ନୂଆଦିଲ୍ଲୀ, ୨୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ତାଣ୍ଡବଲୀଳା ମଧ୍ୟରେ ଅଶୋଧିତ ତୈଳ ଦର ପୁଣି ଉପରମୁହାଁ ହୋଇଚାଲିଛି । ଆଜି ବ୍ୟାରେଲ ପିଛା ବ୍ରେଣ୍ଟ୍ କ୍ରୁଡ୍ ଦର ୯୦ ଡଲାର ପାର କରିଯାଇଛି । ବର୍ଦ୍ଧିତ ତେଲ ଦର ଯୋଗୁ ଭାରତରେ ଦରଦାମ ସ୍ଥିତି ଉତ୍କଟ ହେବା ଆଶଙ୍କା ରହିଛି । ଏହାସହିତ ପୁଣି ଶକ୍ତି ସଂକଟର ସାମ୍ନା କରିପାରେ ଦେଶ । ଫଳରେ ଭାରତୀୟ ଟଙ୍କା ଏବଂ ବିଦେଶୀ ପୋର୍ଟଫୋଲିଓ ନିବେଶ(ଏଫ୍ପିଆଇ) ପ୍ରବାହ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ, ଅଶୋଧିତ ତୈଳ ମହଙ୍ଗା ହେବା ଫଳରେ ଭାରତର ତୈଳ ମାର୍କେଟିଂ କମ୍ପାନି(ଓଏମ୍ସି)ଗୁଡ଼ିକର ଲାଭ ଉପରେ ଚାପ ପଡ଼ୁଛି । ଲିଟର ପିଛା ଡିଜେଲର ଖୁଚୁରା ବିକ୍ରିରେ କମ୍ପାନିଗୁଡ଼ିକ ୨୦.୪ ଟଙ୍କାର କ୍ଷତି ସହୁଛନ୍ତି । ଯଦିଓ ବିଶୋଧନ ଲାଭରେ ବୃହତ୍ ବୃଦ୍ଧି ଯୋଗୁ କମ୍ପାନିଗୁଡ଼ିକର ହାରାହାରି ଲାଭ ଠିକ୍ ରହିଛି ।
ଅନ୍ତର୍ଜାତୀୟ ବଜାରରେ ଆଜି ବ୍ରେଣ୍ଟ୍ କ୍ରୁଡ୍ ଫ୍ୟୁଚର୍ସ ୨.୬୯ ଡଲାର(୩.୦୫%) ବଢ଼ି ବ୍ୟାରେଲ ପିଛା ୯୦.୭୯ ଡଲାରରେ ପହଞ୍ଚିଯାଇଛି, ଯାହା ଜୁନ୍ ୧୧ ପରଠାରୁ ସର୍ବୋଚ୍ଚ ସ୍ତର । ଗତ ଏକ ସପ୍ତାହରେ ବ୍ରେଣ୍ଟ କ୍ରୁଡ୍ ଦରରେ ୧୬% ବୃଦ୍ଧି ଘଟିଛି, ଯାହା ଏପ୍ରିଲ ପରେ କୌଣସି ସପ୍ତାହରେ ସବୁଠାରୁ ଅଧିକ ବୃଦ୍ଧି । ତେବେ ଆଜି କାରବାର ଶେଷରେ ଦରରେ ସାମାନ୍ୟ ସଂଶୋଧନ ଘଟିଛି । ଜିଓଜିତ ଇନ୍ଭେଷ୍ଟମେଣ୍ଟ୍ସ ଲିମିଟେଡ୍ର ଚିଫ୍ ଇନ୍ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଭି. କେ. ବିଜୟକୁମାର କୁହନ୍ତି, ବଜାର ଆଗରେ ଏବେ ଅନେକ ଆହ୍ୱାନ ରହିଛି । ସବୁଠୁ ବଡ଼ ଚାପ ହେଉଛି ଆମେରିକା ଏବଂ ଇରାନ ମଧ୍ୟରେ ବର୍ଦ୍ଧିତ ଅଶାନ୍ତି ଯୋଗୁ ବ୍ରେଣ୍ଟ କ୍ରୁଡ୍ ୯୦ ଡଲାର ପାର୍ କରିବା । ଯଦି ଏହି ଟ୍ରେଣ୍ଡ୍ ଜାରି ରୁହେ, ତେବେ ଭାରତରେ ପୁଣି ଶକ୍ତି ସଂକଟର ଝଟ୍କା ମିଳିବ । ଏହାର ସିଧାସଳଖ ନକାରାତ୍ମକ ପ୍ରଭାବ ଟଙ୍କାର ଗତିବିଧି ଏବଂ ଏଫ୍ପିଆଇ ପ୍ରବାହ ଉପରେ ପଡ଼ିପାରେ ।
ଏହା ବି ପଢ଼ନ୍ତୁ... US-Iran War: ତେହେରାନ ଉପରେ ଆମେରିକାର ବଡ଼ ଏୟାରଷ୍ଟ୍ରାଇକ୍, ଟ୍ରମ୍ପ କହିଲେ 'ଜଣେ ବି ଆମେରିକୀୟ ସୈନିକଙ୍କ ଜୀବନ ଗଲେ...'
ବ୍ୟାଙ୍କ୍ ଅଫ୍ ବରୋଦା ବି ଏହାର ରିପୋର୍ଟରେ ଚେତାବନୀ ଦେଇଛି ଯେ, ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ ବିଶ୍ୱ ସ୍ତରରେ ଦରଦାମ ଚିନ୍ତା ପୁଣି ଦେଖାଦେବ । ବ୍ୟାଙ୍କ ଅଫ୍ ବରୋଦାର ରିପୋର୍ଟ ଅନୁସାରେ, ବର୍ତ୍ତମାନ ସ୍ଥିତିରେ ଆମେରିକା ଫେଡେରାଲ ରିଜର୍ଭ ଦ୍ୱାରା ଆସନ୍ତା ସେପ୍ଟେମ୍ବର ବୈଠକରେ ସୁଧ ହାର ବୃଦ୍ଧି ସମ୍ଭାବନା ବଢ଼ିଯାଇଛି । ସୁଧ ହାର ବୃଦ୍ଧି ସମ୍ଭାବନା ୫୨% ରହିଛି । ପୂର୍ବମାସ ଯୁଦ୍ଧ ଶିଥିଳ ପଡ଼ିବା ଯୋଗୁ ଅଶୋଧିତ ତୈଳ ଦର ଏପ୍ରିଲ ମାସର ସର୍ବୋଚ୍ଚ ସ୍ତରରୁ ୪୨% ଖସିଯାଇଥିଲା । କିନ୍ତୁ ସ୍ଥିତି ଏବେ ବିପରୀତ । ଯୁଦ୍ଧ ପୁଣି ବଜାରରେ ଆଣିଛି ଅସ୍ଥିରତା । ବିଶେଷଜ୍ଞଙ୍କ ମତରେ, ଯୁଦ୍ଧ ଯଦି ବନ୍ଦ ନ ହୁଏ ତେବେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ଦର ୯୨ରୁ ୯୫ ଡଲାର ପର୍ଯ୍ୟନ୍ତ ଯାଇପାରେ । ଯଦି ସ୍ଥିତି ଅଧିକ ଖରାପ ହୁଏ ତେବେ ଏହା ୧୦୦ ଡଲାର ପାର୍ କରିଯାଇପାରେ ।