ନୂଆଦିଲ୍ଲୀ,୦୯/୦୧: ଭାରତର ଉଚ୍ଚ-ପ୍ରଦର୍ଶନକାରୀ କମ୍ପ୍ୟୁଟିଂ ନେଟ୍ୱର୍କରେ ଏକ ବଡ଼ ଉପଲବ୍ଧି ଯୋଡ଼ି ହୋଇଛି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ୩.୧-ପେଟାଫ୍ଲପ୍ ସୁପର୍କମ୍ପ୍ୟୁଟିଂ ସିଷ୍ଟମ୍ ‘ପରମ ଶକ୍ତି’ର ଉନ୍ମୋଚନ କରିଛି, ଯାହା ସମ୍ପୂର୍ଣ୍ଣ ରୂପେ ଭାରତରେ ନିର୍ମିତ । ଗତ ୩ ତାରିଖ ଆଇଆଇଟି ମାଡ୍ରାସ୍ରେ ମନ୍ତ୍ରଣାଳୟର ସଚିବ ଏସ୍. କ୍ରୀଷ୍ଣନ୍ଙ୍କ ଦ୍ୱାରା ଏହି ସିଷ୍ଟମ୍ ଉନ୍ମୋଚିତ ହୋଇଛି । ଦେଶର ଅଧ୍ୟୟନ ପରିସଂସ୍ଥାନରେ ଏହା ନୂଆ ଅଧ୍ୟାୟ ଯୋଡ଼ିଛି ।

ଉନ୍ନତ ସ୍ୱଦେଶୀ ଅଧ୍ୟୟନକୁ ସକ୍ଷମ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଅଭିମୁଖେ ଦେଶର ପ୍ରୟାସକୁ ଏହା ମଜଭୁତ କରିବ । ପରମ ଶକ୍ତି ସି-ଡିଏସିର ରୁଦ୍ର ସିରିଜ୍ ସର୍ଭର୍ ଜରିଆରେ ନିର୍ମିତ ହୋଇଛି ଏବଂ ଏକ ମୁକ୍ତ-ଉତ୍ସ ସଫ୍ଟୱେର ଷ୍ଟାକ୍ରେ ସଂଚାଳିତ ହେଉଛି । ଆଲ୍ମାଲିନକ୍ସ ଓ ସିଷ୍ଟମ୍ ସଫ୍ଟୱେର ମଧ୍ୟ ସି-ଡିଏସି ଦ୍ୱାରା ସ୍ୱଦେଶୀ ଭାବେ ବିକଶିତ ହୋଇଛି । ନ୍ୟାସ୍ନାଲ ସୁପରକମ୍ପ୍ୟୁଟିଂ ମିଶନ (ଏନ୍ଏସ୍ଏମ୍) ଅଧୀନରେ ଏହି ପ୍ରୋଜେକ୍ଟକୁ ପାଣ୍ଠି ପ୍ରଦାନ କରାଯାଇଛି, ଯାହା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଡିପାର୍ଟମେଣ୍ଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ମିଳିତ ଭାବେ କାର୍ଯ୍ୟକାରୀ ହୋଇଛି । ସେକେଣ୍ଡ୍ ପିଛା ୩.୧ କ୍ୱାଡ୍ରିଲିଅନ୍ ଗଣନାରେ ସକ୍ଷମ ପରମ ଶକ୍ତି ବର୍ତ୍ତମାନ ଭାରତୀୟ ଶୈକ୍ଷିକ ପ୍ରତିଷ୍ଠାନଗୁଡ଼ିକରେ ଉପଲବ୍ଧ ସବୁଠୁ ଶକ୍ତିଶାଳୀ କମ୍ପ୍ୟୁଟେସନାଲ ସିଷ୍ଟମ୍ ମଧ୍ୟରେ ଅନ୍ୟତମ ।

ଏହାର ପ୍ରଦର୍ଶନ ଏରୋସ୍ପେସ୍ ଇଞ୍ଜିନିୟରିଂ, ମ୍ୟାଟେରିଆଲ ସାଇନ୍ସ, ଜଳବାୟୁ ମଡେଲିଂ, ଔଷଧ ଆବିଷ୍କାର ଏବଂ ଉନ୍ନତ ବିନିର୍ମାଣ କ୍ଷେତ୍ରରେ ଜଟିଳ ଅଧ୍ୟୟନକୁ ବଳ ଦେବ । ଆଇଆଇଟି ମାଡ୍ରାସର କର୍ତ୍ତୃପକ୍ଷ କହିଛନ୍ତି, ଏଥିରେ ୨୪ ଘଣ୍ଟିଆ ବିଜୁଳି ଭିତ୍ତିଭୂମି, ଉନ୍ନତ କୁଲିଂ ସିଷ୍ଟମ୍ ଏବଂ ପୂର୍ଣ୍ଣ ସମନ୍ୱିତ ଡାଟା ସେଣ୍ଟର୍ ରହିଛି । ଏ ସବୁ ଏନ୍ଏସ୍ଏମ୍ ମାର୍ଗଦର୍ଶିକା ଅଧୀନରେ କାର୍ଯ୍ୟକାରୀ ହେଉଛି । ମେ’,୨୦୨୫ରୁ ଚାଲୁ ହୋଇଥିବା ଏହି ସିଷ୍ଟମ୍ର ଉପଯୋଗ ପୂର୍ବାପେକ୍ଷା ୮୦ ପ୍ରତିଶତରୁ ଅଧିକ ହୋଇଛି, ଯାହା ଅଧ୍ୟୟନକର୍ତ୍ତାଙ୍କ ବ୍ୟାପକ ଚାହିଦାକୁ ଦର୍ଶାଉଛି ।