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଶେଷରେ ମୁଖ୍ଯମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଆଉ ୩୩ ଲକ୍ଷ ପରିବାରକୁ ମିଳିବ କାଳିଆ ଯୋଜନା ଟଙ୍କା । ସମୁଦାୟ ୭୫ ଲକ୍ଷ ପରିବାରକୁ କାଳିଆ ଯୋଜନା ଟଙ୍କା ମିଳିବ । ପୂର୍ବରୁ ୪୨ ଲକ୍ଷ ପରିବାରଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା । ଆଜିଠାରୁ କାଳିଆ ଯୋଜନା ଟଙ୍କା ପ୍ରଦାନ ଆରମ୍ଭ ହୋଇଛି । ସପ୍ତାହକ ମଧ୍ୟରେ ୨୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିବ ।
ତେବେ ଆଜି ପ୍ରାୟ ୮.୪ ଲକ୍ଷ ଚାଷୀ ପରିବାରଙ୍କ ଆକାଉଣ୍ଟକୁ କାଳିଆ ଯୋଜନାରେ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ବଳକା ଚାଷୀଙ୍କ ଆକାଉଣ୍ଟକୁ ମଧ୍ୟ ଖୁବଶୀଘ୍ର କାଳିଆ ଟଙ୍କା ପଠାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାଳିଆ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେମାନଙ୍କୁ ମଧ୍ୟ ଦରଖାସ୍ତ ପକାଇବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ନବୀନ ।
ଏହାସହ ଏସଏଚଜି ମହିଳାଙ୍କୁ ମଧ୍ୟ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ଏସଏଚଜିକୁ ହଜାରେ କୋଟିର କାମ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୦ଟି ବିଭିନ୍ନ ପ୍ରକାରର କାର୍ଯ୍ଯରେ ନିୟୋଜିତ ହେବେ ଏସଏଚଜି । ଧାନ ସଂଗ୍ରହ, ପିଲାଙ୍କ ୟୁନିଫର୍ମ ତିଆରି କରିବା କାର୍ଯ୍ଯ ଆଦି କରିବା ସହ ମଧ୍ଯାହ୍ନ ଭୋଜନ, ହସ୍ପିଟାଲ ଖାଦ୍ଯ ଏବଂ ମଶାରୀ ମଧ୍ୟ ତିଆରି କରିବେ ଏସଏଚଜି ।