ନୂଆଦିଲ୍ଲୀ,୨୫/୦୯: ଭାରତୀୟ ସେନାକୁ ଆଉ ଏକ ସଫଳତା। ଏଣିକି ଚଳନ୍ତା ଟ୍ରେନରୁ ଶତ୍ରୁ ଉପରେ କରିହେବ ଆକ୍ରମଣ।ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଏହି ପରୀକ୍ଷଣ ରେଳ-ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ କରାଯାଇଛି। ଅଗ୍ନି-ପ୍ରାଇମ୍ ହେଉଛି ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଯାହାର ରେଞ୍ଜ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ଡିଆରଡିଓ ଏହାକୁ ଓଡ଼ିଶାର ଚାନ୍ଦିପୁରରୁ ଏକ ରେଳ ମୋବାଇଲ୍ ଲଞ୍ଚରରୁ ଲଞ୍ଚ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଭାରତ ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରକୁ ରେଳ-ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ ସଫଳତାର ସହ ପରୀକ୍ଷଣ କରିଛି। ଏହି ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରାଇକ୍ ରେଞ୍ଜ ପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଅନେକ ଉନ୍ନତ ବୈଶିଷ୍ଟ୍ୟ ରହିଛି। ଏହି କ୍ଷେପଣାସ୍ତ୍ରଟି ଏକ ବଡ଼, ଦୃଢ଼ କ୍ୟାନିଷ୍ଟରରେ ରଖାଯାଇଛି। ଏହା ପାଣିପାଗ ପ୍ରତି ମଧ୍ୟ ପ୍ରତିରୋଧୀ। ଏହା ପ୍ୟାକ୍ ହୋଇ ରହିଥିବାରୁ ଏହାକୁ କମ୍ ଥର ରକ୍ଷଣାବେକ୍ଷଣ ଆବଶ୍ୟକ ହୁଏ।ସେନା ପାଇଁ ଏହି ନୂତନ ପ୍ରଯୁକ୍ତିର ସୁବିଧା ହେଉଛି ଯେ,ଏହି କ୍ଷେପଣାସ୍ତ୍ରକୁ ରେଳ ନେଟୱାର୍କ ମାଧ୍ୟମରେ ଦେଶର ଯେକୌଣସି ସ୍ଥାନକୁ ପରିବହନ କରାଯାଇପାରିବ ଓ ବହୁତ କମ ସମୟ ମଧ୍ୟରେ ନିକ୍ଷେପ କରାଯାଇପାରିବ। ଏହା ଶତ୍ରୁକୁ ଅଜଣା ରଖିପାରିବ ଏବଂ ଭାରତ ତୁରନ୍ତ ଜବାବ ଦେଇପାରିବ।